ବରଷା ଦିନଟି ଲାଗେ
ବରଷା ଦିନଟି ଲାଗେ


ଗୀତି-କବିତା-
ବରଷା ଦିନଟି ଲାଗେ ସିନା ଭିଜା ଭିଜା,
ତୁମପାଇଁ ମୋ ପାଇଁ ଏଇ ପାଗ ମଜା |(ଘୋଷା)
ଦେଖ ଯମୁନା କୂଳରେ ଫୁଟିଛି କଦମ୍ବ,
ପ୍ରକୃତି ପୁରୁଷ କଲେ ପ୍ରେମର ଆରମ୍ଭ |
ତରୁଲତା ମଞ୍ଜି ଏବେ ହୋଇଲେଣି ଗଜା |
ବରଷା ଦିନଟି ଲାଗେ ସିନା ଭିଜା ଭିଜା |(1)
ମୟୂର ନାଚୁଛି ନଭେ କଳାମେଘ ଦେଖି,
ବିଜୁଳି ଚମକେ ସାଥେ ଇନ୍ଦ୍ରଧନୁ ଡାକି |
ମିଳନ ବେଳାରେ ବାଜେ ଘଡ଼ଘଡ଼ି ବାଜା |
ବରଷା ଦିନଟି ଲାଗେ ସିନା ଭିଜା ଭିଜା |(2)
ଝିପିଝିପି ଶବଦରେ ମେଘ ଗାଏ ଗୀତ,
ସେ ଶବଦେ ତନୁ-ମନ ହୁଏ ଶିହରିତ |
ବରଷାରେ ଭିଜିବାକୁ ସାଥୀଟିଏ ଖୋଜା |
ବରଷା ଦିନଟି ଲାଗେ ସିନା ଭିଜା ଭିଜା | (3)