ଆସ ଯିବା ଦେଉଳ
ଆସ ଯିବା ଦେଉଳ
ଆଗରେ ବୃଷଭ ବାସୁଆ ବଳଦ
ଗମ୍ଭୀରା ଭିତରେ ଶିବ
ବାବା ଭୋଳାନାଥ ଖମାରୀ ଜାଣିବ
ବାସୁଆ ହିଁ ମହାଦେବ ।
ଲମ୍ବ ଠିଆ ହୋଇ ବାସୁଆ ପଛରେ
ଜଣାଇବ ଦଣ୍ଡବତ
ଗୁହାରିବ କର୍ଣ୍ଣେ ପଞ୍ଚାକ୍ଷର ଦୁଃଖ
ବାସବ ହୋଇବେ ପ୍ରୀତ ।
ତାପରେ ହୋଇବ ଅନୁମତି ପ୍ରାପ୍ତି
ଦର୍ଶନ ପ୍ରବେଶାଧିକାର
ବାବା ମହାଦେବ ଶିବ ନୀଳକଣ୍ଠ
ସ୍ବୟଂ ପ୍ରଭୁ ମହେଶ୍ବର ।
ସେ ପ୍ରତୀକାତ୍ମକ ଲିଙ୍ଗର ସ୍ବରୂପ
ସଦା ରହିଥାନ୍ତି ଭୋଳ
ବଡ ବୋଲା ଭାବି ଗୁହାରୀ ନ କଲେ
ହୁଏନି କର୍ଣ୍ଣ ଗୋଚର ।
ଯାହା ସେ ବୁଝନ୍ତି ଯାହା ସେ କରନ୍ତି
ମଙ୍ଗଳ ସତ୍ଯ ସୁନ୍ଦର
ସିଏ ହର୍ତ୍ତା କର୍ତ୍ତା ଭାଗ୍ଯର ବିଧାତା
ତୁରନ୍ତ ଦିଅନ୍ତି ବର ।
ଦେଉଳ ଦୁଆରେ ବାସୁଆ ବେକରେ
ଝୁଲୁଅଛି ବଜା ଘଣ୍ଟି
ପଶ୍ଚିମରୁ ମାଡି ଆସିଲେ ପୂର୍ବକୁ
ଶିବଙ୍କୁ ପାରିବ ଭେଟି ।
ହେ ଭୋଳା ମହେଶ ଆକୁଳ ଭକତ
ଦୁଃଖରାଶି ଅପ୍ରମିତ
ଦିଅ କୃପାଦୃଷ୍ଟି ଅଭୟ ଆଶ୍ରୟ
ପ୍ରଶମୁ ପ୍ରପଞ୍ଚ ଭୂତ । ।
