ଅମୃତ
ଅମୃତ
ଘରେ ପଶୁ ପଶୁ ଅଜିତ ନାକରେ ବାଜିଲା ଏକ ଉତ୍କଟ ଗନ୍ଧ।
ସେଇ ଅସହ୍ୟ ଗନ୍ଧ ,ଯାହାକୁ ଘୃଣା କରେ ଅଜିତ।
ଶୁଖୁଆ ଗନ୍ଧ।
ଯାହାକୁ ବୋଉ ବାସ୍ନା ବୋଲି କହେ।ଅମୃତ'ର ଅନ୍ୟନାମ "ଶୁଖୁଆ', ବୋଉ ପାଇଁ।
ମୋବାଇଲଟା ଘରେ ଛାଡ଼ିଦେଇଥଲା ବୋଲି ଅବେଳରେ ଘରକୁ ଆଜି ଚାଲିଆସିଥିଲା।
ମାମୁଘର ବାଲେଶ୍ୱର ବୋଲି ମାଛ,ଶୁଖୁଆ ପ୍ରତି ବୋଉର ଆସକ୍ତି ଅଧିକ।ବାପା ଯଦିଓ ନିରାମିଷ ଥିଲେ,ତଥାପି ବୋଉର ଆଇଁଷ ଖାଇବାରେ କିଛି କଟକଣା ରଖି ନଥଲେ।ବରଂ ଅନେକ ସମୟରେ ହୋଟେଲରୁ ନିଜେ କିଣିଆଣୁଥିଲେ ଆଇଁଷ ବାରରେ।
ଅଜିତ ଆଇଁଷ ଖାଏ, କେବଳ ଶୁଖୁଆକୁ ଛାଡି।ତା ବାହାଘରପରେ ବୋଉକୁ ସାଙ୍ଗ ମିଳିଗଲା ବୋହୂ ମିଲି ରୂପରେ।
ବାଲେଶ୍ବର ଝିଅ ମିଲିକୁ ବୋଧେ ଜାଣିଶୁଣି ବାଛିଥିଲା ବୋଉ।
କିଛି ମାସ ତଳେ ମିଲି ,ଅଜିତକୁ କହିଥିଲା,
"ଦେଖ,ବୋଉଙ୍କ ଖାଇବାରେ କିଛି ନିୟମ ଲଗାଅ ନାହିଁ।ବାପାଙ୍କ ଅନ୍ତେ ପୁଅ,ବୋହୂ ହିସାବରେ ତାଙ୍କ ଇଛା,ଅନିଚ୍ଛା ବୁଝିବାର ଦାୟିତ୍ୱ ଆମର।"
ଚିଡି ଯାଇ ଅଜିତ କହିଥିଲା, "ହାଇ ପ୍ରେସର ରୋଗୀ ପାଇଁ ଶୁଖୁଆ ବିଷ। ମୁଁ ଶତ୍ରୁ ନୁହେଁ ବୋଉ'ର। ଡାକ୍ତର ବାରମ୍ବାର ମନା କରିଛି ଶୁଖୁଆ, ଚିଙ୍ଗୁଡ଼ି ,ଅଧିକ ଲୁଣ ନ ଖାଇବାପାଇଁ।ଯଦି ଆଉ ଥରେ ମୁଁ ଏହାକୁ ଦେଖେ ତେବେ ତମେ ବୁଝିବ ବୋଉ କଥା।ମୁଣ୍ଡ ବୁଲାଇ ପଡିଲେ କିମ୍ବା ଦେହ ଖରାପ ହେଲେ ତମେ ଦାୟୀ।"
ଆଜି ସେଇ କଥା ମନେପଡ଼ିଗଲା ଅଜିତ'ର।"ଘରେ ଆଜି ପୁଣି ଶୁଖୁଆ କରିଛ ?"
ମିଲି ଅବେଳରେ ତାକୁ ଦେଖି ହଡ଼ବଡେଇ ଯାଇଥିଲା।ତରବରରେ ଯଦିଓ ରୁମ ଫ୍ରେସନର ପକେଇଥିଲା,ତଥାପି କଣ ଇଲିଶି ଶୁଖୁଆ ବାସ୍ନା ସହଜରେ ଯିବ ?ସେ ଖାଲି ଡରୁଥିଲା ମସଲା ଶୁଖୁଆ ଅଜିତ ଆଖିରେ ନପଡୁ ।ଵେଲା ଘୋଡେଇ ଦେଇଥିଲା ସେ।କିନ୍ତୁ ଲୁଚାଇ ବାକୁ ଭୁଲିଯାଇଥିଲା।ଠାକୁର ଘରୁ ବୋଉ ପାଟି ଶୁଭିଲା ,"ତୁ ବିଚାରୀ ବୋହୂକୁ କାହିଁକି ପାଟି କରୁଛୁ ?ପଛ ପଟେ ରହୁଥିବା କାମବାଲୀ ,ସେ ପୋଡ଼ାମୁହିଁ ରଙ୍ଗ ଶୁଖୁଆ ପୋଡ଼ିଛି ଚୁଲିରେ।ପବନରେ ସେଇ ବାସ୍ନା ଘରକୁ ଆସିଛି।'
ଅଜିତ ଜାଣିଲା ଏହା ସମ୍ପୂର୍ଣ୍ଣ ମିଛ।କାରଣ ଘରେ ରୁମ ଫ୍ରେସନର ପଡିଛି ଓ ବୋଉ ବି ଅବେଳରେ ପୂଜା କରି ଝୁଣା,ଧୂପ ଲଗାଇଛି।
"ଆଜି ରୁହ ପ୍ରମାଣ ସହ ତୁମ ଦୁହିଁକି ଧରୁଛି।"
ରୋଷେଇ ,ଷ୍ଟୋର,ବେଡ଼ ରୁମ,ବାଥ ରୁମ ସବୁ ଦରାଣ୍ଡି ପକାଇଲା ଅଜିତ।ଉଭାନ ହୋଇଗଲା ଶୁଖୁଆ ?ଦୁହେଁ ତ କଦାପି ଫୋପାଡିବେ ନାହିଁ।ଫ୍ରିଜ, ଷ୍ଟିଲ ଆଲମିରା ସବୁ ଖୋଜିଲା ଅଜିତ।ସତରେ କଣ ରଙ୍ଗ ପୋଡ଼ିଛି ଶୁଖୁଆ !
"ବୋଉ, ତତେ ଡାକ୍ତର କଣ କହିଛନ୍ତି ? ଏ ବିଷ ଖାଇଲେ ଔଷଧ କାଟୁ କରିବନି।"
"ମୁଁ କଣ ଆଉ ଖାଉଛି ?ମୋ ପାଇଁ ମିଲି ବିଚାରୀ ବି ଖାଇପାରୁନି।"
ଅଜିତ ଗୋଟେ କଥା ଚିନ୍ତା କରି କହିଲା, "ଠାକୁର ଘର ମୁଁ ଚେକ୍ କରିବି "। କେଉଁ ଗୋଟେ ଗପରେ ପଢିଥିଲା ଠାକୁର ଘରେ ଏମିତି ଜିନିଷ ବି ଲୁଚାଯାଏ।
"ହଇରେ, ଠାକୁର ଘରେ ଆଇଁଷ ପଶିବ ?"କବାଟ ସାମ୍ନାରେ ବସି ପଚାରୁଥିଲା ବୋଉ।
ଅଜିତ ମୁଣ୍ଡରେ ଭୁତ ସଵାର ହୋଇଥିଲା।କିଛି ନଶୁଣି ଖୋଜିଲା ସେ ।ଠାକୁରଙ୍କ ଆସ୍ଥାନ ତଳେ ଥିବା ଗୋଟାଏ ଡବା ଆଖିରେ ପଡ଼ିବା ପରେ ଖୁସି ହୋଇଗଲା ସେ।ଆଜି ସେ ଧରିପାରିଛି ବିଷକୁ।"ବୋଉ ଏ ପୁରୁଣା ଅମୁଲ ଡବାଟା ବାହାରକୁ ଆଣିଲୁ "?
"ସେଇଟା ଝୁଣା ଡବା ?କାହିଁକି କାଢ଼ିବୁ ?ମୋ ଗୋଡ଼ ଝିମି ଝିମି ହେଉଛି ଆଉ ମୁଣ୍ଡ ବି ଟିକେ ବୁଲୋଉଛି ବୋଲି ଏଇଠି ବସିଛି ପା।"
ସ୍ତ୍ରୀ ଉଦେଶ୍ୟରେ ଡାକ ଛାଡିଲା ଅଜିତ, "ମିଲି ଏଠିକି ଆସିଲ।"
ମିଲି ଡବାଟାକୁ ଦେଖି ଭାବିଲା ତା ଦେହରୁ ସବୁଯାକ ରକ୍ତ ଯେମିତି ଶୁଖିଯାଉଛି।ବୋଉ ଏଇଠି ଆଣି ଡବାକୁ.....ପୁଣି ଅଜିତ ହାତରେ ତାକୁ ଧରାପକେଇବେ ?ସବୁ ଠାକୁରଙ୍କୁ ଡାକ ପକାଉଥିଲା ସେ।
ଡ଼ବାଟା ଖୋଲିବା ପରେ ଅଜିତ ମୁହଁରୁ ହସ ଲିଭିଗଲା।
ଏକ ନୂଆ ଜିନିଷ ଆବିଷ୍କାର କଲାଭଳି ମିିଲି ପିଲାଙ୍କ ଭଳି ଖୁସିରେ କହିଉଠିଲା, "ବୋଉ ,ଏଥିରେ ଝୁଣା ଅଛି "।
" ଆଉ କଣ ଥାନ୍ତା କି ?ଅଜୁ ପରି ତୁ ବି କଣ ମୋ କଥାକୁ ଅବିଶ୍ଵାସ କଲୁଣୁ ନା କଣ ?"
ସିନେମାର ଦୃଶ୍ୟ ବଦଳିଗଲା ପରି, ଅଜିତ ଉପରେ ଏକ ବିରକ୍ତିଭାରା ଚାହାଣି ପହଁରାଇ ଆଣି କହିଲା, " ଏତେ ସନ୍ଦେହ ? ପାଇଲ ଏବେ ? ଆଜି ଆମେ ଦୁହେଁ ଓପାସ ରହିଲେ ତମେ ଖୁସି ହେବ।"
"ବୋଉର ଦେହ ପାଇଁ କହୁଥିଲି।ପ୍ଲିଜ ଆଉ କେବେ ଏମିତି କରିବିନି।ଆଇ ଆମ ସରି।" ଉଭୟଙ୍କୁ କ୍ଷମା ମାଗି ଅଫିସ ଚାଲିଗଲା ଅଜିତ।
ଘର କବାଟ ବନ୍ଦ କରି ମିଲି ଦୌଡ଼ି ଆସି ପଚାରିଲା, " ଶୁଖିଆ ଡବା କେଉଁଠି ରଖିଛନ୍ତି ?
ଡବାଟିକୁ ନିଜ ଶାଢ଼ୀ ତଳୁ ବାହାର କରି ଶାଶୁ କହିଲେ, "ଏଇଥି ପାଇଁ ପରା ମୁଁ ଉଠୁ ନଥିଲି।"ମିଲି'ର ମୁହଁଟା ଚକଚକ କରୁଥିଲା ଖୁସିରେ।
"ଭଜା ଫୋପାଡ଼ି ଦେଲେ "?"ହୁଣ୍ଡୀ ଟା କି ?ଅମୃତକୁ କିଏ ଫୋପାଡ଼ିବ ?ଛୁଆକୁ ଅବେଳରେ ଆସିବା ଦେଖି,ରୋଷେଇ ଘରୁ ଇଲିଶି ଶୁଖୁଆ ଭଜାକୁ ତାଟିଆ ସହ ବ୍ଲାଉଜ ଭିତରେ ପୁରେଇଦେଲି।
କାଳେ ତା ନାକକୁ ବାସ୍ନା ଯିବ ବୋଲି ଝୁଣାଧୂଆଁ ଲଗେଇ ଦେଲି।କଣ ଆଉ କରିଥାନ୍ତି ?ଠାକୁର ଘରଟା ଟିକେ ଧୋଇ ମାର୍ଜନା କରିଦେ।"
ଦୁହେଁ କୁଣ୍ଢାକୁଣ୍ଢି ହୋଇ ହସୁଥିଲେ, ସତେ ଯେମିତି କେଉଁ ବଡ଼ ଶତ୍ରୁକୁ ଯୁଦ୍ଧରେ ପରାସ୍ତ କରିଛନ୍ତି।
କାରରେ ବସି ଅଜିତ ହସୁଥିଲା।
ଘରୁ ଆସିଲାବେଳେ ମିଲି'ର ଫୋନ୍ ରୁ ନିଜ ଫୋନ୍ କୁ ଡାଏଲ କରି ସ୍ପିକର ଅନ୍ କରି ଡ଼ାଇନିଂ ଟେବୁଲ ଉପରେ ରଖି ଚାଲିଆସିଥିଲା।ବ୍ଲୁ- ଟୁଥ୍ ଲଗାଇ ଶାଶୁ,ବୋହୁଙ୍କ କଥା ଶୁଣି ସେ ଭାବୁଥିଲା, ସତେ ଯେମିତି ରାକ୍ଷସଠୁ କୌଶଳକ୍ରମେ ମାୟାକରି ଲୁଚାଇ ଦେବତା ମାନେ ଅମୃତ ପାନ କରୁଛନ୍ତି।ଅମୃତ ମନ୍ଥନ ବେଳେ ଶୁଖୁଆ କଣ ବାହାରିଥିଲା ?ବୋଉ ତାହେଲେ ୟାକୁ ଅମୃତ ବୋଲି କାହିଁକି କହେ !
ମନକୁ ମନ ହସି ସେ ଭାବିଲା,ଶାଶୁ ବୋହୂଙ୍କ ସମ୍ପର୍କ ଅମୃତମୟ ; ଶୁଖୁଆ ତ ଖାଲି ଏକ ମାଧ୍ୟମ।
😊(ଅରବିନ୍ଦ ଦାସ)