ଆଶ୍ଚର୍ଯ୍ୟ ଲାଗେ
ଆଶ୍ଚର୍ଯ୍ୟ ଲାଗେ
ପର ର ସୁଖ ମର୍ଯ୍ୟାଦାର
ଭରାଭରା ବଗିଚାକୁ ଦେଖି
ମୁଖାପିନ୍ଧା ମଣିଷର
ଆଖିରେ ଝଲସି ଉଠେ
ଈର୍ଷାର ନିଆଁ ଝୁଲ ।
ପର ର ଦୁଃଖ ଦେଖି
ସମବେଦନାରେ
ବତୁରିଯାଏନି ତା' ହୃଦୟ,
ମନ ସମୁଦ୍ରରେ
ଲୁହର ଲହଡି ଭାଙ୍ଗେନି ।
ତା'ର କଂସେଇ ପଣରେ
ମାୟାବୀ ମେଘ ଖଣ୍ଡର ଚଞ୍ଚକତା ।
ମନର କୋକେଇରେ ବୋହି ଚାଲିଥାଏ
ଅନ୍ୟର ସମୃଦ୍ଧିର ଶବ ।
ମଣିଷପଣିଆ ବନ୍ଧା ପଡିଯାଏ
ସ୍ବାର୍ଥପରତାର ମୁଠା ଭିତରେ ।
ବେଳେବେଳେ ଆଶ୍ଚର୍ଯ୍ୟ ଲାଗେ
ଅବିବେକୀ ମଣିଷର
ମିଛ ସାନ୍ତ୍ବନାର ମଲମ ଲଗାଇବାରେ ଓସ୍ତାଦପଣିଆକୁ ଦେଖି ।
ମିଛ ପାପର ତୀର୍ଥରେ
ଅହରହ ବୁଡ ପକାଉଥାଏ ସେ ।
ତଥାପି,
ତା' ରୁକ୍ଷ ଛାତିରୁ ଝରି ଆସେନି
ସହୃଦୟତାର ଝରଣାଟେ,
ରକ୍ତରେ କଅଁଳେନି
ସଂପର୍କର ଶବ୍ଦବ୍ରହ୍ମ ।