ଆଜିର ନାରୀ
ଆଜିର ନାରୀ
ନୁହେଁ ତୂଳୀ ତଳ୍ପ ଶଯ୍ୟାର ସଙ୍ଗିନୀ
ଅବଳା ଦୁର୍ବଳା ନୁହେଁ
ଆଜିର ନାରି ଯେ ସ୍ଵୟଂ ସଂପୂର୍ଣ୍ଣ।
ସଭ୍ୟତାର ଶୀର୍ଷ ଛୁଏଁ ।
ନାହିଁ ସେ ଅତୀତ ନୀରବେ ବ୍ୟଥିତ
" ରେବତୀ" ର ଅନ୍ତଃସ୍ୱର
ଅପା ଠୋଇ ସହେ ଘୃଣ୍ୟ କାମନା
ପୁରୁଷର ଅହଂକାର।
ସମୟର ସ୍ରୋତେ ପ୍ରଗତିର ପଥେ
ଅଗ୍ରେ ଆଜିର ନାରୀ
ଦକ୍ଷତା ତାର ଦେଖଇ ଦେଇଛି
ଆକାଶର ବୁକୁ ଚିରି ।
ଚଢିବା ଶିଖିଛି ଏଭରେଷ୍ଟ ଶୃଙ୍ଗ
ଛୁଇଁଛି ବି ଚନ୍ଦ୍ର ପୃଷ୍ଠ
ରେଡିୟମ ତାର ବିଜ୍ଞାନର ଦାନ
ଚକିତ କରିଛି ବିଶ୍ଵ ।
ପ୍ରଯୁକ୍ତି ବିଦ୍ୟାରେ ନିପୁଣ ପୁଣି ସେ
କଉଶଳୀ କାରୀଗର
ବନ୍ଧୁକ ମୁନରେ ସୀମାନ୍ତରେ ଟାଣେ
ଶତ୍ରୁ ବୁକୁରେ ଗାର ।
ଜ୍ଞାନ ବିଜ୍ଞାନ ଠୁ କଳା ଓ ସାହିତ୍ୟ
ସବୁଠି ସ୍ୱାକ୍ଷର ତାର
କ୍ଷମତା ବଳରେ ଚଳାଇ ପାରେ ସେ
ଦେଶର ଶାସନ ଭାର ।
ଯେଉଁ ଦେଶ ନାରୀ ଶକ୍ତି ପ୍ରଚଣ୍ଡ
ସେ ସେତେ ପ୍ରଗତିଶୀଳ
ସୂଶିକ୍ଷିତା ନାରୀ ସୁସନ୍ତାନ ଦିଏ
ବିକାଶର ସୂତ୍ରଧର ।
ହେ ଆଜିର ନାରୀ ହୁଅ ହେ ସଂସ୍କାରୀ
ସଭ୍ୟତାର କର୍ଣ୍ଣଧାର
ଆଧୁନିକ ନାମେ ହୁଅ ନାହିଁ କେବେ
ଉଗ୍ର ଚେତନଶୀଳ।
ନାରୀ ସ୍ନେହ ମୟୀ ଜୟା ଓ ଜନନୀ
ଅଟଇ ସହନଶୀଳା
ନାରୀ ସଂସ୍କାରରେ ଅଳନ୍ଧୁ ଲାଗିଲେ
ଅନ୍ଧାର ଦିଶିବ ଧରା ।