ଆମ ଗାଁ
ଆମ ଗାଁ
ଆମ୍ବ ତୋଟା ସଙ୍ଗେ ଟଗର, ମନ୍ଦାର
ଅଛି କନିଅର, ବର
କେତେ ଖାଲ ଖମା, ଅଣଓସାରିଆ
ରାସ୍ତାରେ ଯେ ଭରପୂର ।
ସାହି ପଡ଼ିଶାଙ୍କ ସାଥିରେ କଟିଛି
ଅଭୁଲା ସେ ପିଲାବେଳ
ବୋହୁଚୋରୀ ସହ ବାଗୁଡି,କବାଡି
ପୁଚି ଖେଳ,ଦୋଳି ଖେଳ।
ହୋଇଲେ ବରଷା ଶୁଭେ ବେଙ୍ଗ ରଡ଼ି
ଚଲାବାଟ ତ ଖସଡ଼ା
ପାଦ ଟିପି ଟିପି ଚାଲି ନ ପାରିଲେ
ଖାଉଥିଲୁ ଯେ କଚଡା ।
ସେନେହ ଶରଧା ମିଳୁଥିଲା କେତେ
ସଭିଏଁ ଅତି ନିଜର
ସାରା ଗାଆଁଟି ତ ଲାଗୁଥିଲା ଏକ
ପରିବାର ଆପଣାର ।
ରଜ ପୋଡପିଠା, ଶ୍ରୀଗୁଣ୍ଡିଚା ଯାତ
ଦଶହରା ଛୁଟି ବେଳ
କାର୍ତ୍ତିକ ପୂର୍ଣ୍ଣିମା ଡଙ୍ଗା ଭସା,ଦୋଳ
ତା' ସହିତ ହୋଲି ଖେଳ।
ବନ୍ୟା,ବାତ୍ୟା ହେଲେ ଡହଳ ବିକଳ
ମିଳୁ ନ ଥିଲା ଠିକଣା
ଉଡ଼ିଯାଇ ଚାଳ ଦିଶେ ବିକଟାଳ
ହେଉଥିଲୁ ବାଟବଣା ।
ଆଜି କିନ୍ତୁ ଗାଆଁ ଯାଇଛି ବଦଳି
ପକ୍କା ହେଲା ରାସ୍ତାଘାଟ
ପୂର୍ବ ପରିସ୍ଥିତି ହୋଇଛି ସପନ
ଚାଲେ ରାଜନୀତି ନାଟ।
ସେ କାଳ ପଖାଳ ବାସି ତୋରାଣିର
ନାହିଁ ତ ଆଜି ଆଦର
ନିଶା ପାଣି ନେଲା ଚାହା ପାଣି ସ୍ଥାନ
ଗାଆଁଟି ଲାଗେ ସହର।
ଚାଷ ଜମି ସବୁ ପଡ଼ିଛି ପଡିଆ
ନାହିଁ ଆଉ ଗାଈଗୋଠ
ଗାଆଁ ମନ୍ଦିରରୁ ଉଭେଇ ଗଲାଣି
ନିତି ଭାଗବତ ପାଠ।
ଏକବିଂଶ ଶତାବ୍ଦୀରେ ଅଛୁ ଆମେ
ସଭିଏଁ ତ ଆଧୁନିକ
ସ୍ମାର୍ଟ୍ ଫୋନ୍ ଆଜି ସଭିଙ୍କ ହାତରେ
ଶ୍ରମିକ ଅବା କୃଷକ।
କାରିଗରୀ ବିଦ୍ୟା କରି ଉପଯୋଗ
ବଢ଼ାଇବା ଗାଆଁ ଶିରୀ
ଭାଇଚାରା ଫେରୁ କାମନା ଏତିକି
ଉନ୍ନତି ହେଉ ସବୁରି।