ଜହ୍ନ ଯେବେ ହସେ
ଜହ୍ନ ଯେବେ ହସେ
ଜହ୍ନ ଯେବେ ହସେ ନୀଳ ଆକାଶରେ
ମୋ ମନ ଭିଜଇ ପ୍ରୀତି ରସରେ
ଚଗଲି ପ୍ରିୟାର ନିରୀହ ମୁହଁଟା
ନାଚି ଯାଏ ମୋର ଆଖି ଆଗରେ ।
ଜହ୍ନ ଦେହେ କଳା ଦାଗ ଦେଖିଦେଲେ
ବୁଝାଇ ପାରେନା ମୋର ହୃଦକୁ
ପ୍ରିୟା ଓଠ ତଳ କଳାଜାଇ ଚିହ୍ନ
ମନେପଡିଯାଏ ଛୁଇଁଯିବାକୁ ।
ଜହ୍ନର ଜୋଛନା କରେ ଆନମନା
ପ୍ରିୟା ଦେହ ରଙ୍ଗ ପରି ଲାଗଇ
ଅନ୍ଧାର ଭିତରେ ଝଲସି ଉଠନ୍ତି
ଜହ୍ନ ପରି ପ୍ରିୟା ଭାରି ଫୁଲେଇ ।
ବଉଦ ଉହାଡ଼େ ତାରା ଗହଣରେ
ଲୁଚକାଳି ଯେବେ ଖେଳଇ ଜହ୍ନ
ମୋତେ ଲାଗେ ପ୍ରିୟା ଲାଜେଇ ଯାଉଛି
ରାତି ଅଧେ ମୋତେ ଦେଖି ସପନ ।
ପୂର୍ଣ୍ଣିମା ତିଥିରେ ପୂର୍ଣ୍ଣ ଜହ୍ନ ତୋରା
ବିଚ୍ଛୁରିତ କଲେ ସ୍ନିଗ୍ଧ କିରଣ
ଅଳସି ପ୍ରିୟାର ପ୍ରୀତି ପରଶରେ
ଭିଜିବାକୁ ମନ ଲୋଡ଼େ ଫଗୁଣ ।
ଜହ୍ନର ଦୂରତା ମାପି ପାରେ ନାହିଁ
ହାତ ପାଏ ନାହିଁ ଛୁଇଁବା ପାଇଁ
ପ୍ରିୟାର ସ୍ମୃତିରେ ହଜିଯାଏ ମୁହିଁ
ଭାବନାରେ ପାଶେ ରହିଛି ସେହି ।