Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ଆରବର ହସ
ଆରବର ହସ
★★★★★

© ସତ୍ୟବତୀ ସ୍ୱାଇଁ

Romance Others

6 Minutes   68    0


Content Ranking

ଅନେକ ଦିନ ବୋଧେ ଦୀର୍ଘ ପଚିଶି ବର୍ଷ ବିଶ୍ରାମ ହୀନ ଭାବେ ଦୌଡ଼ିଲା ପରେ 'ଆରବ' ଆରୁ ନିଜକୁ ଦେଖୁଥିଲା ଦର୍ପଣ ଆଗେ । ଡ୍ରେସିଂ ଟେବୁଲ ଦର୍ପଣରେ ମୁଣ୍ଡଠୁ ଗୋଡ ପର୍ଯ୍ୟନ୍ତ ପରିଷ୍କାର ଦିଶୁଥିଲା ତାକୁ । ନିରୀକ୍ଷଣ କଲା ମୁହଁକୁ । ଦାଢ଼ି କଳା ଧଳା ମିଶ୍ରଣ ବିଲେଇ ଦେହ ପରି ଦିଶୁଛି । ନିଶ ଠାରୁ ଗାଲ ତଳ ଯାଏ ଆଉଁଷି ଦେଲା ଟିକେ ଦାଢ଼ିଟା । ଟିକେ ଟିକେ ଗଜୁରିଲା ପରି ଦାଢ଼ି ସେ ସବୁ ବେଳେ ରଖେ । ବେଶ ମାନେ ତା ହଳଦିଆ ଗୋରା ମୁହଁକୁ ଟିକେ ଟିକେ ଦାଢ଼ି । କଲା ଛନ୍ନ ଛନ୍ନ ଦାଢ଼ି ଭିତରେ ଆଗେ ଆରବ ଖୁବ୍ ଆକର୍ଷଣୀୟ ଲାଗୁଥିଲା । ବିଶେଷ କରି ଇଂଜିନିୟରିଂ କଲେଜ ଝିଅ ଗୁଡା ଭାରି ଡାହାଣୀ । ଲୋଭେଇ ଯାଉଥିଲେ ଆରବ ଦାଢ଼ି ଓ ମୁହଁକୁ । କେହି କେହି କହୁଥିଲେ ବାଃ ଆରବ ଶିବାଜୀ ପରି ଦାଢ଼ି ତୁମ ମୁହଁକୁ କି ଚମତ୍କାର ମାନୁଛି । ଇଚ୍ଛା ହେଉଛି ସାଉଁଳେଇବା ପାଇଁ ।

 ଫିକକ୍ କିନା ହସି ଦେଉଥିଲା ଲାଜରା ହୋଇ ଆରବ । ସେଇ ଉଣେଇଶି କୋଡିଏ ବର୍ଷ ବୟସରେ ନିଜ ସୁନ୍ଦରତାର ପ୍ରଶସ୍ତି ଗାନ ଅନ୍ୟ କେହି ନୁହେଁ ସେ ପୁଣି ଝିଅମାନଙ୍କ ମୁହଁରୁ ଶୁଣିବା କେଇଟା ଟୋକାଙ୍କ ଭାଗ୍ୟରେ ବା ମିଳେ ! ଆଉ ଯାହାକୁ ମିଳେ ସେ ଯେ ନିଶ୍ଚେ ଅମିତ ଭାଗ୍ୟଶାଳୀ କହିବା ବାହୁଲ୍ୟ ମାତ୍ର । ଭିତରେ କୁତୁକୁତିଆ ଭାଵ ଏପରି ମନ୍ତବ୍ୟ ଶୁଣି ଲାଗୁଥିଲା ବେଳେ ଉପରେ ଲାଜ ମିଶା ହସରେ ଜୁଡୁ ବୁଡୁ ହୋଇଯାଉଥିଲା ଆରବ । କେହି କେହି ସିନିୟର ଝିଅ ପିଲା ଆରବ ଗାଲ ଟିପି ଦେଇ କହୁଥିଲେ ଦେଖ୍ ଦେଖ୍ ଲାଜରେ କେମିତି ଲାଲ ପଡ଼ି ଯାଉଛି ସ୍କୁଲ ଛୁଆଟା । ସମସ୍ତେ ହୋ ହୋ ହୋଇ ହସୁଥିଲେ । ଆରବ ବି ସଭିଙ୍କ ମେଳରେ ହସି ପକାଉଥିଲା ।

 ହଷ୍ଟେଲରେ ଆସି ସବୁରି ଅଲକ୍ଷ୍ଯେ ଦେଖୁଥିଲା ନିଜକୁ ସତରେ କ’ଣ ସେ ସୁନ୍ଦର ! ବୋଧେ ହଁ । ନଚେତ ତା ଶ୍ରେଣୀ ପିଲା ତଥା ତଳ ଉପର ଝିଅ ପୁଅ ଉଭୟେ କୁହନ୍ତେ କି ହେ ହିରୋ । କି ମସ୍ତ ଚେହେରା ପାଇଛ ମ । ଝିଅ ଗୁଡା ପଛରେ ମହୁମାଛି ପରି ଗୋଡାଉଛନ୍ତି । କେବଳ ଚେହେରା ନୁହେଁ ମସ୍ତିଷ୍କ ବି ଢେର ଉର୍ବର ଥିଲା ତାର । ସେମିନାର, ପ୍ରଯୋକ୍ଟ, ଫଙ୍କସନ୍ ସବୁଠି ଚାହିଦା ଥିଲା ତାର । ସେଇ ବୟସରେ ପ୍ରାୟତଃ ନିଠେଇ ନିଠେଇ ଦର୍ପଣ ଆଗେ ମୁହଁକୁ ଦେଖି ପର୍ଯ୍ୟାପ୍ତ ଖୁସି ଅନୁଭବ କରୁଥିଲା ସେ । ସମସ୍ତଙ୍କର ସେ ଲଭର ବଏ । ହିରୋ, ରୋମିୟ ।

ଇଂଜିନିୟରିଂ ସରିଗଲା । ବୁଦ୍ଦୁଟା ସାରା କଲେଜ ଝିଅ ତା ପଛେ ପଡିଥିଲା ବେଳେ ସେ ଜଣଙ୍କ ପଞ୍ଜୁରୀରେ ବି ଧରା ଦେଇ ନଥିଲା । ସେତେବେଳେ ତା ମୁଣ୍ଡରେ ବସା ବାନ୍ଧିଥିଲା ପଢ଼ିବା ଓ କିଛି ହେବା । ଭଲଫଲ ପାଇବା ତା ଦେଇ ହେବନି । ଫାଲତୁ କାମ ପାଇଁ ତାର ବେଳ କେଉଁଠି ଥିଲା ଯେ । ବାପା ଛେଉଣ୍ଡ ପୁଅଟା ନା । ବହୁତ କଷ୍ଟ କରି ବୋଉ ତାର ଇଂଜିନିୟରିଂ ପଢ଼ାଉଛି । ଗାଁ ଜମି ଜମା କେବଳ ସମ୍ବଳ । ତା ପଢା ପାଇଁ ରାସ୍ତା କଡ଼ ଜମିଟି ବିକି ଦେଇଛି ବୋଉ । ସେ ପଇସା ତକ ସରିଗଲେ ସେ ହତାଶ ହୋଇଯିବ । ଏଣୁ ଇଂଜିନିୟରିଂରେ ଗ୍ରାଜୁଏସନ ସରୁ ସରୁ ତାର ଚାକିରୀ ହୋଇଯିବାର ଅଛି । ନଚେତ ତା ତଳ ଭାଇ,ଭଉଣୀ,ବୋଉ ଓ ଜେଜେଙ୍କ ଆଶା ମାଟିରେ ମିଶିଯିବ । ନିଜକୁ ସଂଯତ୍ନ ନକଲେ ରାସ୍ତା ଭୁଲିଯିବାର ସମ୍ଭାବନା ଅଧିକ । ଆରବ ନିଜ ରାସ୍ତା ନିଜେ ତିଆରି କରି ଚାଲୁଥିଲା । ସବୁ ଖୁସିକୁ ପଛ କରି ସେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ଆଗ କରିଥିଲା ।

 ଏଇଥି ପାଇଁ ବୋଧେ ଝିଅମାନେ କୁହନ୍ତି ଆରବଟା ସିନା ମସ୍ତ ଚେହେରା ପାଇଛି; ହେଲେ ତା ଭିତରେ ହଟନେସ୍ ନାହିଁ । ମାଇଚିଆଟା । ଏ କଥାରେ ବି ଟିକେ ହସିଦିଏ ଆରବ । ଭଲ ହେଉ ବା ଭେଲ ଆରବ ହସିବା ଥୟ ମୂର୍କି ମୂର୍କି । କିନ୍ତୁ ନିଧି କୁହେ ତୁମେ ଜାଣିନ ଆରବ ତଳ ମୁହାଁ କାଙ୍କ । ଚୁପ୍ ସଇତାନ । ଟୋକାଟା ଭାଉଁ ଖାଉଛି । ନିଶା ସମସ୍ତଙ୍କ ଠାରୁ ଅଲଗା । ସେ ବିରୋଧ କରେ ପ୍ରତ୍ୟେକଙ୍କ ଟିପ୍ପଣୀକୁ । କୁହେ ଥାଉ ନା କାହିଁକି ହଇରାଣ କରୁଛ ପିଲାଟାକୁ ।

ଓହୋ ହୋ ହୋ ପିଲାଟା..ଭେଣ୍ଡିଆଟା । କାହା ପାଲରେ ପଡୁନି । ତୁ ତାକୁ ମନେ ମନେ ରସିଛୁ ବୋଧେ । ନଚେତ ତା ପଟିଆ ହୋଇ କଥା କୁହନ୍ତୁ କି । ନିଶାକୁ ଆକ୍ଷେପ କରି କୁହନ୍ତି ଆମ ସାଙ୍ଗ ମାନେ । ସତ କଥା ଏଇଆ ଯେ ସମସ୍ତଙ୍କ ପାଇଁ ହୃଦୟ ହଲଚଲ ହୁଏନି । ନିଜ ଅଜାଣତରେ ଗୋଟିଏ ନିର୍ଦ୍ଧିଷ୍ଟ ଝିଅ ପାଇଁ ମନ ତଳେ କିଛି କିଛି ହୁଏ । ଯାହାକୁ ଅହରହ ଦେଖିବାକୁ ଆଖି କୁହେ । ଯିଏ ପାଖେ ପାଖେ ରହୁ ବୋଲି ଦେହ ଇଚ୍ଛା କରେ । ଯାହାର କଥା ଶୁଣିବାକୁ କାନ ବ୍ୟସ୍ତ ହୋଇପଡେ । ଯାହାର ଅନୁପସ୍ଥିତି ବ୍ୟାକୁଳ ଭାଵ ସୃଷ୍ଟି କରେ । ଯାହାର କେଶ, ବାସ, ଦେହ ବାସ୍ନା ଆଘ୍ରାଣ କରିବାକୁ ନାକ ଅଥୟ ହୁଏ । ଯାହାର ଶୁଖିଲା ମୁହଁ ଦେଖି କଷ୍ଟ ଲାଗେ ଓ ତା କଷ୍ଟ ସବୁ ନିଜକୁ ମିଳୁ ବୋଲି ଈଶ୍ୱରଙ୍କୁ ପ୍ରାଥନା କରାଯାଏ । ସେଇ କ’ଣ ଆରବର ନିଶା ନାମୀ ଝିଅଟି !

ନିଶା ଗୋଟିଏ ଅପ୍ରକାଶ୍ୟ ନିଶା ଆରବ ଜୀବନର । କିନ୍ତୁ ସେ ନିଶାରେ ଚୁର ହୋଇନି ଆରବ । ଜଗିଛି ନିଜ ମନ, ହୃଦୟ, ଆତ୍ମା ଓ ବୟସର ପାଦ । ନିଶା ସବୁଦିନ ତା ମନ ତଳେ ରହି ଯାଇଛି ଘନିଷ୍ଠ ବାନ୍ଧବୀ ହୋଇ । କାରଣ ନିଶା ଜଣେ ମନ୍ତ୍ରୀଙ୍କ ଝିଅ । ଅଚଳା ଚଳ ସୁଖ ପାଚୁର୍ଯ୍ୟ ମଧ୍ୟର ସୁକୁମାରୀ ରାଜ କୁମାରୀ । ନିହାତି ଭଲ ଝିଅଟିଏ । ସବୁ ପୁରୁଷଙ୍କ ପ୍ରଥମ ପସନ୍ଦ । ଆରବର ବି । ଏକଥା ଆରବ ମନ ସିଂଧୁକ ଫରୁଆରୁ ବାହାରିନି କେବେ । ଡେଇଁନି ଏରୁଣ୍ଡି କି ଲଙ୍ଘିନି କେବେ କୁଳ ।

 ଘନିଷ୍ଠ ବାନ୍ଧବୀ ହେଉ ହେଉ ନିଶା ଖୁବ୍ ପାଖ ହୋଇ ଆସି ଅନେକ ସୂଚନା ଦେଇଛି ଆରବକୁ ତା ପ୍ରେମର । ବୁଝିକି ନ ବୁଝିଲା ପରି ଅଭିନୟ କରିଛି ଆରବ । ଏଇ ଅଭିନୟ କରିବା ଭାରି କଷ୍ଟ । ମନ ଚାହୁଁଥିବ ଆପଣାର କରିନେବାକୁ । ପରିସ୍ଥିତି ଅଟକାଉଥିବ । ଏହା ମଝିରେ ତ୍ରିଶଙ୍କୁ ଆରବ ଦୋହଲୁଥିଲା ପ୍ରତି କ୍ଷଣ ମରି ମରି । ତେବେ ବି ହସୁଥିଲା ଆରବ ନିଶା ପାଖେ ।

ନିଶା କହୁଥିଲା ହସ ତୁମ ବ୍ୟକ୍ତିତ୍ୱ କୁ ଆହୁରି ସୁନ୍ଦର କରେ ଆରବ । କେଜାଣି କିଏ ସେ ଭାଗ୍ୟବତୀ ତୁମ ପରି ଖାଣ୍ଟି ସୁନାକୁ ବେକର ମଙ୍ଗଳସୁତ୍ର କରିବ ଆଜୀବନ । ଆରବ ଏଡେଇ ଦେଇ କୁହେ ଚାକିରୀଟିଏ ଆଗ ହେଉ । ଭାଇ ଭଉଣୀ ଦିଟା ମଣିଷ ହୋଇଯାଅନ୍ତୁ । ତାପରେ ଖୋଜିବି ସେଇ ଭାଗ୍ୟବତୀ ବେକକୁ । ଏବେ ତ ପଢା ଓ ଚାକିରୀ ଖୋଜା ମୋ ପାଇଁ ନିତାନ୍ତ ଜରୁରୀ ।

ନିଶା ମୁହଁ ଶୁଖିଯାଏ । ଚାହୁଁଥିବା ଉତ୍ତର ନଶୁଣି । ହୁଏତ ଆରବ କହିଥାନ୍ତା ସେଇ ଭାଗ୍ୟବତୀ ବେକଟି ତୁମର ହେଲେ କେମିତି ହୁଅନ୍ତା ! ଆରବ ଏ କଥା ବୁଝେ,କିନ୍ତୁ ଅଭିନୟ କରେ ଓ ହସେ ଅନିଚ୍ଛାକୃତ ।

ନିଶା କୁହେ ତୁମେ ଏମିତି କେମିତି ହସିପାର ଆରବ ଭାରି ଭାରି କଥା, ଓଦା ହୃଦୟ ଥିଲେ ବି । ହସଟି କ’ଣ ତୁମ ଜନ୍ମଗତ ।

ଜନ୍ମଗତ ବୋଧେ । ଆରବ ପିଲା ଦିନେ ସବୁ ବେଳେ ହସୁଥାଏ । ବାପା କୁହନ୍ତି ମୋ କି ସୁନ୍ଦର ପୁଅ ମୁହଁକୁ ହସ କି ମାନୁଛି ! ସେ ହସ ଅବତାରୀ । ହସିବ ଜୀବନ ତମାମ । ହସେଇବ ଦୁନିଆଁ । ବୋଉ ଛେପ ମେନ୍ଦେ ମୋ ଉପରେ ପକାଇ କୁହେ"ଛି ଛି ସମସ୍ତେ ମୋ ପୁଅ ହସ ଉପରେ ଆଖି ପକାଉଛ ! ପିଲା ଦିନେ ହସୁଥିଲି କୌଣସି କାରଣ ନ ଥାଇ । କିଛି ପାଇବା ଅପେକ୍ଷା ନ ରଖି ।

ସମସ୍ତଙ୍କ ପିଲା ଦିନ ଏପରି । ଶାଶ୍ୱତ,ନିର୍ମଳ । ଅମୃତ ଝରେ ପିଲା ହସରେ । ପାଇବା ଲାଳାସା,ହଜାଇବା ଦୁଃଖ,ନ ହେବା ଆତ୍ମଗ୍ଳାନି ନ ଥାଏ ସେ ନିଷ୍ପାପ ବୟସରେ । ହୁଗୁଳା ଖସି ପଟୁଥିବା ପେଣ୍ଟ୍ ଟେକି ଗାଁ ଦାଣ୍ଡେ ଟାୟାର ଗଡେଇବାର ସ୍ବର୍ଗୀୟ ସୁଖ,ବୋହି ପଡୁଥିବା ସିଙ୍ଘାଣି ଜିଭରେ ଚାଟି ଦେବାର ଲୁଣିଆ ସ୍ୱାଦ,ହାତରେ ପୋଛି ଆଣି ସିଙ୍ଘାଣି ପେଣ୍ଟ୍ ସାର୍ଟ,ଦେହରେ ବୋଲି ହେବାର ଶିଶୁ ସୁଲଭ ଚପଳତା, ମିଳୁନି କେବେ ବି ଏସି ଘର,ଅଫିସ୍ ବା ଗାଡି ଭିତରେ ।

ବାପାଙ୍କ ହୃଦଘାତ ଅକାଳ ବିୟୋଗ ଅନେଶୋତ ମହବାତ୍ୟା ପରି ଭାଙ୍ଗି ଦେଇଥିଲା ଆରବ ଘର । ବୟସ ସାତ ତାକୁ । ସଂସାର, ମରଣ ବୁଝିବା ବୟସ ନୁହେଁ । କିନ୍ତୁ ବୁଝି ପାରୁଥିଲା ତା ବୋଉର ଖାଲି ହାତ ଓ ଖାଲି ମଥାର କାରଣ ତା ବାପାଙ୍କ ଅନୁପସ୍ଥିତି, ଆବର୍ତ୍ତମାନ । ସେବେଠୁ ବୋଉ ଜାକିଛି ଆରବକୁ ଛାତିରେ । ବୋଉ ମୟ ଆରବ । ସେଇ ପାଇଁ ତ ପଢ଼ାସରୁ ସରୁ ହାଇଦ୍ରାବାଦ ଅର୍ଥ ବିଭାଗରେ କମ୍ପିଟେଟିଭ ଚାକିରିଟିଏ ପାଉ ପାଉ ବୋଉ ବାହା କରିଦେଲା ତା ପସନ୍ଦର ଝିଅ 'ସୁଜି' ସାଙ୍ଗେ । ମନ ଥିଲେ ବି ବୋଉ ମନ କାଳେ ଭାଙ୍ଗିଯିବ,କାଳେ ଦୁଃଖ ଅନୁଭବ କରିବ ଭାବି ସେ ଯେ ନିଶାକୁ ଭଲ ପାଏ କହି ପାରି ନଥିଲା । ସୁଜି ଭିତରେ ଜଙ୍ଗଲି ମନଟି ଦରାଣ୍ଡେ ନିଶାକୁ । କେବେ କେବେ ଫୋନ୍ କଲେ ନିଶା ଆରବ ଖୁବ୍ ହସେ କଲେଜ କଥା ମନେ ପକାଇ ଗୋପନ ଦୁଃଖକୁ ଚାପି । ଚେପେଟା ହୋଇଯାଏ ହସ । ଆରବ ପୁଅ ଏବେ ହସୁଛି ତା ପରି ମୁକ୍ତ ଟିଆ ପରି ।

ଆରବର ଇଚ୍ଛା ତା ବୋଉ ପାଦ ତଳେ ସଂସାର ର ସବୁ ସୁଖ ଢାଳି ଦେବ । ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛି ତା ବୋଉକୁ ଖୁସି ଦେବାକୁ । ବୋଉର ଶୁଖିଲା ମୁହଁରେ ହସ ଦେବାକୁ । ସାନ ଭାଇଟି ବାହା ସାହା ହୋଇ ଦିଲ୍ଲୀରେ ସେଟେଲ । ଭଉଣୀ ବେଙ୍ଗାଳୁରୁ ରେ ତା ସ୍ବାମୀ ସହ ରହିଛି ।

ସମସ୍ତଙ୍କୁ ଥଇଥାନ କରି ଦଉଡ଼ି ଦଉଡ଼ି ସତରେ ସେ ହାଲିଆ । ଆଜି ଖୋଜୁଛି ପିଲା ଦିନର ଆରୁ ବାବାକୁ କଳା ଧଳା ଦାଢ଼ି ଭିତରେ । । ହେ ଆରୁ ତୁ କେଉଁଠି ବାବା!!ଆ ଟିକେ ଧନ,ଆରବ ଖୋଜୁଛି ତୋତେ । ଖୋଜୁଛି ସେଇ ପିଲା ମୁହଁର କାରଣ ନଥିବା ହସ ।

ଆ ରେ ଆରୁ ! ଆ’ ସାଙ୍ଗ ହୋଇ ଦାଣ୍ଡରେ ଦୌଡ଼ିବା । ଆରୁ ରେ କେତେ ଖରା କହିଲୁ ଏବେ!ଓଃ କି ତାତି!ଘରେ,ବାହାରେ,ମନରେ ଖାଲି ତାତିର ଡହ । ହେ ଆରୁ ଚାଲ ସେଇ ଆମ୍ବ ଗଛ ମୂଳକୁ । ଖରାରବେଳ ପାରି କରିଦେବା ଆମ୍ବ ଝର କରି । ଲଙ୍କା ,ଲୁଣ,ପିଆଜ ଆମ୍ବରୁ କୋଇଲି କାଢି,ଖୋଲ କରି ପୁରେଇ ଦେବା । ଅପେକ୍ଷା କରିବା କିଛି ସମୟ । ସନା, ପମି, ନାନା, ଗେଲୁ,ଅମୁ ସମସ୍ତେ ମିଶି ଶୋଷିବା ଆମ୍ବ ଝର । ଚାଲ ନା କଇଁଆଁ ପଣା କରି ସୁଡୁ ସୁଡୁ କରିବା । ଜୋର ଚୁଆରେ ବୁଡିବା ଦେହରେ ଶିଉଳି ବସିବା ପର୍ଯ୍ୟନ୍ତ । ବିଲସାରା ଦୌଡ଼ିବା, ମୁଗ ଛୁଇଁ ଖାଇବା ।

ଆରୁ ଦିଶୁଥିଲା ସତ ଧରା ଦେଉ ନଥିଲା । ଇସ୍ କି ମସ୍ତ ତା ହସ । ସେ ଲୁଚିଗଲା ଆରବ ଭିତରେ । ଆରବ ଦେଖୁଥିଲା ତା ଆଖିତଳ ଭାଙ୍ଗ । ଚୁନା ପକା ଶାଗ ପରି ଦାଢ଼ି ଓ କେଶ । କ୍ଲାନ୍ତ ଭାବକୁ ଲୁଚେଇ ହସି ଦୌଡ଼ିବା କିନ୍ତୁ ଥୟ । ପିଲା ବେଳେ ହାସୁଥିଲା କିଛି କାରଣ ନଥାଇ । ଏବେ ହସୁଛି ଆରବ କାରଣ ଲୁଚାଇବା ପାଇଁ ।     

ପ୍ରେମ ଶାଶ୍ଵତ ଆରବ

Rate the content


Originality
Flow
Language
Cover design

Comments

Post

Some text some message..