କଥା ପଦୁଟିଏ
କଥା ପଦୁଟିଏ
ତୁମେ କେବେ ଗୋଟେ ଆସି
କାନରେ କହି ଦିଅନ୍ତ କି ,
ଫାଟି ପଡ଼ିବା ପରି କଥା ପଦୁଟିଏ ।
ସମ୍ପୂର୍ଣ୍ଣ ଫାଟିପଡ଼ିବାକୁ
କି ଖଣ୍ଡଖଣ୍ଡ ହୋଇ ଭାଙ୍ଗିଯିବାକୁ
ଇଚ୍ଛା ତ ଭାରି ହୁଏ
ହେଲେ ତୁମ ଛଡ଼ା
ଆଉ କିଏ ବା କାହିଁକି ଭାଙ୍ଗିବାକୁ ଯିବ
ଏ ଅଖୋଜା ଅଲୋଡ଼ା
ଅଜାମର ପଥର ଖଣ୍ଡିକୁ ?
ଦିଅଁ ନଥିବା ଦେଉଳ ,
ଅପାଣିଆ ଅପୂଜା ଠାକୁର ,
ଚଢ଼େଇ ନଥିବା ବସା ,
ପ୍ରାଗ୍ ଐତିହାସିକ ଗୁମ୍ଫା
କି କେଉଁ ପରିତ୍ୟକ୍ତ ଅଲୋଡ଼ା
ଭଙ୍ଗାଘରଟିଏ ଭଳି
ପଡ଼ିରହିଥାଏ ଅପେକ୍ଷାରେ ।
କି ଦିନେ ତୁମେ ଆସି
କୋଳେଇ ନେବ
ନହେଲେ ଶେଷରେ
ମାଟି ସହ ମାଟି ହେବ ଏ ଦେହ ।
କେବେ ମାଟି ସହ
ମାଟି ହେବାର ଆକାଂକ୍ଷା ନେଇ
ଝଡ଼ ତୋଫାନ, ବିଜୁଳି ଚୋଟ
ଆଉ ଭୂମିକମ୍ପକୁ ବେଖାତିର କରି
ଦୃଢ଼ହୋଇ ଠିଆହୁଏ ତ
ଆଉ କେବେ ଆମନ୍ତ୍ରଣ କରେ ତୁମକୁ
ନିର୍ବିଘ୍ନରେ ଦୁଇବାହାକୁ ମେଲାଇ ।
ତୁମେ କେବେ ଗୋଟେ ଆସି....