ଆଇଁଷ ଖିଆ ବାର
ଆଇଁଷ ଖିଆ ବାର
ସପ୍ତାହକ ସାତ ବାରରେ ସଙ୍ଗାତ
ସପ୍ତାହକ ସାତବାର,
ଏହି ସାତବାର ମଧ୍ୟରେ କେତୋଟି
ଆଇଁଷ ଖାଇବା ବାର ।
ରବିବାର ଦିନ ମାଛ ମାଂସ ଖିଆ
ସୋମବାରେ ନିରାମିଷ,
ମଙ୍ଗଳବାର ବି ଆଇଁଷ ବାରଣ
ବୁଧବାରେ ଖାଉ ମାଂସ ।
ଗୁରୁବାର ଯଦି ଆଇଁଷ ଆସୁଛି
ଲକ୍ଷ୍ମୀ ଯିବେ ଘରୁ ଛାଡି,
ଶୁକ୍ରବାର ଦିନ ପୁଣି ଘରେ ହୁଏ
ମାଛ ମାଂସ ତରକାରୀ ।
ଶନିବାର ଯଦି ଆଇଁଷ ଖାଉଛୁ
ଶନି ଯେ କୋପ କରିବେ,
ତେଣୁ ବାର ଦେଖି ଆପଣ ମାନେ ହେ
ଆଇଁଷ ଯେତେ ଖାଇବେ ।
ଆଇଁଷ ବାର ଓ ନିରାମିଷ ବାର
କେଉଁ ଶାସ୍ତ୍ରେ ଅଛି ଲେଖା,
ଦେଖିବାକୁ ଗଲେ ସାତବାର ନାମେ
ସବୁ ଠାକୁର ଦେବତା ।
କେତୋଟି ବାରରେ ଆଇଁଷ ଖାଇବା
ନୁହେଁ କେବେ ଠିକ୍ କଥା,
ନିରାମିଷ ଆଉ ଆମିଷ ମଧ୍ୟରେ
ଅନେକ ଯେ ପ୍ରାର୍ଥକ୍ଯତା ।
କେତେକ ଅଛନ୍ତି ବାର ମାନନ୍ତିନି
ଆମିଷ ଡେଲି ଖାଆନ୍ତି,
କେତେକ ଅଛନ୍ତି ଆମିଷ ଛାଡିକି
ମିଛେ ଧାର୍ମିକ ବୋଲାନ୍ତି ।
ପ୍ରକୃତ ଆଇଁଷ ମନରେ ଅଳିଆ
ରାଗ, ହିଂସା, ଅଭିମାନ,
ଏ ସବୁକୁ ଛାଡି ଯିଏ ବଞ୍ଚିଅଛି
ସେ ନିରାମିଷାସୀ ଜାଣ ।
ନିରାମିଷ ଆଉ ନିଅଇଁଠା କିଏ
ଆମେ କିନ୍ତୁ ଜାଣୁ ନାହୁଁ,
ପରବଚନରେ ପ୍ରବଚନ ଦେଉ
ମଦ ,ମାଛ, ମାଂସ ଖାଉ ।
ନିରାମିଷ ଆଉ ନିଅଇଁଠା ଯିଏ
ଖାଉଥିଲେ ଲାଗେ ମିଠା,
କ୍ଷୀର, ନୀର ,ବେଦ ସବୁତ ଅଇଁଠା
ନିରାମିଷ କେଉଁ କଥା?
ଅକର୍ମରେ ବାସୁଦେବ ପ୍ରୀତ ହୋନ୍ତି
କର୍ମ କଲେ କ୍ଷୟ ଯାଏ,
ଅକର୍ମଟି କେଉଁ ଚିଜ ହେ ସଙ୍ଗାତ
ତାକୁ ବା କରୁଛି କିଏ?
ଆଖି ଦେଖା କାମ କରମଟି ସିନା
ଅକର୍ମ ଅଦୃଶ୍ୟ ଯୋଗ,
ଯୋଗଟି ହେଉଛି ଆତ୍ମା ପରମାତ୍ମା
ମିଳନ ଅମୃତ ଭୋଗ ।
ମାଗୁର ମାଛର ଝୋଳ ଖାଅ ପଛେ
ମୁଖେ ହରିହରି ବୋଲ,
ଜୀବେ ଦୟା ରଖି ଆମିଷ ଛାଡ଼ିବା
କଥାଟି ହେଉଛି ଭଲ ।
ଏ ଦେହ ମନ୍ଦିର ଅଛନ୍ତି ଠାକୁର
ପବିତ୍ର ରଖିବା ଭାଇ,
ସାତ୍ତ୍ୱିକ ଆହାରେ ଦେହ ସୁସ୍ଥ ରହେ
ମୂର୍ଖ ଅପର୍ତ୍ତି କହଇ ।
