କହଇ ମନ ଆରେ
କହଇ ମନ ଆରେ
କଳ୍ପନା ଯେତେକ ଏଠି କାର୍ଯ୍ୟ ବ୍ୟସ୍ତ
ଅନ୍ଵେଷଣ ମାତ୍ର ସ୍ଵାର୍ଥ,
ବିବେକ ମୁରବୀ ହୁକୁମ ନ ମାନି
ମନ କରେ କେବେ ଆଣ୍ଟ ।
ହେଲେ ଏ ମନକୁ ନାହିଁ ତ ବିଶ୍ଵାସ
ସିଏ କିନ୍ତୁ ବହୁରୂପି,
ଅନ୍ତରାଳେ ଭାବଆବେଗ ସହିତ
ଏକାନ୍ତରେ ଥାଏ ଛପି ।
ଭାବେ ଉପଲବ୍ଧି କରି ଯଦି ମନ
କଳ୍ପନାରୁ ଫୁଲ ତୋଳେ,
ବିବେକଟା କିନ୍ତୁ କଣ୍ଟାର ଆଘାତେ
କଷ୍ଟେ ପୋଡ଼ି ଜଳି ମରେ।
ଅନୁଭବ ଯେବେ ନୀତି ଓ ଅନୀତି
ବିଚାରେ ପରଖୁଥାଏ,
ସେତେବେଳେ ଏହି ଝାଞ୍ଜି ପବନଟା
ଶୀତଳ ପରଶ ଦିଏ।
ବିବେକ ଓ ମନ ମଣିଷ ଜୀବନେ
ଦୁଇଟି ଅମୋଘ ଅସ୍ତ୍ର,
ମନ ଯଦି କେବେ ଅମାନିଆ ହୁଏ
ବିବେକ ଦେଖାଏ ବାଟ।
ଅନୁତାପ କେବେ କରିବାକୁ ପଡେ
ମନର ଅବୁଝା ପଣେ,
ବୁଦ୍ଧି ଜ୍ଞାନ କିନ୍ତୁ ବିବେକ ସୂତ୍ରରେ
ଭଲ ମନ୍ଦ ପରିମାଣେ।
ସହସ୍ର ଯୋଜନ କ୍ଷଣକେ ଯିବାକୁ
ମନ ଶୂନ୍ୟେ ଗମିପାରେ,
ଇଚ୍ଛା ମୁତାବକ ବିଚାର ବାହାରେ
ଘୋଡ଼ା କିଣି ଚଢିପାରେ।
ଅନନ୍ତ ଆକାଶେ ମନ ଯେବେ ଯାଏ
ନୀଳିମାକୁ ଛୁଇଁବାକୁ,
ବିବେକ ବି ସେଠି ବହୁ ଭାବି ଚିନ୍ତି
ଆକଟ କରିଛି ତାକୁ।
କହିଛିରେ ମନ କାର୍ଯ୍ୟଟି ପୂର୍ବରୁ
ବିବେକଠୁଁ ଥରେ ବୁଝ,
ଯାହା ତୁ କରୁଛୁ ଆଗପଛ ଚିନ୍ତା
କରି ତୋ ଅନ୍ତରେ ହେଜ।
ଚଳଚଞ୍ଚଳିଆ ଭାବକୁ ତୁ ତେଜି
ଧୈର୍ଯ୍ୟକୁ ହୃଦରେ ଧର,
ସ୍ପଷ୍ଟ ଚିନ୍ତାଧାରା ସତ୍ୟର ସନ୍ଧାନେ
ହୁଅ ତୁହି ଅଗ୍ରସର।
ସୀମାନ୍ତକୁ ଯାଅ ଯହିଁ ଭ୍ରମୁଥାଅ
ମନାକରିବେନି କେହି,
ହେଲେ ବିବେକର ପରାମର୍ଶଟିକୁ
ମାନୁଥାଅ ବାବୁ ତୁହି।
ବାଇମନ କିମ୍ବା ପାଗଳା ମନର
ସଂଜ୍ଞା କାହିଁ ବହୁ ଅଛୁ,
ସୁଧୁରୁନୁ କାହିଁ ଯେତେଥର ଆମେ
ତୋତେ ପୁଣି ବୁଝଉଛୁ।
ମନ କୋଲପକୁ ବିବେକର ଚାବି
ହୃଦ ସିନ୍ଧୁକରେ ଝୁଲେ,
ପ୍ରେମର ସମ୍ପତ୍ତି ସାଇତା ସପନ
ଅଛି ଜ୍ଞାନ ଅମାରରେ।
ଦେଖି ଚାହିଁ ବାବୁ ଖର୍ଚ୍ଚ ତୁ କରୁଥା
ଆଗପଛ ଚିନ୍ତା କରି,
ଜଗିଥିବୁ ବାବୁ ହେଳା ନ କରିବୁ
କେବେ ହୋଇପାରେ ଚୋରି।
ସଂସାର ସଡ଼କ ଖାଲଢିପ ପୁଣି
ଦେଖି ଚାହିଁ ବାଟ ଚାଲ,
ପାଦ ଖସିବାର ସମ୍ଭାବନା ଅଛି
ଦୁନିଆଁଟା ମାୟା ଜାଲ।
ଚଗଲା ମନରେ ଦୁଷ୍ଟ ହୁଅ ନାହିଁ
ଥରେ କଥା ମୋର ମାନ,
ବିବେକର ବୋଲ ତଳେ ତୁ ପକାନା
ପାଇବୁରେ ସନମାନ।
ଯଦି ନ ମାନିବୁ ବଡସାନ ଏଠି
ଦୋହଲି ଯିବରେ ପ୍ରାଣ,
ପଞ୍ଚସଖା କବି କହିଥିଲେ ଭାବି
ଶେଷରେ ପାଇବୁ ଶୂନ।