ଅସୁରକ୍ଷିତ ପରୀ
ଅସୁରକ୍ଷିତ ପରୀ


ପୂଣ୍ୟ ଭାଗ୍ୟ ଧରି ଜନମ ଲଭିଲା
ସରଳ ସୁନ୍ଦର କନ୍ୟା
ହସିଲା ସଂସାର ହସିଲା ଅଗଣା
ଦୁହିତା ଗୁଣେ ଅନନ୍ୟା ।
ନିଷ୍କପଟ ମନ ସରଳ ସ୍ଵଭାଵ
ଭାରି ଅଭିମାନୀ ପରୀ
ସ୍ୱାଧୀନତା ପଣେ ବୁଲୁଥିଲା ଘରେ
ଗେଲ ବସର ତ ଭାରି ।
ସେହି ପରୀ ଦିନେ କିଶୋରୀ ହୋଇଲା
ଦୁଃଖ ବଢିଲା ଜୀବନେ
ରାଜପଥେ ବା ସଂସାର ସମାଜରେ
ସତେକି ଅଲୋଡ଼ା ଜନ୍ମେ ।
ସମଗ୍ର ସମାଜ ଆଜି ଯେ ବିଷାକ୍ତ
କେଉଁଠି ନାହିଁତ ଶାନ୍ତି
ସୁକନ୍ୟା ପରୀଟି ନାହିଁ ସୁରକ୍ଷିତ
କ୍ଷଣିକ ରେ ଅମାରାତ୍ରୀ ।
ମଣିଷ ପଣିଆ ଆଜି ହଜିଯାଏ
ବିବେକ ହୋଇଛି ଶୂନ୍ୟ
ନିଶାଗ୍ରସ୍ତ ଆଜି ଏ ମଣିଷ ଜାତି
କାମନା ବାସନା ପୂର୍ଣ୍ଣ ।
ନିୟନ୍ତ୍ରଣ ନାହିଁ ନିଜ ମନ ଉପରେ
ଧ୍ୱଂସ ପଥେ ବାଟବଣା
ଦୁହିତାଙ୍କ ସଂଖ୍ୟା ହେଉଅଛି ହ୍ରାସ
ସଭିଙ୍କୁ ହେଲାଣି ଜଣା ।
ପରୀ କାହାପାଇଁ ଆଶାର ଆଲୋକ
ସୃଷ୍ଟି ହସେ ତା ପରଶେ
ଶୋଷଣ କଷଣେ ଦୁଷ୍କର୍ମେ ମାରିଲେ
ଶ୍ରୀହୀନରେ ସୃଷ୍ଟି ଭାସେ ।
ପରୀଟି କନ୍ୟା ଜାୟା ଜନନୀ ରୂପେ
ସଂସାର ମଞ୍ଚର ଶକ୍ତି
ସଂସାରକୁ କରେସ୍ଵର୍ଗେ ପରିଣତ
ସୁରକ୍ଷା ଦେବା ପରୀକି ।
ସମସ୍ତେ ହୋଇବେ ଯଦି ସଚେତନ
ପରୀ ନିର୍ଜନେ ଭ୍ରମିବେ
କେରାଟ ଶିକ୍ଷା ଜ୍ଞାନ କୌଶଳ ଦ୍ୱାରା
ଭୋକିଲାଙ୍କୁ ହିଁ ଛେଚିବେ ।
ଆଇନ ପ୍ରଣୟନ କଠୋର ହେଲେ
ପରୀଭାଗ୍ୟ ଆଲୋକିତ
ବିଶ୍ୱାସ ଶବଦ ହଜିତ ଯାଇଛି
ପ୍ରଶାସନ ବି ନିଦ୍ରିତ ।
ମାନସିକତାରେ ସବୁ ତ୍ରୁଟି ଥାଏ
ଜନ ଜାତି ବିଶୃଙ୍ଖଳିତ ।
ଆଇନ କାନୁନର ଦୁଇଟି ଦ୍ବାର
ଦଣ୍ଡ ଦୋଷୀକୁ କ୍ଷଣିକ
ପରୀଙ୍କ ସମସ୍ୟା ବଢି ବଢି ଚାଲେ
ପ୍ରଭୁଦଣ୍ଡ ଆବଶ୍ୟକ ।