ଆତ୍ମା ଓ କୋଠି
ଆତ୍ମା ଓ କୋଠି


କାମନା ବାସନା ତୀବ୍ର ଅନୁଭୂତି
କ୍ଷୁଧା ଜ୍ୱାଳା ମଧ୍ୟେ ସୃଷ୍ଟି
ମାନଵ ଶରୀର ତ୍ରିବିଧ ଅଜ୍ଞାନ
ସ୍ଥୂଳ ସୂକ୍ଷ୍ମ ଓ ଜ୍ଞାନଟି ।
ଜଡ ଉପାଦାନ ଉର୍ଦ୍ଧ୍ବରେ ତ ଆତ୍ମା
ଲକ୍ଷଣ ତାର ଚେତନା
ଶରୀର ନଷ୍ଟେ ଚେତନା ଶକ୍ତି ଲୋପେ
ଶରୀରରୁ ଭିନ୍ନ ଆତ୍ମା ।
ଜନ୍ମ ମୃତ୍ୟୁ ଜରା ବ୍ୟାଧି ଆଭରଣେ
ଶରୀର ଦୁଃଖ ଯନ୍ତ୍ରଣା
ପ୍ରାଣ ସରୋବରେ ଆତ୍ମାଟିର ଖେଳ
ଅମର ଅକ୍ଷୟ ଆତ୍ମା ।
ଶରୀର ଆତ୍ମାର ସମଷ୍ଟି ରେ ଜୀଵ
ଉପଲବ୍ଧି ଆତ୍ମା କୋଠି
ପରମାତ୍ମାଙ୍କର ଏକ ଅଂଶ ଆମେ
ଅନ୍ତର୍ମୁଖୀ ଚାବିକାଠି ।
ଆତ୍ମା ବିନା ପ୍ରାଣ ପିଣ୍ଡ ମୃତ୍ୟୁ ନାମେ
ପାର୍ଥିବ ଶରୀର ସତେ
ଆତ୍ମା ପାଇଁ ଦେହ କୋଷ ଶକ୍ତି ବୃଦ୍ଧି
ଆତ୍ମା ତ୍ୟାଗେ ଜଡ ସତେ ।
ଆତ୍ମାକୋଠି ସୂକ୍ଷ୍ମରୁ ସୂକ୍ଷ୍ମ ରୂପତ
ଧ୍ୟାନ ବଳେ ଅନୁଭବ
ପଞ୍ଚ ତତ୍ତ୍ୱ ଗଢ଼ା ଏହି ଶରୀରଟି
ପଞ୍ଚ ଭୂତେ ଲୀନ ହେବ ।
ଶରୀର ମନ୍ଦିରେ ଆତ୍ମାର ନିବାସ
ଆତ୍ମା ଜ୍ୟୋତି ପ୍ରଜ୍ଜୁଳିତ
ଆତ୍ମାଫୁଲ କେବେବି ଶୁଷ୍କ ନୁହେଁତ
ପ୍ରଭୁ ସ୍ପର୍ଶ ପ୍ରସ୍ଫୁଟିତ ।
ଶରୀର ମହୁଫେଣା ସଦୃଶେ ଦୃଶ୍ୟ
ଆତ୍ମାରେ ହିଁ ମଧୁରତା
ଶରୀର ଅଳଙ୍କାର ଆତ୍ମା ହିଁ ସୁନା
କାଳ ଫାଶେ ବିଲୀନତ ।
ଆତ୍ମାକୋଠି ରେ ଇନ୍ଦ୍ରିୟ ସକ୍ରିୟ
ଜ୍ୟୋତିରେ ଉଦ ଭାସିତ
ସମୟ ସ୍ରୋତେ ଚୈତନ୍ୟ ର ଲୀଳା
ମୁକ୍ତି ପ୍ରତୀକ୍ଷା ଆତ୍ମାତ ।
ମାସ ଦଣ୍ଡ କାଳ ନ ଦେଖେ ବୟସ
ମୃତ୍ୟୁ ଦ୍ୱାରେ ପହଞ୍ଚଇ
ପ୍ରେତ ଲୋକେଆତ୍ମା କରେ ଅବସ୍ଥାନ
କ୍ରିୟା ପରେ ବାହୁଡ଼ଇ ।
ବହୁସ୍ତର ଅଛି ତ୍ରିଲୋକ ବ୍ରହ୍ମାଣ୍ଡେ
ମୃତ୍ୟୁ ପରେ ତା ଗମନ
କର୍ମନୁସାରେ ବିଚାର ହୋଇଥାଏ
ଆତ୍ମାକୋଠି ରେ ମଗ୍ନ ।
ଉତ୍ତମ କର୍ମରେ ଉତ୍ତମ ଯୋନି କୁ
ପ୍ରାପ୍ତ ହୁଏତ ଜିବାତ୍ମା
ଅପମୃତ୍ୟୁ ସହ କୁକର୍ମୀର ମଣିଷ
ଅତୃପ୍ତେ ଭ୍ରମଇ ଆତ୍ମା ।