ଆହ୍ୱାନ
ଆହ୍ୱାନ
ଚାଲିଲେ ସ୍ୱଚ୍ଛନ୍ଦେ ତୁମ ଆଡ଼େ ଦ୍ୱନ୍ଦ୍ୱେ
ଆନ କେ' ପୁରୁଷ ଚାହିଁ
ମୁହଁକୁ ଫେରାଇ ଆଖିକୁ ଟେରାଇ
ରହେ ତ ଡରିବ ନାହିଁ
ପରମ୍ପରା ନାମେ ଦ୍ୱାହି
ଦେବ ନାହିଁ ନାରୀ ଲକ୍ଷ୍ୟ ହୁଅ ପାରି
ସଭ୍ୟତାର ନାବ ବାହି ।
ଯିଏ ଯାହା ଭାବେ ଯଦି କେଉଁ ଠାବେ
ବେପରୁଆ ହୋଇ ହସ
ରଖିଥାଅ ଜାଣି ତୁମ ଏହି ଠାଣି
ହେଲେ ହେଉ ନିରଳସ
ଚାଲି ଯିବ ନାହିଁ ଯଶ
ତୁମେ ମନ ଖୋଲି ହସିଦିଅ ବୋଲି
ପ୍ରାଣେ ମୋର ଭରେ ରସ ।
ଫେଡି ଅବସାଦ କେବେ ତୁମ ପାଦ
ଅତିକ୍ରମି ଚଉହଦି
ମୁକ୍ତ ପ୍ରାଙ୍ଗଣରେ ସଖୀ ଗହଣରେ
ନାଚିବାକୁ ଚାହେଁ ଯଦି
ଗୃହେ କିମ୍ପା ହେବ ବନ୍ଦୀ
ସାଥେ ତରୁଲତା ହେବେ ନୃତ୍ୟରତା
ଉଲ୍ଲୋଳିତ ହେବ ନଦୀ ।
ତୁମେ ସ୍ନେହମୟୀ ମୁଁ ତୁମ ପ୍ରଣୟୀ
କରିଥିଲ ପ୍ରେମଅଳି
ହୋଇ ସାଜସଜ୍ଜା ଛାଡ଼ିଥିଲେ ଲଜ୍ଜା
ଦୁନିଆ ଉଠନ୍ତା ଜଳି
ଲାଜକୁଳୀ ଲତା ଭଳି
କିମ୍ପା ସଙ୍କୋଚରେ ରହି ଅଗୋଚରେ
ସୁଖକୁ ଦେଇଛ ବଳି ?
ଖୋଲା ଅଭିବ୍ୟକ୍ତି ପ୍ରକାଶିବା ଶକ୍ତି
ନାହିଁ କି ତୁମର ପାଶେ
ସ୍ୱତନ୍ତ୍ରରେ ଇଚ୍ଛି ପୁଛିବାକୁ କିଛି
ସଂଶୟ କି ପାଇଁ ଆସେ
ଅନ୍ୟ କାହା ପରିହାସେ
ନ ଡରି ପଚାର ସନ୍ଦେହ ସଂଚାର
ନ ହେଉ ବିରୋଧାଭାସେ ।
କାହା ପ୍ରତିବାଦ ଭୟେ ତୁମ ପାଦ
ଆସୁନି ଆଗକୁ ବଢ଼ି
ଦୁହେଁ ସଙ୍ଗେ ରହି ସବୁକିଛି ସହି
ସ୍ୱର୍ଗଟିଏ ଦେବା ଗଢ଼ି
ସଂସ୍କାର ସୋପାନ ଚଢ଼ି
ଆସ ଆମେ ଗର୍ବେ ଦେଖାଇବା ସର୍ବେ
ଅନୀତି ବିରୁଦ୍ଧେ ଲଢ଼ି ।

