ହାଇଯାକ୍
ହାଇଯାକ୍
ତିନିଦିନ ତିନିରାତି ହେଲାଣି ବାପା ମାଆ ଭାଈ ଭଉଣୀ ଖିଆ ପିଆ ନିଦ୍ରା ଛାଡ଼ିଦେଇଛନ୍ତି। ସରକାରୀ ସ୍ତରରେ ମଧ୍ୟ ଅବହେଳା ନାହିଁ। ଓଡ଼ିଶାର ଥାନାରୁ ଥାନାକୁ ଘୁରି ବୁଲିବା ସହ ରାଜ୍ୟ ବାହାରେ ତଥା ପୃଥିବୀ ବ୍ୟାପୀ ଖବର ସମ୍ପ୍ରସାରଣର ମୂଖ୍ୟ ଉଦେଶ୍ୟ କାଳେ କିଛି ସୁରାକ ମିଳିଯିବ ! ହେଲେ ସବୁ ବିଫଳ।
ସେଦିନ ସୁଙ୍କି ସାଲୁରି ଘାଟି ତଳେ ବଢ଼ିଉଠିଥିବା ବସ୍ତିର ପାଖାପାଖି ବହିଯାଉଥାଏ ଗଭୀର ନଈଟି। ବର୍ଷା ଦିନେ ପ୍ରବଳ ପାଣି, ପ୍ରାୟେ ତିନି ପୁରୁଷି ଉଚ୍ଚ ପାଣି। ଏପଟେ ବଡ଼ଭାଇ ଗୋପାଳ ଗାଇଚରାଇ, ନଇପାର ହୋଇ ସେପଟକୁ ଯାଇଥିବା ଭାଇ ସୁବଳକୁ ଅପେକ୍ଷା କରିଥାଏ। ଆଜି ନୁହେଁ, ଇମିତି ଚାରିବର୍ଷ ହେଲାଣି ସେ ଜଗିରହେ ଭାଇକୁ, ଫେରିଲେ, ତା ବହି ଖାତା କଲମ ପେନ୍ସିଲ, ରବର ଆଦି ପୋଛିପକାଏ ନିଜ ମଇଳା ଗାମୁଛାରେ। ଗାମୁଛା କାଳେ ମଇଳା ହୋଇଯାଇଥିବ ଭାବି ସବୁଦିନ ପରା ଗାମୁଛାଟାକୁ ଧୋଇ ପକାଏ, ନଈର ସଫା ଜଳରେ। ଆଉ ସୁବଳ କୁ ପଚାରେ କଣ ଲେଖିଲୁ କଣ ପଢ଼ିଲୁ, ପୁଣି ସୁବଳ ଆଣିଥିବା ତା ମଧ୍ୟାହ୍ନ ଭୋଜନରୁ କିଛି ଖାଇ ଗୋପାଳ ଖୁସି ହୁଏ। ହେଲେ ଭାଇର ପେଟ ପୁରିଥିବ କି ନାହିଁ ବୋଲି ଦୁଃଖ କରେ। ତା ସାର୍ଟ ପ୍ୟାଣ୍ଟ୍ ଓଦା ହୋଇଥିବାରୁ ରାତିସାରା ବିଞ୍ଚଣା ବୁଲେଇ ଶୁଖାଏ। କିଏ ଅଛିଯେ ଆଉ ସୁବଳର ,ତାକଥା ବୁଝିବ। ଡାକ୍ତର ଖାନାକୁ ଭେଳା କରି ଏମିତି ଏକ ଜୁଆରିଆ ସମୟରେ ଆନ୍ଧ୍ରର କୋଉ ହସ୍ପିଟାଲ କୁ ବାପା ମାଆ ଦୁଇଜଣ ଗଲେ ଯେ ଆଉ ଫେରିଲେନାହିଁ। ରାତିରେ ସୁବଳ ଶୋଇପଡ଼ିଲା ପରେ ଆକାଶକୁ ଚାହିଁ, ଢେର କାନ୍ଦେ ଗୋପାଳ। ତାରା ମାନଙ୍କ ଭିତରେ କିଏ ତା ବାପା ମାଆ ତାକୁ ଜଣା ନଥାଏ। ଭାଇଟା ଭଲ କରି ଦି ଅକ୍ଷର ପଢ଼ିଗଲେ, କାଳେ କହିପାରିବ ଭାବି ଗାଇ ଚରାଇବା ସହିତ ସୁବଳ କୁ ନଈରେ ବନ୍ଧା ଭେଲାରେ ଛାଡେ, ସେପଟ ଯାଏଁ ଭାଈ ପହଁଚିଲା କି ନାହିଁ ଆଖି ପାଏନାହିଁ, ତ ଚାହିଁଥାଏ ସଞ୍ଜ ପୁର୍ବରୁ ତା ଭାଇର ଫେରିବା ବାଟକୁ।
ସେଦିନ ସେମିତି ଚାହିଁଥାଏ କଣ ଗୋଟେ ମେସିନ ପରି ବିରାଟ ଉଡାଜାହାଜ ପରି ବିକଟାଳ ଶବ୍ଦ କରି ସେହି, ଜୁଆରିଆ ନଈ ରେ ଖସି ପାଣି ଗୁଡା ଦି ପୁରୁଷ ଉଚ୍ଚ କୁ ଉଠିଗଲା। ସେ ଓଦା ହେଲା ସମ୍ପୂର୍ଣ୍ଣ, ବେଳେ ବେଳେ ଆକାଶରେ ଉଡୁଥିବା ଏମିତି ଯନ୍ତ୍ର, ଯାହାକୁ ଏରୋପ୍ଲେନ କି ହେଲିକପ୍ଟର ବୋଲି ସୁବଳ ବହିରୁ ଚିତ୍ର ଦେଖାଇ କିଛି କିଛି ବୁଝାଇ କହେ, ଆଉ, ଗାଁର କେତେ ଲୋକ ଦଉଡ଼ି ଆସନ୍ତି ଦେଖି ଖୁସିହୁଅନ୍ତି ଆକାଶକୁ ଦେଖି, ହାତ ହଲାନ୍ତି, ଗାମୁଛା ଦେଖାନ୍ତି, ସେ କିନ୍ତୁ ତଳକୁ ଖସେ ନାହିଁ, ଆଜି କାହିଁକି ଖସିଲା ଭାବୁ ଭାବୁ ମୋ ସୁବଳ ସୁବଳ କହି ଧାଇଁ ଗଲା। ନଈରେ ବନ୍ଧା ଭେଳାଟି ଛିନ୍ ଛତ୍ର ହୋଇସାରିଥାଏ। ମୋ ସୁବଳ ସୁବଳରେ କହୁ କହୁ ସୁବଳକୁ ସିନା ପାଇଲା ନାହିଁ, ସୁବଳ କହୁଥିବା ସୈନିକ ବା ପାଇଲଟ ପରି ପୋଷାକ ପିନ୍ଧି ଗୋଟେ ଲୋକ ଭାସୁଥିଲା। ସୁବଳକୁ ବେଳେ ବେଳେ ଅଧାବାଟ ଯାଏଁ ,ଭେଲାକୁ ଟପି ଯାଇ, ତାକୁ ଭିଡ଼ି ଆଣିଲା ପରି ,ଭିଡିଲା ମଣିଷଟାକୁ, ଅଧାମରା ମଣିଷଟାକୁ କୂଳକୁ ଆଣି, କାନ୍ଦି କାନ୍ଦି ଯେତେ ସୁବଳ ସୁବଳ ଚିତ୍କାର କଲେ ବି ଉତ୍ତର ନଥିଲା। ବରଂ ଅନ୍ଧାର ମାଡ଼ି ଆସୁଥିଲା। ଗାଇ ଗୋରୁ, ଛେଳି ମେଣ୍ଢାଙ୍କୁ ବାଘ୍ ଘୋଷାଡି ନେବାର ଭୟ ଥିଲା, ତ ସେମାନଙ୍କୁ ଅଡେଇ, ନେଉ ନେଉ ଲୋକଟା ଉଠିବାକୁ ଚେଷ୍ଟା କରି ଉଠିପାରୁନଥଲା। ବିବେକ ଆଉ ମଣିଷପଣିଆ ତାକୁ କଷ୍ଟ ଦେଲା। ଭାଈ ବଦଳେ ଲୋକଟାକୁ କାନ୍ଧେଇ ,ଗାଈଗୋରୁ ଅଡେଇ ,ଗାଁରେ ପହଞ୍ଚିଲା। ଗାଁ ଲୋକ ସବୁ ଗିରିଜନ ହେଲେ ବି ଦଳେ ସୁବଳକୁ ଖୋଜିବାକୁ ହାତ ହତିଆର ଧରି ଜଙ୍ଗଲ ଜନ୍ତୁଙ୍କ ଭୟ କାଟି ଗଲେ ଖୋଜି ,ଅନୁସନ୍ଧାନ କରିବାକୁ।ତ ଦଳେ ପୁରୁଖା ଲୋକ ଜଡ଼ିବୁଟି ଔଷଧରେ ଉପଚାର କଲେ ପାଇଲଟଙ୍କର। ନା ମିଳିଲା ସୁବଳ , ସୁବଳ ସ୍କୁଲରୁ ଫେରିଥିବା ଶୁଣି ଗୋପାଳର ଛାତି ଥରା କାନ୍ଦରେ ବଣମୂଳକ କାନ୍ଦୁଥିଲା, ଆଉ ଆସ୍ତେ ଆସ୍ତେ ଭଲ ହେଉଥିଲା ପାଇଲଟ।
ସବୁ ଶୁଣି ଗୋପାଳର କାନ୍ଧରେ ହାତ ରଖିଲା ପାଇଲଟ। ଏଠାରେ ନା ଟିଭି ନା ଖବର କାଗଜ କିଛିବି ନଥିଲା, ଗୋପାଳ କୋରାପୁଟରେ ଥିବା "ହାଲ "କୁ ତିନିରାତି ଚାଲି ଚାଲି ନେଇଯାଇଥିଲା ପାଇଲଟ ଭାଇଙ୍କୁ। ସବୁ ସୁବିଧା ସୁଯୋଗ ପାଇ ସେ ଓ ତା ହେଲିକପ୍ଟର ହାଇଯାକ ନୁହେଁ ବରଂ ଦୁର୍ଘଟଣାର ଶୀକାର ହେବାସହ ସରକାରଙ୍କ ସହଯୋଗ ରେ ସେହି ଅଞ୍ଚଳରେ ପ୍ରଥମେ ଡାକ୍ତରଖାନା ଓ ସ୍କୁଲ୍ ଖୋଲା ହେବା ସହ ହେଲିକେପ୍ଟର ଉଦ୍ଧାର କାର୍ଯ୍ୟରେ ମଧ୍ୟ ଗାଁ ଲୋକଙ୍କ ସହାୟତା ଫଳରେ କାମ ସୁରୁଖୁରୁରେ ସରିଲା ସତ, ହେଲେ ପଚି ସଢ଼ି ଯାଇଥିବା ସୁବଳର ଶବକୁ ସାଉଁଟି କି ଅଧର୍ଯ୍ୟ କାନ୍ଦ କାନ୍ଦୁଥିଲା ଗୋପାଳ। ପାଇଲଟ ପୁଅ ଆଲୋକ ସହ ଗୋପାଳ କୁ ପାଇ ମାଆ ବାପା ଭାଈ ଭଉଣୀ ଯେମିତି ଖୁସି। ସରକାରୀ ସୁବିଧା ସୁଯୋଗ ପାଇ ଗାଁ ଲୋକ ଖୁସି ଆଉ ସୁବଳର ପ୍ରତିମୂର୍ତ୍ତି ଉଦ୍ଘାଟନ ଦିନ ଆଲୋକଙ୍କ ପାରିବାର ସହ ଗୋପାଳ ଗାଁକୁ ଯାଇ ଭାଇର ପ୍ରତିମୂର୍ତ୍ତିକୁ କୁଣ୍ଢେଇ ମନଇଚ୍ଛା ଗପି ଚାଲିଥିଲା।
