ଆରତ ତାରଣ ଶ୍ରୀ ଜଗନ୍ନାଥ
ଆରତ ତାରଣ ଶ୍ରୀ ଜଗନ୍ନାଥ
ଦିନ ସରିଗଲା ମାସ ସରିଗଲା
ବରଷ ହୋଇଲା ଅନ୍ତ
ଦୁଃଖୀଜନ କିଆଁ ଦୁଃଖେ ରହିଗଲେ
କୁହ ଥରେ ଜଗନ୍ନାଥ I
ତୁମ ଭକ୍ତଜନ ଚାହିଁ ରହିଥିଲେ
ଶ୍ରୀମୁଖ ଦର୍ଶନ ପାଇଁ
ଏମିତି ତାଣ୍ଡବ ରଚିଲା ପ୍ରକୃତି
ଅସହାୟ ଗଲେ ହୋଇ I
ଦୁର୍ଲ୍ଲଭ ହୋଇଲା ଶ୍ରୀ ମହାପ୍ରସାଦ
ଶ୍ରୀମନ୍ଦିର ଖୋଲୁ ନାହିଁ
ତୁମ ଛଡାଫୁଲ ତୁଳସୀର ଜଳ
ଟିକିଏ ବି ମିଳୁ ନାହିଁ I
କେମିତି ସହୁଛି ତୁମ ଦେହ ପ୍ରଭୁ
ଏତେ କଥା ଦେଖି ଦେଖି
ଇଏ କି ବିଚିତ୍ର ଲୀଳା ରଚିଅଛ
କୁହ ଥରେ ଚକାଆଖି I
କଳିର ଠାକୁର କାଳିଆ ସାଆନ୍ତ
ଉଠ ବାରେ ନିଦ୍ରା ତେଜି
ନହେଲେ ତୁମର ସଂସାରରୁ ଯିବ
ମଣିଷର ନାମ ହଜି I
ଜୀବନ ଜିଇଁବା ଅସହ୍ୟ ହେଲାଣି
ବଳି ପଡିଲାଣି ଦୁଃଖ
ଦୟାମୟ ତୁମେ ସଂକଟ ତାରଣ
ନିଜ ଟେକ ନିଜେ ରଖ I
