ସ୍ପର୍ଶ
ସ୍ପର୍ଶ


ଅନାବିଳ ସ୍ନେହ ବାତ୍ସଲ୍ୟ ମମତା
ମାଆର ସ୍ପର୍ଶ ଭରିଛି
ସନ୍ତାନ ପାଇଁ ରାତିଦିନ ସମାନ
ପଣତେ ମଧୁ ଝରୁଛି ।
ନାହିଁକି ହୃଦୟ ହୋଇଛି ନିର୍ଦୟ
କାଳର କରାଳ ଗତି
ନୁହେଁ ଦିନେ ଅଧେ କେଉଁ ଅପରାଧେ
ଭୁତାଣୁ ସ୍ପର୍ଶର ବ୍ୟାଧି ।
ପ୍ରଭୁ ଜଗନ୍ନାଥ ପାଳନ କରତା
ନୀଳାଚଳେ ତାଙ୍କ ଲୀଳା
ଅନନ୍ତ ଅବ୍ୟକ୍ତ ପରଶ ଆନନ୍ଦେ
ଉଦ୍ଧାରିବ ଚକାଡୋଳା ।
ନଦୀ ବହିଯାଏ ନିମ୍ନରୁ ନିମ୍ନକୁ
ବହୁଦୂର ଅତିକ୍ରମି
ବନ୍ୟା ତରଙ୍ଗିଣୀ ସାଗର କାମିନୀ
ପ୍ରୀତି ସ୍ପର୍ଶ ପାଇଁ ଭ୍ରମି ।
ପହିଲି ବରଷା ସଜାଇ ଦେଇଛି
ପ୍ରକୃତି ରାଣୀକୁ ଛୁଇଁ
ଶସ୍ୟ ଶ୍ୟାମଳା ଧରଣୀର ବକ୍ଷ
ଲାଜେ ସବୁଜ ଓଢଣୀ ।
ନିଦାଘେ ତାପିତ ସନ୍ତାପିତ ପ୍ରାଣ
ବର୍ଷା ସ୍ପର୍ଶେ ପୁଲକିତ
ଘଡଘଡି ବାଣ ରୋଷଣୀ ସଜାଇ
ଆଷାଢ ବଧୂ ସିଏତ ।
ଆକାଶ ଗଙ୍ଗାର ଶୀତଳ ସ୍ପର୍ଶରେ
ପୂର୍ଣ୍ଣଗର୍ଭା ନଦୀଜଳ
ଜୋଛନା ଛୁଆଁରେ କୁମୁଦୁନୀ ହସେ
ଭାସ୍କର ସ୍ପର୍ଶ କମଳ ।
ସ୍ୱାତୀ ନକ୍ଷତ୍ରେ ବରଷା ସ୍ପର୍ଶରେ
ଶାମୁକାରୁ ମୁକ୍ତାପ୍ରାପ୍ତି
ଦିବ୍ୟ ଚେତନାରେ ପ୍ରଭୁଙ୍କ ପରଶେ
ବହୁଜନ୍ମ ପାପୁ ମୁକ୍ତି ।
ଦେବ ଦ୍ୱାର ଠାରୁ ମାନବ ଦୁଆର
ସବୁଠି ପଡିଛି ତାଲା
ଆତଙ୍କ ଖେଳାଇ ଆସି ମହାମାରୀ
ସ୍ପର୍ଶ ମାତ୍ରେ ଜନ ମଲା ।
ପିତା ମାତା ,ଗୁରୁଜୀ, ଗୁରୁଜନଙ୍କୁ
ସ୍ପର୍ଶ ସେବା କରୁଥିଲେ
ସର୍ବଦା ଆଶୀର୍ବାଦ ଲଭଇ ଜନ
ପ୍ରଭୁଙ୍କ ଆଶିଷ ଭଲେ ।
ପଞ୍ଚତତ୍ତ୍ବେ ଗଢ଼ା ଏହି ଯେ ଶରୀର
ପ୍ରତିତତ୍ତ୍ୱ ସ୍ପର୍ଶେ ରହି
ପଞ୍ଚମହାଭୂତେ ହେବ ଯେବେ ଲୀନ
ଶୂନ୍ୟ ସ୍ପର୍ଶେ ହୁଏ ପାରି ।