ଶୋଭା ମେଡମଙ୍କ ଜାସୁସି
ଶୋଭା ମେଡମଙ୍କ ଜାସୁସି
ହଇହୋ ରୁନୁ ଵାଵା ଦେଖିବ ଆସ ଶୋଇଛ କ'ଣ ମ ?
ହେ ଭଗବାନ ଏହା କାହାର କାରନାମା !
ଆରେ ରୁନୁ,ମୁନୁ,ଚିନୁ କୁଆଡେ ଗଲ ଏ...ମା ...ଲ ...ଧରମ ସହିବନି ଏଭଳି କାଣ୍ଡ କିଏ କରିଛି ! ହାତ କେମିତି ଆସିଲା ?
ଆବେ ସିକ୍ୟୁରିଟି କୁଆଡେ ଗଲୁ ? ତୁ ଶୋଇଛୁ କିବେ।
ତୁ ଡ୍ୟୁଟିରେ ଅଛୁ ନା କ'ଣ କରୁଛୁ ! ଏ ଭିତରକୁ କିଏ ଆସିଲା କି ରକ୍ତାତ ଶରୀର।
ଖାଲି ରକ୍ତର ଛିଟା ପୁଣି ଦୁଆର ମୁହଁରେ। ହେ ଭଗବାନ କରିବି କଣ !
ଏଁ ସକାଳୁ ସକାଳୁ ତୁଳସୀ ମାଆକୁ ଟିକେ ଦର୍ଶନ କରିବାକୁ କବାଟ ଖୋଲୁ ଖୋଲୁ ରକ୍ତର ଛିଟା। ସବୁ ପକ୍ଷୀଙ୍କ ଖିନଭିନ ଶରୀର।
ଶୋଭା ମେଡମ ତାହା ଦେଖି ଆଉ ସମ୍ଭାଳି ପାରିଲେ ନାହିଁ। ଭେଁ ଭେଁ ହୋଇ କାନ୍ଦିବାକୁ ଲାଗିଲେ। ଭାବିଲେ କାହାର ଇଏ କାରନାମା। ହାତ କେମିତି ଆସିଲା ବିଚାରା ନିରିହ ପକ୍ଷୀ ମାନଙ୍କ ଜୀବନ ନେବାକୁ। ବହୁ ବାରଣ କରିବା ସର୍ତ୍ତେ ନିଜ ପତିଦେବ ସାହୁ ବାବୁଙ୍କୁ ମନାଇ ନାନା ବେରଙ୍ଗର ପକ୍ଷୀମାନ କିଣି ଆଣିଥିଲି । ସେମାନଙ୍କ ଭିତରୁ ଲଭ୍ ବାର୍ଡ ଦୁଇଟି ଥିଲେ। ସେ ଲଭବାର୍ଡ ଦୁଇଟି ମଧ୍ୟ ରକ୍ତରେ ଜୁଡୁବୁଡୁ।
ଶୋଭା ମେଡମ ପଶୁପକ୍ଷୀଙ୍କୁ ଭାରି ଭଲ ପାଆନ୍ତି। ପ୍ରତ୍ୟେକ ଦିନ ସେମାନଙ୍କ ପାଖରେ ସମୟ ଦିଅନ୍ତି। ରାତିରେ ଶୋଇବା ପୂର୍ବରୁ ଭଲଭାବରେ ନଜର କରନ୍ତି ସେ ସବୁ ପକ୍ଷୀଗୁଡିକୁ। ସବୁରାତି ପରି କାଲି ରାତିରେ ମଧ୍ୟ ପକ୍ଷୀ ମାନଙ୍କ ପାଖକୁ ଯାଇ ସେମାନଙ୍କୁ ଖାଦ୍ୟ ଦେଇ ଆସିଥିଲେ ନିଜେ ଶୋଇବାକୁ। ସକାଳୁ ସକାଳୁ ପୁଣି ଏ ଅବସ୍ଥା।
ମନରେ ନାନା ଭାବନା ଗୁଡିକ ଚାଲିଆସିଲା। ଏତେ ବଡ ପଞୁରୀ ଭିତରୁ ସେମାନଙ୍କୁ କିଏ ବାହାରକୁ ଟାଣି ଆଣି ହତ୍ୟା କରିଛି ! କରିଡର ଵାହାରେ ପଡିଥିବା ସୋଫାଟିକୁ ମଧ୍ୟ କିଏ ଛିନ୍ନ ଭିନ୍ନ କରିଛି। ମନ ମାରି ଵସିରହିଲେ ଶୋଭା ମେଡମ ନିଜେ ଖାଇବା ପିଇବା ସବୁ ଭୁଲି । ସୋସାଇଟିରେ ସଵୁ ଘର ଗୁଡିକୁ ବୁଲି ବୁଲିପଚାରିଲେ । କିଏ କାଳେ ଏ ଖବର ଜାଣିଥାଇପାରନ୍ତି। କିନ୍ତୁ ସଭିଙ୍କ ମୁହଁରୁ ଉତ୍ତର ଆସିଲା ଖାଲି ନା... ଏବଂ ନା....। ସିସି କ୍ୟାମେରା ଚେକ୍ କଲେ କିନ୍ତୁ ସିସି ଫୁଟେଜରୁ କିଛି ଜଣାପଡୁନଥାଏ ।ସିସି କ୍ୟାମେରା ଖାଲି ମେନ୍ ଗେଟ୍ ହିଁ ଵାହାରେ ଲାଗିଥାଏ।
ସକାଳୁ ସକାଳୁ ପକ୍ଷୀମାନଙ୍କ କିଚିରିମିଚିରି ଶବ୍ଦରେ ନିଜକୁ କେତେ ଖୁସି ଅନୁଭବ କରୁଥିଲେ ଶୋଭା ମେଡମ। ଚା କପ୍ ଧରି ଆସିଯାଉଥିଲେ ସେମାନଙ୍କ ପାଖକୁ ସୁଖ ଦୁଃଖ ହେବା ପାଇଁ। ପକ୍ଷୀମାନଙ୍କ ଖାଇବା ପିଇବା ସବୁ ଦାୟିତ୍ବ ଶୋଭା ମେଡମ ନିଜେ ଏକୁଟିଆ ନିଅନ୍ତି । ଏଥିରେ ସେ ବହୁ ଖୁସି ଲାଭ କରନ୍ତି। ପ୍ରାୟ ଆଠରୁ ଦଶ ହଜାର ଖର୍ଚ କରି ଏ ପକ୍ଷୀ ଗୁଡିକ କିଣି ଆଣିଥିଲେ। କିନ୍ତୁ ସେମାନଙ୍କ ଅବସ୍ଥା ଆଜି ଏପରି... ... । କିଛିଦିନ ମନ ଦୁଃଖ କରି ଖାଇବା ପିଇବା ଭୁଲିଗଲେ। କାନରେ ଖାଲି ସେ ପକ୍ଷୀମାନଙ୍କ ଗୁଞ୍ଜନ ହିଁ ଶୁଭୁଥାଏ।
ଏଭଳି କିଛି ଦିନ ଯାଇଛି ନା ନାହିଁ ଦିନେ ତାଙ୍କ ଦୁଆର ମୁହଁରେ ପୁଣି ରକ୍ତର ଛିଟା ଦେଖିବାକୁ ପାଇଲେ । ମନେମନେ ଭାବିଲେ ପୁଣି ରକ୍ତର ଛିଟା। ଇଏ ଆଉ କ'ଣ ହୋଇଥାଇ ପାରେ । ତାପର ଦିନ ଶୁଣିବାକୁ ପାଇଲେ ସୋସାଇଟିର ଦାସ ମେଡମଙ୍କ ଦୁଆର ମୁହଁରେ ରକ୍ତର ଛିଟା ଆଉ ଚାରିଦିନ ଯାଇଛି ମିଶ୍ରଵାଵୁଙ୍କ ଘର ଦୁଆର ମୁହଁରେ.... । ସୋସାଇଟିର ସବୁ ପରିବାର ପରସ୍ପର ଆଲୋଚନାରେ ଲାଗିଗଲେ ଏଭଳି କାଣ୍ଡ କିଏ କରୁଛି। ଏ ସିକ୍ୟୁରିଟି ଥାଇ ମଧ୍ୟ କୌଣସି କାର୍ଯ୍ୟରେ ନାହିଁ।
ଏଥିପାଇଁ ଆଉ ଚୁପ୍ ନ ରହି ନିଜେ ଜାସୁସି ଆରମ୍ଭ କରିଦେଲେ ଶୋଭା ମେଡମ୍। ଯେମିତି କରମଚାନ୍ଦ ଜାସୁସି କଲାଭଳି। ଦିନରାତି ନ ଶୋଇ ଜାସୁସି ଆରମ୍ଭ କରିଦେଲେ। ଶୋଭା ମେଡମ ସାହାଯ୍ୟ କରିବା ପାଇଁ ନିକିତା ମେଡମ ସାଥୀରେ ରହିଲେ। ସୋସାଇଟିରେ ତ ମୋଟ ଚାରୋଟି ଫ୍ଲୋର। ପ୍ରତ୍ୟେକ ଫ୍ଲୋରରେ ଛଅଟି ଫ୍ଲାଟ। ସବୁ ଫ୍ଲୋର ବୁଲି ବୁଲି ଦୁଇତିନି ରାତି ଅନିଦ୍ରାରହି ଜଗି ଵସିଲେ ଶୋଭା ମେଡମ। କିନ୍ତୁ କିଛି ଖୋଜ ଖବର ପାଇଲେ ନାହିଁ। ପଞ୍ଚମ ରାତ୍ରୀଟି ସେମିତି ଅନିଦ୍ରା ହୋଇ ଜଗି ରହିବା ବେଳେ ଦେଖିଲେ ଗୋଟେ ଭୁଆ ବିରାଡି ଦେଖିବାକୁ ଠିକ୍ ବାଘ ସଦୃଶ ପାରାଟିକୁ ଧରି ଆଣି ଫୋର୍ଥ ଫ୍ଳୋରର ଦୁଆର ସମ୍ମୁଖରେ ଖାଉଛି। ପାରାମୋଡି ଖାଇବାବେଳେ ପାରା ଦେହରୁ ରକ୍ତଗୁଡାକ ତଳେ ପଡୁଛି। ତାକୁ ଚାଟି ଚାଟି ସଫା କରୁଛି। ସେଠୁ ଜାଣିବାକୁ ପାଇଲେ ଏ ଭୁଆର ସବୁ କାରନାମା। ଏ ଭୁଆ ଲାଗି ନିଜକୁ ପାଞ୍ଚ ରାତି ଅନିଦ୍ରା ରହିବାକୁ ପଡିଲା। ଖାଲି ସେତିକି ନୁହଁ ସୋଫାରେ ଶୋଇ ଗଦି ଚିରି ଶଳା ଇଏ ମୋର କରିଡର ବାହାରେ ଥିବା ପଞ୍ଜୁରି ତାଡି ତା ପଞ୍ଝାରେ ନିରିହ ପକ୍ଷୀଗୁଡାକୁ ବାହାରକୁ ଟାଣି ଆଣି ବେକ ମୋଡି ଖାଇଛି। ଆଉ କେତୋଟିକୁ ତଳେ ମୋତି ପକାଇଛି। ସତରେ ତାର କେତେ ଉନ୍ମତ୍ତ କାଣ୍ଡ।
ଆରେ ସିକ୍ୟୁରିଟି କେଉଁଠି ଅଛୁ ଆ ବେ ଶୀଘ୍ର ଏ ବିଲେଇକୁ ଧର। ଏହାକୁ ନେଇ ବାହାରେ ଛାଡେ।ଆ ଲାଗି ମୁଁ ଖାଇବା,ପିଇବା,ଶୋଇବା ସବୁ ଭୁଲିଗଲି।
ସିକ୍ୟୁରିଟି ନିଦରୁ ଉଠି କାଇଁ ବିଲେଇ କହି ହୁଇସିଲ ଫୁଙ୍କି ଚତୁର୍ଥ ଫ୍ଲୋରରେ ପହଞ୍ଚିଗଲା।
ହଁ ମେଡମ ଧରାପଡିଗଲା ଯାହାହେଉ। ଆପଣଙ୍କ ଜାସୁସୀକୁ ମାନିବାକୁ ପଡିବ। ଶେଷରେ ତାହା ହେଲେ ଏହାର କାରନାମା। ଏହାକୁ ହାଟରେ ନେଇ ଛାଡି ଆସିବି। ମେଡମ ଆପଣଙ୍କ ଜାସୁସିଟା ଵହୁତ କାମ ଦେଲା।
ଆପଣଙ୍କ ଏ ଜାସୁସିଟା ମନକୁ ପାଇଲା ହେଲେ ମେଡମ ଆପଣଙ୍କୁ ମୁଁ ଗୋଟେ କଥାଟି କହିବି। କାଲି ରାତିରେ ମୁଁ ଟିକେ ସିକ୍ୟୁରିଟି ଡ୍ୟୁଟିଟା କରିପାରିବିନି। ଆପଣ ମତେ ସାହାର୍ଯ୍ୟ କରିଥିଲେ ଭାରି ଭଲ ହୁଅନ୍ତା।
ଶୋଭା ମେଡ ଫିକ୍ କିନା ହସି ଦେଲେ ସିକ୍ୟୁରିଟିର ଏଭଳି କଥାରେ।
ସିକ୍ୟୁରିଟି ବିଲେଇଟିକୁ ଅଖାରେ ପୁରାଇ ହୁଇସିଲ୍ ଫୁଙ୍କି ଫୁଙ୍କି ପୁଣି ଡ୍ୟୁଟି କରିବା ପାଇଁ ଚାଲିଗଲା।