ହାଟ
ହାଟ
ସଂସାର ମଞ୍ଚରେ ମଣିଷ ହାଟଟି
ସଦା ଗହଳ ଚହଳ
ମାୟାର ବଳୟେ ବିକ୍ଷିପ୍ତ ସମ୍ପର୍କ
ତଥାପି ସର୍ବେ ଚଞ୍ଚଳ ।
ମମତା ସ୍ନେହର ରଙ୍ଗୀନ ପ୍ରାସାଦେ
ସ୍ୱର୍ଗ ପରି ହସୁଥିଲା
ସମାଜ ହାଟଟି କାହିଁକି କେଜାଣି
ଅସହ୍ୟଜ୍ୱାଳା ଭୋଗିଲା ।
ଅଣନିଃଶ୍ୱାସୀ ସଭ୍ୟତାର ହାଟଟି
ମୂଲ୍ୟବୋଧ ହରାଇଛି
ଜୀବନ ପୃଷ୍ଠାରେ ମଣିଷ ଅସ୍ତିତ୍ୱ
ଅଭିଶାପେ ବିତାଉଛି ।
ମହାମାରୀ ସଂକ୍ରମଣେ ଜୀଇଁବାଟା
ସମାଜରେ ଅର୍ଥହୀନ
ପ୍ରଭୁଙ୍କ ସୃଷ୍ଟିର ବିଶ୍ୱର ହାଟଟି
ହୋଇ ଅଛି ଜରାଜୀର୍ଣ୍ଣ ।
ଗରୀବ ଦୁଃଖିତ ହାଟରେ ବିକନ୍ତି
ବିଭିନ୍ନ ପନିପରିବା
କୁ
ଟୁମ୍ବ ପୋଷିବା ତାଙ୍କର ତ ଧର୍ମ
ଗରାଖ ମନ ତୋଷିବା ।
ହାଟଟି ସୁନ୍ଦର ବେପାରୀଙ୍କ ପାଇଁ
ଦୁନିଆ ଜିନିଷ ମିଳେ
ଜନଜାତି ଆଦିବାସୀଙ୍କ ପସରା
ବନଜାତ ଫଳ ମୂଳେ ।
ପେଟ ପାଇଁ ନାଟ ଚାଲିଛି ସଂସାରେ
ବୃତ୍ତି ଦିଶା ଭିନ୍ନ ଭିନ୍ନ
ପରିବାର ମୁହେଁ ମୁଠେ ସୁଖ ପାଇଁ
ହାଟ ବାଟେ ଏ ଜୀବନ ।
ଗରୀବ ଠାରୁ ରାଜା ମହାରାଜା ତ
ସଂସାର ହାଟର ଅତିଥି
ଜୀଵଚକ୍ର ଘୁରୁଥାଏ ବାର ବାର
ଇଚ୍ଛା ମୋକ୍ଷ ଲଗ୍ନ ତିଥି ।
ପ୍ରଭୁଙ୍କ ହାଟରେ ଭ୍ରମିବା ପାଇଁ କି
ମନ ସଦା ଚାହୁଁ ଥାଏ
ଜରା ବ୍ୟାଧି ଜନ୍ମ ମୃତ୍ୟୁ ସାଗରରୁ
କାମନା ବିନାଶ ହୁଏ ।