ସ୍ମୃତି
ସ୍ମୃତି


ସ୍ମୃତିର କବରେ ମୋ ପ୍ରିୟାର ପତ୍ର
ଗୁମୁରି ଗାଉଛି ଗୀତ,
ଅର୍ଦ୍ଧ ରାତ୍ରୀର ଘନ ଅନ୍ଧକାରେ
ମୋ ଦେହରେ ଆସେ ଶୀତ ।
ଧିର ପବନରେ ଗଙ୍ଗଶିଉଳିର
ଭୁରୁ ଭୁରୁ ବାସ୍ନା ଆସେ,
ହୃଦ ବାତାୟନେ ଆସର ଜମାଇ
ମୋ ଜଡ ଶରୀର ଗ୍ରାସେ ।
ଲୁଚକାଳି ଖେଳେ ଲୁଚି ଲେଖନୀରେ
ଭାବେ ମୁଁ ସ୍ଵରୁପ ତା'ର,
ତା ନିଜ ହାତରେ ଲେଖିଛି ମୋ ପ୍ରିୟା
ଆମ ପ୍ରେମର ପତର ।
ଲୀନ ଲୀଳା ମୋର ଲେହି ଭଲି ଲାଗେ
ମୋର ହୃଦୟ ଭିତରେ,
ଲୋଭୀ ମନଟାରେ ଲୋଡା ହୁଏ ଲୋଭ
ଚାହିଁ ଥାଏ ଲୁଲୁପରେ ।
ଲହ ଲହ ଜିହ୍ୱା ଲଗାଣ ବର୍ଷାରେ
ଲହୁ ମୋର ସଞ୍ଚାରିତ,
ଲଉଳୀ ପ୍ରେମିକା ଲକୁଚକୁଚା ବକ୍ଷ
କରେ ମତେ ଆନ୍ଦୋଳିତ ।
ଉଦବେଳିତ ଆଶା ଉଷୁମ ରକ୍ତରେ
ତାତି ଅଷ୍ଟାଙ୍ଗ ଶରୀର,
ପ୍ରଚଣ୍ଡ ପ୍ରହାର କରଇ ତା ଛାତି
ବିଦାରେ ହୃଦୟ ମୋର ।
ସ୍ମୃତି ତ ନୁହଇ ଫିଙ୍ଗିବାର ବସ୍ତୁ
ସାଇତିଛି ଛାତି ତଳେ,
ଅତୀତ କାହାଣୀ ଅତୀତର ଦୃଶ୍ୟ
ଜୀବନ୍ତ ମୋ ନାଟକରେ ।
ତୁମେ ଫେରିଯାଅ ମୋ ନିଭୃତ କକ୍ଷୁ
ନାହିଁ ତୁମ ଆତ୍ମୀୟତା,
ତୁମ ବିନା ମୋର ଜୀବନଟି ଅଧା
ଏଣୁ ଲେଖୁଛି କବିତା ।
ମଣିଷ ଜୀବନେ ଅଭିଶାପ ସ୍ମୃତି
ନିଷ୍କର୍ମା କରିଛି ମତେ,
ସ୍ମୃତିର ପଛରେ ଗୋଡାଇ ଗୋଡ଼ାଇ
ଅନ୍ଧକାର ଭବିଷ୍ୟତେ ।