ବିଷମ ପଥ
ବିଷମ ପଥ


ଜୀବନର ପଥ ସୁଗମ ସୁଷମ
କେବେ ପୁଣି ତାହା ବିଷମ ଦୁର୍ଗମ
ଜୀବନ ର ପଥ କେବେ ଅମୃତିମ
କେବେ ହୁଏ ହଳାହଳ ବିଷ ସମ
ଅସ୍ଥିର ଦୋଳାୟମାନ,
ସଂସାର ର ରଙ୍ଗମଞ୍ଚେ ଅଭିନୟ
ପାଇଁ ସୃଷ୍ଟ ୟେ ଜୀବନ ।।
ସରସୀଜ ସଜ ଦଳରେ “ତରଳ
ଜଳ” ସମ ଜୀବ ଅଟେ ଟଳମଳ
ଜୀବନ ଟା ଅତି ସରଳ କୋମଳ
କେବେ ତ କଠିନ କେବେ ବିକରାଳ
କେବେ କେବେ ସେ ବିକଳ
ଛଳଛଳ ହସେ ଜୀବନ କେବେ ତା
ଆଖିରୁ ଝରଇ ଜଳ ।।
ଜୀବନର ପଥ ନିୟତ ବିଷମ
କଣ୍ଟା ଝଣ୍ଟା ପୂର୍ଣ୍ଣ ବନ୍ଧୁର ନିସୁନ
କେମିତି ହୁଅଇ ସହସା ନିର୍ବାଣ
କରିପାରେ ନାହିଁ ପଥ ଅତିକ୍ରମ
>ଅନିଶ୍ଚିତ ଏହି ପ୍ରାଣ
ଅଧୁରା ଏମିତି ରହିଯାଇ ଥାଏ
ଯେତେ ଦେଖିଥିବା ସ୍ଵପ୍ନ ।।
ତଥାପି ବଞ୍ଚିବା ପାଇଣ ସଂଗ୍ରାମ
କରି ଚାଲିଥାଏ ନକରି ବିରାମ
କେବେକେବେ ମନ ହୁଅଇ ବିଭ୍ରମ
ପରିସ୍ଥିତି ବଶେ କେବେ ସେ ବିଲୋମ
ଗତି ପଥେ ରେ ବିଜନ
ସମୟ ତା ଅତିବାହିତ ହୁଅଇ
ହୋଇଥାଏ ହୀନିମାନ ।।
ଜୀବନର ପଥ ଏମିତି ଅକ୍ଷୁର୍ଣ୍ଣ
ହୋଇ ଗତି କରି ଲଭଇ ନିର୍ବାଣ
ବିଷମ,ସୁଗମ,ଦୁଃଖ ପ୍ରୀତି ପୂର୍ଣ୍ଣ
କୋମଳ,ବିମଳ,ନିସ୍କାମ ନିଗମ
ବନ୍ଧୁର ସରଳ ପଥ ଅତିକ୍ରମ
ପାଇଁ ସୃଷ୍ଟି ୟେ ଜୀବନ
ଉଚମାନ ଲଭେ ବିଭୁ ଆଶୀର୍ବାଦ
ବିଷ ଲଭେ ନୀଚ ମନ ।।