ଆଶଙ୍କା
ଆଶଙ୍କା
କାହିଁ କେଜାଣି ଲାଗୁଛି
କି ତୁମେ ଆସୁଛ,
ନା ଏ କେବଳ ମନର ଭ୍ରାନ୍ତି ମାତ୍ର ?
ସବୁ ଆକାଂକ୍ଷା, ଅଭିଳାଷା
ଯେବେ ମଉଳି ଯାଉଥାଏ
ଧପ୍ କିନା ଜଳିଉଠେ ଆଶା ଟିକିଏ
ହୃଦୟର କେଉଁ ନିଭୃତ କୋଣରୁ ।
ଭାବିଚାଲେ, ଦେଖିଚାଲେ
ସ୍ୱପ୍ନ ପରେ ସ୍ୱପ୍ନ .....
ନା' ସେ ଆଉ ସ୍ୱପ୍ନ ସବୁକୁ
ମିଛ ବୋଲି ଭାବିବିନି
ହେଉ ପଛେ ମିଛ,
ରକ୍ତ, ହାଡ଼ମାଂସର ଏ କଞ୍ଚାଦେହ ।
ତୁମକୁ ନେଇ ମୋର ସବୁ ସ୍ୱପ୍ନ ହିଁ
ଏକମାତ୍ର ମଧୁର, ଚିରସବୁଜ ବାସ୍ତବ ।
ତୁମକୁ ଦେଖିବା ପୂର୍ବରୁ
କିଛି ଦେଖିନଥିଲି,
ଏ ପୃଥିବୀ, ଆକାଶ, ଋତୁର ରଙ୍ଗ
କିଛି ବି ନୁହେଁ ।
ଭଲପାଇ କି ଘୃଣାକରି
ଶିଖିନଥିଲି କାହାରିକୁ ।
ଏସବୁ ତ ପ୍ରଥମେ
ତୁମ ଆଖିରେ ଦେଖିଲି,
ତା'ପରେ ପାଇଲି ନିଜ ଆଖିରେ
ପୁଣି ହୃଦୟ ମନର
କୋଣ ଅନୁକୋଣରେ ।
ଯେତେ ଯେତେ ନିଜକୁ ଚିହ୍ନିଲି
ସେତେ ସେତେ ତୁମେ
ଅପରିଚିତ ରହସ୍ୟ ପାଲଟିଲ ।
ଆଉ କେତେ ଦିନ
ତୁମ ସ୍ମୃତିକୁ ଆଶା, ଭରସା,
ଛଳନାର ଖାଦ ପାଣି ଦେଇ
ବଞ୍ଚାଇ ରଖିବି ?
ଏଇମିତି ଏ ଯୌବନ ଗଡ଼ିଯିବ
ଆଉ ବାକିତକ ଜୀବନଟା ବି ।
ବେଳେ ବେଳେ ଏଇମିତି
ଆଶଙ୍କା ମାଡ଼ିବସେ,
ଚାଲୁଚାଲୁ ଅଚାନକ୍ ଥମିଯାଏ,
ଛେପ ଢ଼ୋକିପାରେନି କି
ଆଖିପତା ବି ପଡ଼େନି ଆଉ ।
ସତରେ କ'ଣ ତୁମେ ଆସୁଛ ?