Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nityananda Nandi

Classics Inspirational

4.4  

Nityananda Nandi

Classics Inspirational

କମୋଡ

କମୋଡ

5 mins
369



ସମୟ ଭାରି ଅବୁଝା.., ନା ବୁଝେଇ ହୁଏ, ନା ବୁଝି ହୁଏ। 

ସବୁ ନିର୍ଭର କରେ ତା ମନ ଉପରେ। ମନ ହେଲେ ହାତ ଧରି ରାସ୍ତା ଦେଖେଇ ଦିଏ । ରାତି ହେଲେ ପାଖରେ ଆସି ଶୋଇଯାଏ। ନିଦ ଭାଙ୍ଗିଲେ କିନ୍ତୁ ନିସ୍ତବ୍ଧତା ଗଡୁଥାଏ ବିଛଣାରେ। ସମୟ ଗାଏବ। ଛାଡି ଚାଲି ଯାଇଛି ଆଉ କାହା ପାଖକୁ....।


ଠିକ୍ ସେମିତି, ସମୟ ଲୁଚକାଳି ଖେଳୁଛି ସୁବ୍ରତ ଅଧିକାରୀଙ୍କ ସାଥିରେ। ସୁବ୍ରତ ଅଧିକାରୀ, ଅବସରପ୍ରାପ୍ତ ଶିକ୍ଷକ। ବିବାହ ପରେ ପୁଷ୍ପାଙ୍କ ସ୍ବପ୍ନସବୁ ଧୂଳିସାତ ହେବାର ଯନ୍ତ୍ରଣାକୁ ଦେଖିଛନ୍ତି ସେ ଅତି ପାଖରୁ। 


ପୁଅ ହେଲେ ତା ନାଁ ଅନୁଭବ ରଖିବା, ଝିଅ ହେଲେ ଅନୁଭା। ବିବାହ ପରେ ପ୍ରଥମ ରାତିର ରିଜଲିଉସନ୍। ସ୍ୱପ୍ନର ମିଛ ଅରଣ୍ୟ, ନିଆଁରେ ଝଲସି ଗଲା। ପାଉଁଶ ଗଦା ଭିତରେ ଗଡୁଥିଲେ ସ୍ମୃତିର ଶବ ସବୁ..କିଛି ସ୍ମୃତି ଅଳ୍ପକେ ବର୍ତ୍ତିଗଲେ। ନା ପୁଅ ହେଲା, ନା ଝିଅ। ମରୁଭୂମି ପାଲଟିଗଲା ଜୀବନଟା, ଚାରି ଦିଗରେ ଖାଲି ଉତ୍ତପ୍ତ ବାଲିର ବିଭୀଷିକା..

 

ଭୋର ଚାରିଟାରୁ ନିଦ ଭାଙ୍ଗିଗଲା ପରେ ଆଉ ନିଦ ହୁଏନି। କଣ କରିବେ କିଛି ବୁଝି ପାରୁ ନ ଥିଲେ। ଘାଇଲା ହେଉଥିଲେ ସେ ନିସ୍ତବ୍ଧତାର ତୀକ୍ଷ୍ଣ ଧାରରେ। ସବୁ ଶୂନ୍ୟ ଲାଗୁଥିଲା। ପୁଷ୍ପାଞ୍ଜଳିଙ୍କ ମଥା ଆଉଁସି ଦେଲେ ସୁବ୍ରତ ବାବୁ। ପରାଜୟର ଗ୍ଲାନି ବିଛେଇ ଯାଇଛି ସାରା ମୁହଁ ଉପରେ। ଅସଫଳତାର ଗୋଟାଏ ଲମ୍ବା ଉପନ୍ୟାସ, ଆଖି ଆଗରେ ନାଚି ଉଠୁଥିଲା ବିଗତ ବର୍ଷର ଘଟଣା ସବୁ ଛୋଟ ଛୋଟ ଗପ ପରି ।


ବିବାହର ପନ୍ଦର ବର୍ଷ ପରେ। ହଠାତ ଦିନେ ମଧ୍ୟାହ୍ନ ଭୋଜନ ସମୟରେ ମୁଁ ଘରକୁ ଆସିଲି, ସାଧାରଣତଃ ମୁଁ ଘରକୁ ଏମିତି କେବେ ଆସେନି। ପୁଷ୍ପାଙ୍କ ନିଦ ଭାଙ୍ଗି ଯିବ ଭାବି ବାହାରୁ ଚାବି ଖୋଲି ମୁଁ ଭିତରକୁ ପଶି ଆସିଲି। ପଡୋଶୀ ଘର କୁନି ଝିଅ ଲିଜାର ମୁହଁରେ ମୁହଁ ଯୋଡ଼ି ଶୋଇଛନ୍ତି ପୁଷ୍ପା। ମାଆ ହେବାର ପ୍ରବଳ ଇଚ୍ଛା ଭୂକମ୍ପ ଆଣେ ନାରୀର ମନ ଭିତରେ। ମାତୃତ୍ଵ ଏକ ସ୍ୱର୍ଗୀୟ ଅଭିଳାଷା, ମାଆ ପାଖରେ ସନ୍ତାନର କିଛି ବିକଳ୍ପ ନାହିଁ ।


ସ୍ନେହଭରା ମୁହୂର୍ତ୍ତର ବାସ୍ନା ସାମ୍ରାଜ୍ୟ ବିସ୍ତାରି ଥିଲା କୋଠରୀ ଭିତରେ। ନିଦରୁ ଉଠେଇବା ପାଇଁ ଇଚ୍ଛା ହେଲା ନାହିଁ। ଫେରିଗଲି ସ୍କୁଲକୁ। ଆଜି ପର୍ଯ୍ୟନ୍ତ କଥାଟି ପୁଷ୍ପାଙ୍କୁ କହିନାହିଁ, ମନେ ପଡିଗଲେ ହୁଏତ ସେ ପୁଣି ଥରେ ଭାଙ୍ଗି ପଡ଼ିବେ। ଉପହାସ କରିବ କ୍ରୁର ଅତୀତଟା। ନିସନ୍ତାନ ହେବାର ଯନ୍ତ୍ରଣା ଜାଗି ଉଠିବ ଆଉଥରେ ।


ସେଦିନ ମୁହଁକୁ ମୁହଁ ଯୋଡ଼ି ଶୋଇଥିବା କୁନି ଝିଅ ଲିଜା ପାଖରୁ ଆରମ୍ଭ କରି ଆଜି ବାହା ବେଦିରେ ବସିଥିବା ଲିଜା ଭିତରେ ଅନେକ ଘଟଣା ଘଟିଯାଇଛି ଆମ ଜୀବନରେ। ପଡୋଶୀଙ୍କ ସହ ତିକ୍ତତା, ଫଳ ସ୍ୱରୂପ ଆମକୁ ସେମାନେ ବାହାଘରକୁ ଡାକି ନ ଥିଲେ। ବିଦାୟ ବେଳାର କାନ୍ଦ ବୋବାଳି ଶୁଣି ପାଚେରୀ ଫାଙ୍କ ଦେଇ ଲିଜାକୁ ଦେଖୁ ଥିଲେ ପୁଷ୍ପା। ମୁଁ ଦୂରରୁ ଦେଖୁଥାଏ, ଧଙ୍କି ଧଙ୍କି କାନ୍ଦୁଥିଲେ ସେ। ନାରୀ ଖାଲି ନିଜ ସନ୍ତାନର ମା ନୁହେଁ, ସୀମାହୀନ ଆକାଶର ଅସ୍ତିତ୍ବ ନାରୀ ଭିତରେ । ହୃଦୟଟା ଆକାଶ 

ପରି ବିଶାଳ ଓ ସର୍ବବ୍ୟାପୀ। ପୃଥିବୀର ସବୁ ସନ୍ତାନ ପାଇଁ ଜାଗା ଥାଏ ନାରୀର ସେଇ ହୃଦୟ ଭିତରେ। 

ସନ୍ତାନକୁ ଜନ୍ମ ନ ଦେଇ ବି ମାଆ ବନି ହୁଏ। ମାଆ, ମାତୃତ୍ଵ ଜୀବନରେ ଗୋଟାଏ ଗୋଟାଏ ଅନ୍ତରଙ୍ଗ ଅନୁଭବ। ମଝିରେ ବିଶାଳ ପାଚେରୀ ଥାଇ ବି ସେଦିନ, ପୁଷ୍ପାଙ୍କ ହୃଦୟରେ ବିଶାଳ ଗୋଟାଏ ଶୂନ୍ୟତା ସୃଷ୍ଟି କରୁଥିଲା ଲିଜା। ଲିଜାର ଶାଶୁ ଘରକୁ ଚାଲିଯିବାଟା ଅପୂରଣୀୟ କ୍ଷତି, ପୁଷ୍ପାଙ୍କ ପାଇଁ। 

କାନ୍ଦିଲେ ହୁଏତ ମନଟା ହାଲୁକା ହୋଇଯାଏ, ସେଇଥି ପାଇଁ ମୁଁ ଦୂରେଇ ଗଲି, ସେ କାନ୍ଦୁଥିବାର ମୁଁ ଦେଖିଛି ବୋଲି ତାଙ୍କୁ ଜାଣିବାକୁ ଦେଲି ନାହିଁ।


ଥରେ ଏମିତି ବାରଣ୍ଡାରେ ବସି ଚା ପିଉ ଥିଲୁ। ଗାଆଁ ଝିଅର ବାହାଘର ପ୍ରୋସେସନ୍ ଆମ ଘର ଆଗରେ ଅଟକିଲା। ଧୁମ୍ ଧାମ ନାଚ ହେଲା ପାଞ୍ଚ ଦଶ ମିନିଟ ପାଇଁ । ପୁଷ୍ପା ମୋତେ ପଚାରିଲେ, ଆମର ଝିଅଟିଏ ଥିଲେ ଏମିତି ଧୁମ୍ ଧାମ ରେ ବାହାଘର ହୋଇଥାନ୍ତା ନା, ଆଖିରୁ ଦୁଇ ଧାର ହୋଇ ଲୁହ ବୋହି ଆସିଲା, କାରାରୁଦ୍ଧ ମାତୃତ୍ଵ ର ବିଳାପରେ ପୃଥିବୀର ସବୁ ଦୁଃଖ ଲୁହ ହୋଇ ବହିଯାଏ। ଦୁଇଭାଗ ହୋଇଯାଏ ପୃଥିବୀଟା।


ବୟସ କଣ କାହାକୁ ଅପେକ୍ଷା କରେ ... ତା ପରେ ଆମେ ପ୍ରାୟ ସବୁ କଥା ଭୁଲିଗଲୁ। ଆମ ପୃଥିବୀ ମାନେ ପୁଷ୍ପା ଓ ମୁଁ। ସବୁକିଛି ବଦଳି ଗଲା ଆମ ଜୀବନରେ। ସେ ମୋ ପାଇଁ ବ୍ୟଥିତ ହେଲେ, ମୁଁ ତାଙ୍କ ପାଇଁ। ବୁଝିଲୁ ସ୍ବାମୀ ସ୍ତ୍ରୀ ପଇସାର ଦୁଇ ପାର୍ଶ୍ଵ ପରି। ଜନ୍ମ ଜନ୍ମ ପର୍ଯ୍ୟନ୍ତ ଖାଲି ସମ୍ପର୍କ ର ଗଳ୍ପ ନୁହେଁ, ନିଛକ ସତ ଉପନ୍ୟାସର ପ୍ରତିଟି ପୃଷ୍ଠାରେ ସ୍ଵାମୀ ସ୍ତ୍ରୀ ଦୁଇଟି ସ୍ୱର୍ଗୀୟ ଚରିତ୍ର। ଆଉ ସବୁ ଚରିତ୍ର ମିଛ ଲାଗେ ଏଇ ଗଳ୍ପରେ। ମୁଁ ସ୍ୱପ୍ନରେ କେବଳ ପୁଷ୍ପାଙ୍କୁ ଦେଖିଲି। ଜୀବନରେ ସ୍ୱଳ୍ପ ସମୟ ପର୍ଯ୍ୟନ୍ତ ଛୁଆ ପିଲାଙ୍କ ଆବଶ୍ୟକତା ଥାଏ ବୋଲି ଅନୁଭବ କଲୁ।

 

ପର ହେଲେ ବାଇ ଚଢେଇ ବି ମା ବସା ଛାଡି ଚାଲିଯାଏ। 


କେତେ ପରିପୂରକ ଆମେ ଦୁଇ ଜଣ। ପ୍ରାୟ ପାଞ୍ଚ ବର୍ଷ ହେଲାଣି, ପୁଷ୍ପା ଆଉ ପୁଅ ଝିଅ କଥା ହୁଅନ୍ତି ନାହିଁ। ସବୁବେଳେ ଚିନ୍ତା ମୁଁ ଖାଇଲି କି ନାହିଁ, ମୋ ଦେହ କେମିତି ଅଛି। କଖାରୁ ଫୁଲ, ସଜନା ଛୁଇଁ ରେ ମୋର ଦୁର୍ବଳତା ଥାଏ ବୋଲି ସବୁ ଦିନ ମୋ ପାଇଁ କିଛି ନା କିଛି ନୂଆ ବନାନ୍ତି,ଏଇ ପରିଣତ ବୟସରେ। ଛାଇ ପରି ପାଖେ ପାଖେ ଘୁରି ବୁଲନ୍ତି ପୁଷ୍ପା। ହାଲୁକା ନିଦରେ ଶୋଇଥିଲେ ମୋ ମୁଣ୍ଡରୁ ଧଳା ଚୁଟି ଛାଟନ୍ତି ସେ। ମୁଁ କୋଳେଇ ନିଏ ପୁଷ୍ପାଙ୍କୁ। ଲାଜେଇ ଯାଇ କହନ୍ତି, ବୟସକୁ ଦେଖ। ମୁଁ ହସି ଦିଏ, ତଳକୁ ମୁହଁ ମାଡି ଶୋଇଯାଏ। ବୟସ ଯେତେ ବଢ଼ି ଚାଲିଲା, ସେତେ ଖୋଜିଲୁ ଆମେ ଉଭୟେ ଉଭୟଙ୍କୁ। ସ୍ୱପ୍ନର ରଙ୍ଗ ବଦଳିଯାଏ ବୟସର ଅପରାହ୍ନରେ..ଏଇ ସମ୍ପର୍କର କିଛି ବିକଳ୍ପ ନାହିଁ। ସବୁ ସ୍ବପ୍ନ ସତ ପରି ଲାଗେ ଜୀବନର ଏଇ ଘଡିସନ୍ଧି ମୁହୂର୍ତ୍ତରେ ।


ଥରେ ପଚାରିଲି, ପୁଷ୍ପା ! ଛୁଆ ପିଲାଙ୍କ ଅଭାବ ଏବେ ବି ତମେ ଅନୁଭବ କରୁଛ ! ଆଗପରି ସେ ଭାବପ୍ରବଣ ନ ହୋଇ କହିଲେ ତମେ ଅଛ ନା। ଜୀବନରେ ପ୍ରଥମ ଥର ପାଇଁ ଆଖି ଭିତରେ ମେଞ୍ଚାଏ ଲୁହ ଭରି ଆସିବା ଆଗରୁ ମୁଁ ନିଜକୁ ନିୟନ୍ତ୍ରଣ କରି ନେଲି।


ସାଢେ ପାଞ୍ଚଟା, ପୁଷ୍ପା ଉଠି ପଚାରିଲେ, ତମେ କଣ ରାତି ସାରା ଶୋଇ ନାହଁ। ସୁବ୍ରତ ସାର୍ ହସି ଦେଲେ। କହିଲେ ପୁଷ୍ପା ! ତମ ମୁହଁରେ କିଏ କଳା ବୋଳି ଦେଇଛି ? ପୁଷ୍ପା କାଠ ଆଲମିରାରେ ଲାଗିଥିବା ଦର୍ପଣ ଆଗକୁ ଧାଇଁ ଯାଇ ଦେଖିଲେ, ନା ତ କିଛି ଲାଗିନି। ଫେ କରି ହସିଲେ ସୁବ୍ରତ ବାବୁ। ପୁଷ୍ପା କୋଳେଇ ନେଲେ ସୁବ୍ରତଙ୍କୁ । ଉଷ୍ମ ଚୁମ୍ବନଟିଏ ଆଙ୍କିଦେଲେ ତାଙ୍କ କପାଳରେ। ଚାଲ ଚା ପିଇବା କହି ବାରଣ୍ଡାରେ ଯାଇ ବସିଲେ ସୁବ୍ରତ ବାବୁ।


ଶରତ ସକାଳ, ସୁଦୂର ଆକାଶରୁ ତାଙ୍କ ବାରଣ୍ଡା ପର୍ଯ୍ୟନ୍ତ ସୂର୍ଯ୍ୟ କିରଣ ଆସି କେତେବେଳେଠୁ ପହଞ୍ଚିଲାଣି, ସୁବ୍ରତ ବାବୁ ଜାଣି ନ ଥିଲେ।

ପୁଷ୍ପାଞ୍ଜଳି ଚା ଧରି ଆସିଲେ ବାରଣ୍ଡାକୁ। ଚା ପିଇଲେ ଦୁହେଁ ମିଶି।   

ଆଛା ଗୋଟାଏ କଥା ପଚାରିବି, ପଚାରିବି ବୋଲି ଅନେକ ଦିନରୁ ଭାବୁଛି..

ହଁ ପଚାର, ସୁବ୍ରତ ବାବୁ କହିଲେ ପୁଷ୍ପାଙ୍କୁ।

ନୂଆ ବାଥରୁମ, କମୋଡ ପାଇଖାନା। ପୁଣି ଚାବି ଦେଇ ରଖିଛ, କାହିଁକି ??

ହଁ, ମୁଁ ଯଦି ଆଗେ ମରିଯାଏ ! ଆଉ ତମର ଆଣ୍ଠୁ ଗଣ୍ଠି ଯଦି କାମ ନ କରେ, ତମ ପାଇଁ କମୋଡ ବସେଇଛି ପୁଷ୍ପା ! ତମେ ବ୍ୟବହାର କରିବ ମୁଁ ଯିବାପରେ ! ଏତିକି କହି ସୁବ୍ରତ ବାବୁ ଉଠିଗଲେ। ପଛେ ପଛେ ପୁଷ୍ପା ଉଠିଗଲେ, ଲୁଚି ଲୁଚି ଦେଖିଲେ ସୁବ୍ରତଙ୍କୁ, ଆଖି ଦଳୁଛନ୍ତି ସେ କାନ୍ଥ ପାଖରେ ଛିଡ଼ା ହୋଇକି। 

ଶୁଣ ଗୋଟେ ହସ କଥା !!

ପୁଅ, ଝିଅ, ବହୁ ନ ଥିଲେ ବି କିଛି ଅଟକିବନି, ଅନେକ ସମୟରେ ସେମାନେ ଥାଇ ମଧ୍ୟ ନ ଥିଲା ପରି ଲାଗେ। ଆମ ଗାଆଁ ମୁଣ୍ଡରେ ରହୁଥିବା ଲକ୍ଷ୍ମୀକୁ କହିଛି, ମୁଁ ମରିଯିବା ପରେ ତୋ ସାରଙ୍କ କଥା ବୁଝିବୁ। ହଁ କହିଛି। 

ମନେ ଅଛି ! ଷଷ୍ଠ ଶ୍ରେଣୀରେ ତମେ ତାକୁ ପଢ଼ାଉଥିଲ। ଭାରି ସୁନ୍ଦରୀ ଥିଲା, ମଜାରେ ମଜାରେ କହୁଥିଲ ନା... ମୋର ପୁଅ ଥିଲେ ତାକୁ ବହୁ କରି ନେଇ ଆସି ଥାଆନ୍ତି ଆମ ଘରକୁ। ତା ବର ତାକୁ ପଇସା ପତ୍ର ଦିଏନି, ଭାରି ଅଭାବରେ ଚଳୁଛି। ସବୁଦିନ ଆସି ତମ ପାଇଁ ରୋଷେଇ କରିଦେଇ ଯିବ, ମୁଁ ଯଦି ଆଗେ ମରିଯାଏ। କିଛି ନେବନି ସେ ଆମ ଘରୁ, ତଥାପି ନିଜ ଝିଅ ଭାବି ପର୍ବ ପର୍ବାଣୀରେ ଗୋଟାଏ ଗୋଟାଏ ଶାଢ଼ୀ ଦେବ, ବାସ୍। 


ସୁବ୍ରତ ବାବୁଙ୍କୁ ହସେଇ ବାକୁ ଯାଇ ନିଜେ କାନ୍ଦି ପକେଇଲେ ପୁଷ୍ପା। ସୁବ୍ରତ ବାବୁ କୋଳେଇ ନେଲେ ପୁଷ୍ପାଙ୍କୁ। ଦୁଇ ଟୋପା ଆନନ୍ଦାଶ୍ରୁ ତାଙ୍କ ଆଖିରେ ଛଳ ଛଳ ହୋଇ ଉଠୁଥାଏ ।

ପୁଷ୍ପା ! କାଲିଠୁ ତମେ କମୋଡ଼ ବ୍ୟବହାର କର, କହୁଥିଲ ନା ଆଜିକାଲି ସଂଜ ହେଲେ ଆଣ୍ଠୁ ଧରୁଛି। ପୁଷ୍ପା ଜାବୁଡ଼ି ଧରିଥିଲେ ସୁବ୍ରତ ସାର୍ ଙ୍କୁ...କାନ ପାଖରେ କହିଲେ ଚାଲ, ଲକ୍ଷ୍ମୀକୁ ଏବେଠୁ ରଖିନେବା, ଭାରି ଖୁସି ହେବ। ହସି ଦେଇ ସୁବ୍ରତ ବାବୁ କହିଲେ, ଠିକ୍ ଅଛି, କାଲିଠୁ ଆସିବାକୁ କୁହ....।


Rate this content
Log in

Similar oriya story from Classics