ବାପା ହସୁଥିଲେ
ବାପା ହସୁଥିଲେ
ଜୀବନର ବିକଟାଳ ରୂପ ଅତି ଭୟଙ୍କର, ପାହାନ୍ତିଆ ରାତିର ଭୁତ ପରି ଡରାଏ ସେ ସମସ୍ତଙ୍କୁ। ଗୋଟାଏ ନିଶ୍ଚିତ ବାତ୍ୟାର ଭୟ ଯନ୍ତ୍ରଣା ଦେଉଥିଲା ଗୋପାଳ ଓ ପୁଷ୍ପ କୁ... ଡେଣାରେ ଶକ୍ତି ଆସି ନି, ଆକାଶରେ ଉଡିବାର ସ୍ବପ୍ନ କଣ ସତ ହେବ !!!!
ଏଇ ଅଳ୍ପ ଦିନ ହେବ, ପୁଷ୍ପ ବୋହୂ ହୋଇ ଆସିଛି ଗୋପାଳ ଘରକୁ।
ଆଇ ଟି ଆଇ ପାସ ଗୋପାଳ। ମା ଛେଉଣ୍ଡ। ବାପା ଅକର୍ମଣ୍ୟ । ଚାକିରୀ ନାହିଁ। ଉପରେ, ବାପାଙ୍କ ଔଷଧ ଖର୍ଚ୍ଚ..
ଠେଲା ଉପରେ ଦୁହେଁ ମିଶି ଆତ ବିକିଲେ, ରାସ୍ତା ଉପରେ ବୁଲି ବୁଲି...ସଂଜକୁ ଗୋଟେ ଦୁଇଟା ଅାତ ଯଦି ବଳିଯାଏ, ଦୁହେଁ ମିଶି ବାପାଙ୍କୁ ଖୁଏଇ ଦିଅନ୍ତି , ବାପାଙ୍କୁ ଖୁଏଇବାରେ ଯେଉଁ ମଜା ଥାଏ, ଏକ ନିଆରା ସେ ମଜା। ଶ୍ରଦ୍ଧା, ଭକ୍ତି ର ମିଶ୍ରଣରେ କିଛି ଅପାସୋରା ମୁହୂର୍ତ୍ତ..
ଶହେ ରେ ପାଞ୍ଚୋଟି, କଥା ଛିଡିଲା ଜଣେ ଭଦ୍ର ବ୍ୟକ୍ତିଙ୍କ ସହିତ। ସାତୋଟି ଆତ ତାଙ୍କୁ ବଢେଇ ଦେଇ ଖାଲି ହୃଦୟ ଜିଣି ନ ଥିଲେ ପୁଷ୍ପ, ତାଙ୍କ ସୁପାରିଶରେ ଗୋଟାଏ ନଭଶ୍ଚୁମ୍ବି ଅାପାର୍ଟମେଣ୍ଟରେ ୱାଚମେନ୍ ରୂପେ କାମଟିଏ ପାଇଲେ ସେମାନେ।
ଗୋପାଳ ପାଞ୍ଚ ସାତୋଟି କାର ଧୋଏ। ଦରମାକୁ ମିଶେଇ ମାସକୁ ତିନି ଚାରି ହଜାର ରୋଜଗାର କଲା ଗୋପାଳ।
ଆଇ ଟି ଆଇ ଫିଟର ପୋଷ୍ଟ ପାଇଁ ବି ଡି ଏ ରେ ଯାଇ ପରୀକ୍ଷା ଲେଖିଲା ସେ।
ସକାଳଠୁ ସଂଜ ଯାଏ ମନ୍ଦିରରେ ଯାଇ ବସିଲା ପୁଷ୍ପ। କିଛି ଖାଇନି, ପିଇନି। ଗୋପାଳର ଚାକିରୀଟା ହେଇଯାଉ। ଉପବାସ ରଖି ବସିଲା ସେ ଭଗବତୀ ମା'ଙ୍କ ଆଗରେ।
ନା, ଚାକିରୀ ହବନି ! ଘର ଭିତରକୁ ପଶି ଆସି ବସି ପଡ଼ିଲା ଗୋପାଳ।
ଆଜେ ବାଜେ ପ୍ରଶ୍ନ ସବୁ ପଚାରିଲେ। ଠିକ୍ ଭାବେ ଉତ୍ତର ଦେଇ ପାରିଲିନି। ଶେଷ ପ୍ରଶ୍ନଟି ସବୁଠୁ କଠିନ ଥିଲା।
କଣ ପଚାରିଲେ ଜାଣିଛୁ ପୁଷ୍ପ ! କାହିଁକି ଚାକିରୀ କରିବାକୁ ଚାହୁଁଛ ? ଏମିତି କେହି କଣ ପଚାରେ !!!
ମୁଁ କହିଲି ସାର୍ ! ଚାକିରୀଟିଏ ନିହାତି ଦରକାର। ମୁଁ ମୋ ବାପାଙ୍କ ମୁହଁରେ ଟିକିଏ ହସ ଦେଖିବାକୁ ଚାହେଁ। ବାପାଙ୍କ ଏକାନ୍ତ ଇଚ୍ଛା ମୁଁ ଚାକିରୀ ପାଏ, ଗୋଟାଏ ଆକାର ବିହୀନ ସ୍ବପ୍ନଟିଏ, ଦିନ ରାତି ଦେଖନ୍ତି ସେ। ଗୋଟାଏ ଜିଦରେ ଅଟଳ, ପୁଅର ଚାକିରୀ ଦେଖିବେ ହିଁ ଦେଖିବେ...
ସେମାନେ କହିଲେ "ଠିକ୍ ଅଛି ଯାଅ" !!!
ଲୁହ ଝରି ପଡ଼ିଲା ପୁଷ୍ପ ଆଖିରୁ.. ଅସ୍ତମିତ ଜହ୍ନର ମୃତ୍ୟୁ କୁ ଭାରି ଭୟ। ମୃତ୍ୟୁ ପୂର୍ବରୁ ପୂର୍ଣ୍ଣତା ଚାହେଁ ଜହ୍ନଟି। ପୁଷ୍ପର ସ୍ବପ୍ନ ବି ଦିଗ ବଳୟବ୍ୟାପୀ, ଦୁଃଖ କାମ୍ୟ ନୁହେଁ, ହସ ଖୁସିର ଛୋଟ ପୃଥିବୀ ଟିଏ ଚାହେଁ ପୁଷ୍ପ। ସେଇ ପୃଥିବୀରେ ଦୁଇ ଜଣ ଥିବେ, ସେ ଆଉ ଗୋପାଳ।
ପୁଷ୍ପକୁ ଶୁଣେଇ ଶୁଣେଇ ଗୋପାଳ କହିଲା " ଛୋଟ ବେଳେ ମୋତେ କାନ୍ଧରେ ବସେଇ ସ୍କୁଲ ଛାଡ଼ି ଆସୁଥିଲେ ମୋ ବାପା। ସମସ୍ତଙ୍କୁ ଗୋଟାଏ କଥା କହୁଥିଲେ ସେ। ଆମ ଗୋପାଳ, ଚାକିରୀ କରିବ, ଘୋଡ଼ା ଚଢ଼ିବ"।
ଭାବ ବିହ୍ୱଳ ହୋଇଗଲା ଗୋପାଳ। ବାପାଙ୍କ ସ୍ବପ୍ନ ନଙ୍ଗର ବିହୀନ ନୌକା ପରି..ଭାସୁଥାଏ ଜଳ ଉପରେ ଲଗାମ ଛଡ଼ା ଘୋଡ଼ାଟିଏ ହୋଇ। କେତେବେଳେ ନଦୀର ଏ ପାଖରେ ତ କେତେବେଳେ ଆର ପାଖରେ।
ବାସ୍ତବ ଟା କିନ୍ତୁ ଭୟଙ୍କର, ସ୍ବପ୍ନ ସବୁ କ୍ରୁଶବିଦ୍ଧ ହୁଅନ୍ତି। ବାସ୍ତବ କାହାଣୀରେ ହସ ଖୁସି ଠାରୁ ନିଷ୍ଠୁରତା ବେଶି। ସତ ମିଛର ପ୍ରତିଯୋଗିତା ଭିତରେ ଜିଇଁବାକୁ ପଡେ..
ସଞ୍ଜ ହେଲେ ବାପାଙ୍କ ପାଖରେ ଗୋପାଳ ବସି କହେ ବାପା ! ତମର ବହୁତ ଇଚ୍ଛା ଥିଲା ନା, ପୋଲିସ କନେଷ୍ଟବଳ ହେବି ବୋଲି। ମୁଁ କଣ ହୋଇ ପାରିଲି। ମୁଁ ଗାଡ଼ି ଧୋଇଲେ ତମକୁ କଷ୍ଟ ହୁଏନି। କେତେ ଇଣ୍ଟରଭିଉ ଦେଲିଣି, ଚାକିରୀ କଣ ହେଉଛି !! ବାପା ବାକଶକ୍ତି ହରେଇ ବସିଛନ୍ତି ଏଇ କେତେ ଦିନ ହେଲା। ବାପା ହସିଦେଇ ଗୋପାଳ ମୁଣ୍ଡରେ ହାତ ବୁଲେଇ ଦେଲେ। କଠୋର ନିସ୍ତବ୍ଧତା ଭିତରେ ବାପାଙ୍କ ହାତ ସ୍ପର୍ଶ ବି ଅନେକ କଥା କହିଦିଏ। ବାକଶକ୍ତିର ଆବଶ୍ୟକତା ପଡ଼େନି। ଅଲୌକିକ ଶକ୍ତି, ଏଇ ସ୍ପର୍ଶରେ....
କାହିଁକି କେଜାଣି, ଆଜିକାଲି କାର ମାଲିକ ମାନେ ନିଜେ ଗାଡ଼ି ଧୋଉଛନ୍ତି, ଗୋଟାଏ ଦୁଇଟା ଗାଡ଼ି ଧୋଉଛି ଗୋପାଳ। ବାପାଙ୍କ ପାଇଁ ପ୍ରତିଦିନ ପଚାଶ ଟଙ୍କାର ଔଷଧ କୁ ନେଇ ଚିନ୍ତା । ପୁଷ୍ପ ଭିତରେ ଅସହାୟତାର ଗୋଟାଏ ହିମାଳୟକୁ ଧୀରେ ଧୀରେ ବଢୁଥିବା ଦେଖି ବ୍ୟଥିତ ହୋଇ ପଡୁଥିଲା ଗୋପାଳ।
ତିରିଶ ବର୍ଷ ବୟସରେ ଗୋପାଳର ମୁହଁର ହନୁ ହାଡ଼ ଆହୁରି ସ୍ପଷ୍ଟ ହୋଇ ଉଠୁଥିଲା, ପୁଷ୍ପ ବିବ୍ରତ ହେଲା ଗୋପାଳ ର ସ୍ବାସ୍ଥ୍ୟ କୁ ନେଇ। ମାନସିକ ଚାପ ସମୁଦ୍ରର ସୁନାମୀ ଠାରୁ ଆହୁରି ଭୟଙ୍କର ବୁଝୁ ବୁଝୁ ବାପା ଚାଲି ଯାଇଥିଲେ ପୃଥିବୀ ଛାଡି ଅନେକ ଦୂରକୁ।
ଗୋପାଳର ମନ ରଖିବା ପାଇଁ ଦିନ ସାରା ତା ସହିତ ବାଘ ଛେଳି, ଲୁଡୋ ଖେଳିଲା ପୁଷ୍ପ। ତା ମୁହଁରେ ହସ ଟିକିଏ ବିରାଜମାନ କରୁ। ସବୁ ବାଜି ଜାଣି ଜାଣି ପୁଷ୍ପ ହାରିଯାଏ । ଆଉ କାହା ମନରେ ଖୁସି ସୃଷ୍ଟି କରିବାର କଳା ବେଶ୍ ଜଣାଥିଲା ପୁଷ୍ପକୁ। ତାହା ହିଁ ଜୀବନର ଅଭିନୟ ବୋଧେ..
ଗୋପାଳ ର ଚାକିରୀ ପାଇଁ ଦୁଇ ବାହୁରେ ଦୁଇଟି ଡେଉଁରିଆ ପିନ୍ଧିଛି ପୁଷ୍ପ। ଶଙ୍କର ଜ୍ୟୋତିଷ, ଚାକିରୀ ହୋଇଯିବାର ଆଶ୍ୱାସନା ଦେଇଛନ୍ତି। ଚଡ଼କ ଯାତ୍ରାକୁ ଯାଇ ଜଳନ୍ତା ନିଆଁ ଉପରେ ଚାଲିଲା। ଭଗବାନ ଆୟାପା ଙ୍କ ଶରଣ ନେଇଛି । କଳା ପୋଷାକ ପିନ୍ଧିବ, ପୂରା ମାସଟିଏ ବ୍ରତ ରଖିବ। ପାଦରେ ଜୋତା ପିନ୍ଧିବାର ନାହିଁ, ଯେତେ କଷ୍ଟ ହେଉ ନା କାହିଁକି। ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରି ଗୋପାଳର ମଙ୍ଗଳ କାମନା କରୁଥାଏ ପୁଷ୍ପ।
ଖବର କାଗଜ ୱାଚ ମେନ୍ ଘର ଆଗରେ ଫିଙ୍ଗି ଦେଇ ଯାଆନ୍ତି ହକର୍ ମାନେ। ସବୁ ଘରେ ଖବର କାଗଜ ବାଣ୍ଟିବା ପୂର୍ବରୁ ଆଇ ଟି ଆଇ ଯୋଗ୍ୟତା ସମ୍ପନ୍ନ ଚାକିରୀ ଖୋଜେ ଗୋପାଳ। ଗୋପାଳର ମନ ଭିତରେ କାୟା ବିସ୍ତାର କରୁଥିବା ଗୋଟାଏ ଜଟିଳ ଅସହାୟତାକୁ ପୁଷ୍ପ ପଢିପାରେ। କେତେ ବିବ୍ରତ ସେ ଚାକିରୀଟେ ପାଇଁ।
ଗୋପାଳକୁ କିଛି ନ କହି ପକୁଡ଼ି ଛାଣିବାର ସବୁ ସରଞାମ କିଣି ନେଇ ଆସିଲା ପୁଷ୍ପ। ଆପାର୍ଟମେଣ୍ଟ ଆଗରେ ସଂଜରେ ପକୁଡ଼ି ଛାଣିବା କହି ହସିଦେଲା । ହସ ଭିତରେ ସମ୍ଭାବନା ର ଫୁଲ ଝଡି, ସ୍ୱାଭିମାନ ର ଆଭାସ , ଜିଇଁବାର ଇଚ୍ଛା ଆକାଂକ୍ଷା ସ୍ପଷ୍ଟ ହୋଇ ଉଠୁଥିଲା...
କୋଉଠୁ ଆଣିଲୁ ଏତେ ପଇସା,
କାନ କୁ ଦେଖେଇ ମୁହଁ ବୁଲେଇନେଲା ପୁଷ୍ପ, ସବୁ ପ୍ରଶ୍ନର କଣ ଉତ୍ତର ଥାଏ। କିଛି ପ୍ରଶ୍ନ ମନକୁ ଛୁଇଁ ଯାଇ ଅନବରତ କଷ୍ଟ ଦିଏ। ଆଖି ଲୁହ ହୋଇ ବୋହିଯାଏ, ଲୁଗା କାନିରେ ପୋଛି ଦେଲା ସେ ନିଜର ଆଖିକୁ...
ଡାକ ବାଲା ଭିତରକୁ ପଶି ଆସି ପ୍ରତିଦିନ ପରି ଦଶ ବାରଟି ଚିଠି ବଢେଇ ଦେଲା ଗୋପାଳକୁ। ଦସ୍ତଖତ କରି ଚିଠି ନେଲା ଗୋପାଳ। ଲିଫ୍ଟ ରେ ଯାଇ ଗୋଟାଏ ପରେ ଗୋଟାଏ ଚିଠି ବାଣ୍ଟିଲା। ଶେଷ ଚିଠିଟି ଦେଖିଲା ତା ନିଜ ନାଁରେ, ଅବାକ୍ ହୋଇଗଲା ଗୋପାଳ, ନିଯୁକ୍ତି ପତ୍ର। ଦୌଡ଼ି ଦୌଡ଼ି ତଳକୁ ଆସି ପୁଷ୍ପକୁ କୁଣ୍ଢେଇ ପକେଇଲା ଗୋପାଳ। ଚିଠିକୁ ଚିରି ପଢିଲା । ନିଯୁକ୍ତି ପତ୍ର ସାଥିରେ ସଂଲଗ୍ନ ଗୋଟାଏ ପ୍ରଶଂସା ଚିଠିଟିଏ । ଲେଖା ଥିଲା
Happy Diwali
You wanted to see your Father Happy. We hope , this appointment letter will find your Father excited...All the best..
ବହୁତ ବିଳମ୍ବ ହୋଇ ଯାଇଥିଲା ନିଯୁକ୍ତି ପତ୍ରଟି ଆସିବା ପାଇଁ। ବାପାଙ୍କ ପାଖରେ କଣ ଏତେ ସମୟ ଥିଲା ଯେ ପୁଅର ଖୁସି ଦେଖି ପାରି ଥାଆନ୍ତେ... ନା...
ଆନନ୍ଦାଶ୍ରୁ ପୁଷ୍ପକୁ ବିଚଳିତ କଲା, ଖଟିଆ ଉପରେ ବସି ବାପାଙ୍କ ଫୋଟୋକୁ ଅନେଇଲା ଗୋପାଳ। ସାରା ଜୀବନ ପାଇଁ ବାପାଙ୍କ ମୁହଁରେ ହସ ଦେଖିବାକୁ ଚାହୁଁଥିଲା ଗୋପାଳ। ମା'ଙ୍କୁ ଜନ୍ମ ପରେ ଦେଖିନି। ସବୁ ସ୍ନେହ ପାଇଛି ସେ ବାପାଙ୍କ ପାଖରୁ।
ବାପାଙ୍କ କାନ୍ଧରେ ବସି ସ୍କୁଲ ଯିବାଠୁ ଆରମ୍ଭ କରି ବାପାଙ୍କୁ କାନ୍ଧରେ ରଖି ଶ୍ମଶାନ କୁ ଯିବା ଭିତରେ ଅନେକ ପାଣି ବୋହି ଯାଇଛି ନଈରେ।
ସତକୁ ସତ, ଫଟୋ ଭିତରୁ ବାପା ହସୁଥିଲେ....