ରହସ୍ୟ
ରହସ୍ୟ


ଜଗନ୍ନାଥ ସଂସ୍କୃତି ରହସ୍ୟ ଭେଦ
ଗବେଷଣା ଅଛି ଜାରି
ପ୍ରଭୁ ପରଂବ୍ରହ୍ମ ମୋହିନୀ ମାୟା ରେ
ଭକତର ଭାଵ ଭାରି ।
ଅଜଣା ରହିଲା ମାତାର ନାମଟି
ରହସ୍ୟମୟ ଜୀବନ
କେଉଁ ଅପରାଧେ ଅବରୋଧ ହେଲି
ପ୍ରତି କ୍ଷଣ ଅପମାନ ।
ପଞ୍ଚ ଇନ୍ଦ୍ରିୟ ସାଥେ ଶରୀର ପ୍ରାଣ
ଚଳ ଚଞ୍ଚଳ ଚିନ୍ତନ
ଭୂମାରୁ ଅନ୍ତରୀକ୍ଷ ଭ୍ରମୁଥାଏ ତ
ରହସ୍ୟ ଘେରରେ ମନ ।
ବିଦେଶରେ ଜନର ହୋଇଲେ ମୃତ୍ୟୁ
ସଭିଏଁ ଶୁଣି ଥାଆନ୍ତି
ଜନନୀ ଝୁରଇ ଅନ୍ତିମ ପର୍ଯ୍ୟନ୍ତ
ସନ୍ଦେହେ ମନ ବୁଝାନ୍ତି ।
ରହସ୍ୟ ଶବ୍ଦଟି ଏପରି ଜହର
ବିଚଳିତ ମନ ମଧ୍ୟେ
ଭୁଲବୁଝାମଣା ରହସ୍ୟ ସିନ୍ଧୁକେ
ବିପଦ ଜୀବନ ବନ୍ଧେ ।
ଯାହାର ଇଚ୍ଛାରେ ପ୍ରଭାତରେ ରବି
ସଞ୍ଜ ଚାଲିଯାଏ ନଇଁ
ପ୍ରତି ଜୀବକୋଷେ ସତ୍ତା ଅନୁଭବେ
ରହସ୍ୟ ଜୀବନ ସେଇ ।
ଜୀଵତତ୍ତ୍ୱ ଠାରୁ ସାଧନା ତତ୍ତ୍ୱରେ
ବହୁ ଅଲୌକିକ ଥାଏ
ସଂସାର ଜୀବନେ ସଂଘର୍ଷ ପଥଟି
ରହସ୍ୟମୟେ ବିତାଏ ।
କାହାର ଜୀବନେ ଦୁର୍ଘଟଣା ଘଟେ
ଲୁକାୟିତ ରହିଯାଏ
କାହାପାଇଁ ପୁଣି ଦୋଷୀ ଧରାପଡେ
ଜୀବନଟି ହାରି ଥାଏ ।
ସୃଷ୍ଟିର ମଞ୍ଚରେ ଭିନ୍ନ ଅଭିନୟେ
ସମୟ ସ୍ରୋତର ସ୍ମୃତି
ରହସ୍ୟ ଘେରରେ ଏ ଜୀଵ ଜଗତ
ମହାଶୂନ୍ୟେ କର୍ମ କୀର୍ତ୍ତି ।