Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Romance Inspirational

4.2  

Satyabati Swain

Romance Inspirational

କଟି କଟି କଟି

କଟି କଟି କଟି

5 mins
517



   ମୁଁ ଶ୍ରେଣୀକୁ ଯାଇ ଦେଖେ ତ ଆଗ ଧାଡି ବାଁ ପାଖ ବେଞ୍ଚ୍ ଉପରେ ମେଞ୍ଚେ ବବଲ୍ ଗମ୍ ଲଗା ଯାଇଛି । ମୋତେ ଦେଖି ସବୁ ପିଲା ଚୁପ୍ ହୋଇ ତଳକୁ ମୁହଁ ପୋତି ଦେଲେ । ରାମୁ ପିଅନକୁ ଡାକି ସେତକ ସଫା କରିବାକୁ କହିଲି । ଜେନିଭା କିନ୍ତୁ କାନ୍ଦୁ ଥାଏ । ତା ବସିବା ଜାଗାରେ କିଏ ଏମିତି କରିଛି ବୋଲି । ଜେନିଭା ସ୍ୱିଟ୍ ଝିଅଟିଏ । ସପ୍ତମ ଶ୍ରେଣୀରେ ବୃତ୍ତି ପାଇଛି । ଇଂଲିଶ କବିତା ଲେଖିବାରେ ଧୁରନ୍ଧର ।  ସରଳ ସୁଧାର । ସବୁ ଶିକ୍ଷକଙ୍କର ପ୍ରିୟ । ଅନେକ ପିଲା ସହି ପାରନ୍ତି ନାହିଁ ତାର ଏସବୁ କୃତିତ୍ୱ । ଟିକେ ପିଲାଳିଆମୀ ଈର୍ଷାର ଶିକାର ସେ ହୁଏ । ଆଜି ବି କେହି ମଜା ନେବା ପାଇଁ ଏପରି କରିଛି । ସେ ବୋଧେ ଲାଜରେ କାନ୍ଦୁଥାଏ । ଏଇ ବୟସ ଅପମାନକୁ ସହଜରେ ହଜମ କରି ପାରେ ନାହିଁ । ଠିକ୍ ଯୌବନର ପ୍ରଥମ ପାହାଚ । ବେଶୀ ଅବୁଝା କମ୍ ବୁଝିଥିବା ସୃଷ୍ଟି ରହସ୍ୟର ବୟସ । ଭାରି କିନ୍ତୁ ଅସହାୟ ଏଇ ବୟସଟି ।

   ଆରେ କାନ୍ଦୁଛ କାହିଁକି ମା । ଯିଏ ଏ କାମ କରିଛି ସେ ସତରେ ତୁମ ସାଙ୍ଗ ନୁହେଁ । ସାଙ୍ଗ ମାନେ କଣ ଏମିତି କରନ୍ତି?ତୁମର ଆଜି ଠାରୁ ତା ସହିତ କଟି । ମୁଁ ତ ତା ନାଁ ଜାଣିନି କେମିତି କଟି କରିବି?ଯାହା ହେଉ କାନ୍ଦ ବନ୍ଦ କରି ଏତକ କହିଲା ସେ । ଠିକ୍ ଅଛି ତୁମେ ଆଗେ ବସ ଏବଂ ଗୋଟେ ଗପ କହୁଛି ଶୁଣ ମୁଁ କହିଲି ।

 

  ମୋ ସହ ଆଜକୁ ଠିକ୍ ତିରିଶି ବର୍ଷ ତଳର ଘଟିଥିବା ଘଟଣାଟି ପିଲାଙ୍କୁ ଗପ ଆକାରରେ ଶୁଣାଇଲି । ଜନତା ଉଚ୍ଚ ବିଦ୍ୟାଳୟ ଗୋଟିଏ ନାଁ କରା ସ୍କୁଲ ଜଗତସିଂହପୁର ଜିଲ୍ଲାର । ବହୁତ ଭଲ ଭଲ ପିଲା ସେ ସ୍କୁଲରୁ ଉତରନ୍ତି । କେତେ ଇଂଜିନିୟର,ଡାକ୍ତର, ଶିକ୍ଷକ, ପ୍ରଶାସନିକ ସେଇଠି ପଢି ହୋଇଛନ୍ତି । ସବୁ ପିତା ମାତାଙ୍କ ଇଛା ତାଙ୍କ ପିଲା ସେଇ ସ୍କୁଲରେ ପଢନ୍ତୁ । ବହୁତ ପିଲା ସେ ସ୍କୁଲରେ । ସେ ସ୍କୁଲରେ ଜଣେ ଭାରି ଚୁପ୍ ଚାପ୍ ଝିଅ 'ବୁଇ' ପଢୁଥିଲା । ବୁଇ ଖୁବ୍ ଭଲ ପଢେ । ବହି ଛଡା କାହା ସଙ୍ଗେ ଗପିବା,କି ବଦମାସୀ କରେ ନାହିଁ । ପାଠ ଭଲ ତ ସେ ଭଲ । ତୃତୀୟ ଶ୍ରେଣୀରୁ ଆରମ୍ଭ କରି ସବୁ ଶ୍ରେଣୀରେ ଜିଲ୍ଲାରେ ପ୍ରଥମ ହୋଇ ବୃତ୍ତି ପାଏ । ଏଣୁ ସବୁ ଶିକ୍ଷକଙ୍କ ସେ ଅତି ପ୍ରିୟ । କିଛି ପିଲା ବୁଇକୁ ଦୁଇ ଆଖିରେ ଦେଖି ପାରନ୍ତି ନାହିଁ । ସବୁବେଳେ ଓର ଉଣ୍ଡୁଥାନ୍ତି ତାକୁ ଅପମାନିତ କରିବାକୁ । ଶିକ୍ଷକ ମାନେ ଧରି ପାରନ୍ତି ନାହିଁ କିଏ ହଇରାଣ କରନ୍ତି ବୁଇକୁ ।


    କେଉଁ ଦିନ ତାର ଚପଲ ଫାଳେକୁଆଡେ ଉଡି ଯାଇ ପଡି ଥିବ କରମଙ୍ଗା ଗଛ ମୂଳେ । କେଉଁଦିନ ତା ପେନ୍ ଯାଇ ପଡିଥିବ ଭଙ୍ଗା ଖୁଣ୍ଟ ପାଖରେ । ଖାତାରେ ଗାରେଇ ଦେଇ ଥିବ କିଏ  । କେବେ ତା ବସିବା ବେଞ୍ଚ ଗୋଡ଼ ଭାଙ୍ଗି ଦେଇଥିବେ ।


    କଳାପଟାରେ ଦିନେ ଲେଖାଥିଲା ବୁଇ ପୁସ୍ତକ କୀଟ । ବୁଇ ଫୁଲେଇ । ବୁଇ ଚୁଇମୁଇଁ । ବୁଇ ଖାଆଇ ଉଇ । ଦିନକର ଘଟଣା । ବୁଇ ବସିବା ବେଞ୍ଚରେ ଅଠା ଅତି ସୁନ୍ଦର ଭାବେ ବୋଲି ଦେଇଥିଲାକିଏ । ବେଞ୍ଚ ରଙ୍ଗ ସଂଗେ ଅଠା ରଙ୍ଗ ମିଶି ଯାଉଥିଲା । ବୁଇ ଜାଣି ନପାରି ବସିଗଲା । ଶିକ୍ଷକ ଯେତେବେଳେ କଳାପଟାରେ ମାଇଁ ଫ୍ରେଣ୍ଡ୍ ବିଷୟରେ ଦଶ ଧାଡିର ରଚନା ଲେଖିବାକୁ ଡାକିଲେ । ବୁଇ ହଠାତ୍ ଉଠିଯିବ କଣ ଫଡ୍ କରି ଚିରି ଗଲା ତା ଫ୍ରକ୍ । ଓଃ ସେଦିନ ବୁଇ କି କାନ୍ଦ କାନ୍ଦିଲା । ପ୍ରଥମତଃ ତାର ଏଇ ଗୋଟିଏ ମାତ୍ର ସ୍କୁଲ ୟୁନିଫର୍ମ । ଅଭାବୀ ଘରର ବଡ଼ ଝିଅ ।  ଦ୍ଵିତୀୟତଃ ସେ ଘରକୁ ଯିବ କିପରି ଚିରା ଓହଲିଥିବା ଫ୍ରକ ପିନ୍ଧି । ପଛ ପଟ ଦେଖା ଯାଉଥିବ । ଛି କି ଲାଜ କଥା ସବୁ ଦେଖିବେ ଓ ହସିବେ । ସବୁଠାରୁ ବଡ଼ କଥା ବୁଇ କହି କାନ୍ଦିଲା ଯେ ତାର ନୂଆ ୟୁନିଫର୍ମ ନ ଆସିବା ଯାଏ ସେ ସ୍କୁଲ ଆସିପାରିବ ନାହିଁ ।


   ଯେତେ ଯିଏ ବୁଝେଇଲେ ବୁଇ କାନ୍ଦ ବନ୍ଦ ହେଲାନି  । ସେ ଖାଲି ଭୋ ଭୋ ହୋଇ କାନ୍ଦୁଥାଏ ମୁଁ କାଲିଠୁ ସ୍କୁଲ ଆସିପାରିବି ନାହିଁ କହି । ପ୍ରଧାନ ଶିକ୍ଷକ ଯାଏ କଥା ଗଲା । ପ୍ରଧାନ ଶିକ୍ଷକ ବହୁତ କଡା ମିଜାଜର ଓ ପିଲାମାନଙ୍କ ଠାରୁ ସତ୍ୟ ବାହାର କରିବାରେ ମାହିର  । ସେ ଝିଅଟି ପାଇଁ ନିକଟସ୍ଥ ବଜାରରୁ ଗୋଟିଏ ୟୁନିଫର୍ମ ମଗାଇଲେ । ବୁଇ କିନ୍ତୁ ସେଇଟିକୁ ପିନ୍ଧିବାକୁ ନାରାଜ । ମା ମନା କରିଛି ଜୀବନରେ ଯେତେ କଠିନ ପରିସ୍ଥିତି ଆସିଲେ ମଧ୍ୟ କାହା ଦୟାର ପାତ୍ର ହେବ ନାହିଁ । ଶେଷରେ ଜଣେ ସାର୍ ତା ସହ ତାଙ୍କ ଘରକୁ ଗଲେ ଓ ବୁଝାଇ ସୁଝାଇ କହି ଆସିଲେ ସମସ୍ତ ଘଟଣା ।


   ତାପର ଦିନ ପ୍ରଧାନ ଶିକ୍ଷକ କିଛି ଅରୁଆ ଚାଉଳ ନେଇ ଆସି କହିଲେ ଦେଖ୍ ପିଲାଏ ଏଇଟି ମନ୍ତୁରା ଚାଉଳ । ବୁଦ୍ଧିଆ ବାବାଙ୍କ ଠାରୁ ମନ୍ତୁରା ହୋଇ ଆଣିଛି । ଏ ଚାଉଳ ଦୁଇଟି ଲେଖାଏଁ ସମସ୍ତେ ଖାଇବେ । ଯିଏ ବୁଇ ବେଞ୍ଚରେ ଅଠା ବୋଲିଛି ସେ ଖାଇଲା ମାତ୍ରେ ରକ୍ତ ବାନ୍ତି କରିବ । ଯେତେ ପଚାରିଲି ମାନିଲ ନାହିଁ । ଏଣିକି ଦଣ୍ଡ ପାଇବ । ଚାଉଳ ଖାଇ ଯେଉଁ ପିଲା ରକ୍ତ ବାନ୍ତି କରିବ ତାକୁ ସବୁଦିନ ପାଇଁ ସ୍କୁଲରୁ ବିଦା କରିଦେବି । ସେ ତା ସାର୍ଟିଫିକେଟ ନେଇ ବିଦା ହୋଇ ଯିବ । କିନ୍ତୁ ଏବେ ବି ସମୟ ଅଛି ମାନି ଗଲେ ଦଣ୍ଡ ଦିଆ ଯିବ ନାହିଁ କି ସେ ସ୍କୁଲରୁ ସବୁଦିନ ବିଦା ହେବ ନାହିଁ ।


  ଏତିକି କଥା ଶୁଣି ପିଲାମାନେ ପରସ୍ପର ମୁହଁ ଚାହାଁଚାହିଁ ହେଲେ । ଯଦିଓ ସେ ସତ ସତିକା କିଛି ମନ୍ତୁରା ଫନ୍ତୁରା ଚାଉଳ ନଥିଲା । ପିଲାଙ୍କ ପାଖରୁ ସତ ଜାଣିବାର ଥିଲା ଗୋଟେ ବାହାନା । ଧଡ଼ କରି ଅଂଶୁମାନ ଠିଆ ହୋଇ ପଡି କହିଲା ମୁଁ ବୋଳିଛି ସାର୍ । ସମସ୍ତେ ତାଜୁବ୍ ।  ଅଂଶୁମାନ ! ସେ ତ ଶ୍ରେଣୀରେ ସବୁଠୁ ଭଲ ପିଲା । ପାଠ ସହ ଖେଳ ଓ ଗୀତ ଗାଇ ଇଣ୍ଟର ସ୍କୁଲ ବିଜେତା ହୋଇଛି । ସେ ପୁଣି ଏ ମାଙ୍କଡାମୀ !


    ସେ କଇଁ ଉଠାଇ କାନ୍ଦୁଥାଏ ଓ କହୁଥାଏ ମୁଁ ବୁଇକୁ ରାଗେ । ସେ ଆସିଲା ଦିନୁ ସବୁ ସାର୍ ତାକୁ ମୋଠାରୁ ବେଶୀ ଭଲ ପାଉଛନ୍ତି । ତା ସହ ବେଶୀ ପିଲା ସାଙ୍ଗ ହେଉଛନ୍ତି । ମୁଁ ଏଠି ଷଷ୍ଠରୁ ପଢୁଛି । ସେ ଏଇ ବର୍ଷ ଆସି ସମସ୍ତଙ୍କ ପ୍ରିୟ ହୋଇଗଲା ! ତାପରେ ମୁଁ ! ମୋର ତାକୁ ଭାରି ରାଗ ହୁଏ । ତା ସହ ଆଜିଯାଏ ଯାହା ଯାହା ଘଟିଛି ସବୁ ମୁଁ କରିଛି ସାର୍ । ଯେଉଁ ଦଣ୍ଡ ଦେବେ ଦିଅନ୍ତୁ ସାର୍ କିନ୍ତୁ ମୋତେ ଏ ସ୍କୁଲରୁ ବିଦା କରିବେ ନାହିଁ ।


   ଅବାକ୍ ସାର୍ ଓ ଶ୍ରେଣୀର ସମସ୍ତ ପିଲା । ପ୍ରଧାନ ଶିକ୍ଷକ ବି ଚକିତ ।  ଅଂଶୁମାନ ସ୍କୁଲ ପ୍ରେସିଡେଣ୍ଟଙ୍କ ପୁଅ,ପୁଣି ଏମିତି । ପ୍ରେସିଡେଣ୍ଟଙ୍କ ଏଇ ସ୍କୁଲ ଛାତ୍ର; ଓ ଏ ଏସ ପାଇ ସଚିବାଳୟରେ କାମ କରନ୍ତି । ପ୍ରଧାନ ଶିକ୍ଷକ କହିଲେ ବୁଇ ଯେଉଁ ଦଣ୍ଡ ଦେବ ତୋତେ ଗ୍ରହଣ କରିବାକୁ ହେବ । ସେଦିନ ବୁଇ କିନ୍ତୁ ଅଂଶୁମାନକୁ ଏଇ ଦଣ୍ଡ ଦେଇଥିଲା କି ଅଂଶୁମାନ ତା ସହ କେବେ ବି କଥା ହେବନି । ଅଂଶୁମାନ ତା ବେଷ୍ଟ୍ ଫ୍ରେଣ୍ଡ । ଏତିକି ଦଣ୍ଡ ତା ପାଇଁ ଯଥେଷ୍ଟ ।


   ଅଂଶୁମାନ ଢେର କାନ୍ଦିଲା ଓ କହିଲା ମୋତେ ପଛେ ସ୍କୁଲରୁ ବିଦା କରିଦିଅନ୍ତୁ ସାର୍ କିନ୍ତୁ ଏତେ ବଡ଼ ଦଣ୍ଡ ଦିଅନ୍ତୁ ନାହିଁ । ପାଠରେ ବୁଇକୁ ସିନା ପାରେ ନାହିଁ ବୋଲି ରାଗି ଏମିତି କରିଦିଏ;ବୁଇ କିନ୍ତୁ ମୋ ବେଷ୍ଟ୍ ଫ୍ରେଣ୍ଡ । ତା ସହ କଥା ନ ହୋଇ ମୁଁ ରହି ପାରିବି ନାହିଁ ।

ଅଂଶୁମାନ ଦଉଡ଼ି ଆସି ବୁଇ ପାଖେ ଆଣ୍ଠେଇ ପଡ଼ି କାନ ଧରି କହିଲା ବୁଇ ଲୋ ଆଉ ଯାହା ଦଣ୍ଡ ଦେବୁ ପଛେ ଦେ କିନ୍ତୁ ତୋ ସହ କଥା ହେବା ପାଇଁ ମନା କରନା ।  ଆଖି ଛୁଉଁଛି,ଠାକୁରଙ୍କ ରାଣ ଆଉ ତୋ ସହ କେବେ.. କେବେ ଏମିତି କରିବି ନାହିଁ ।


   ଅଂଶୁମାନ କାନ୍ଦୁଥିଲା ଭୁଲ୍ କରି ବୁଇ କାନ୍ଦୁଥିଲା ଭୁଲ୍ ନ କରି । କୁଣ୍ଢାକୁଣ୍ଢି ହୋଇ ଏକ ହୋଇ ଯାଉଥିଲା ଦୁଇ ବନ୍ଧୁତ୍ୱ । ସେବେଠୁ ସେ ଦୁଇ ଜଣ ଏତେ ସାଙ୍ଗ ହୋଇଗଲେ ଯେ କେହି କହିବେ ନାହିଁ ସେମାନେ ଦୁଇ ବିପରୀତ ଲିଙ୍ଗର ବନ୍ଧୁ । ଲାଗୁଥିଲେ ଦୁଇ ପୁଅ ବନ୍ଧୁ ବା ଦୁଇ ଝିଅ ବନ୍ଧୁ । ଏବେ ମଧ୍ୟ ବୁଇ ଓ ଅଂଶୁମାନ ବହୁତ ଭଲ ସାଙ୍ଗ ଅଛନ୍ତି ।


   ଗପଟି ଶେଷ ନ ହେଉଣୁ ରିଦିମ୍ ଉଠି କହିଲା ମୁଁ ଜେନିଭା ବେଞ୍ଚରେ ବବଲ୍ ଗମ୍ ବୋଳିଛି ମାମ୍ । ମୁଁ ନଟି ବଏ ମାମ୍ । ମୋତେ ଦଣ୍ଡ ଦିଅନ୍ତୁ ।

 ମୁଁ ଚମକି ପଡିଲି ପୁଣି ଜଣେ ବୁଇ ଓ ଅଂଶୁମାନକୁ ମୋ ଶେଣୀରେ ଦେଖି । କାରଣ ମୁଁ ସେଇ ଝିଅ ବୁଇ ମିସେସ୍ ବୁଇଲିନା ରାୟ ଇଂରାଜୀ ଶିକ୍ଷକ ଓ ମୋ ମିଷ୍ଟର ହେଉଛନ୍ତି ସେଦିନର ଅଂଶୁମାନ ଏବେର ନାଁ କରା ସାଇକୋଲୋଜିର ପ୍ରଫେସର୍ ଡ଼ଃ ଅଂଶୁମାନ ରାୟ ।


   ଜେନିଭା ତିନି ଥର ତା କାଣି ଆଙ୍ଗୁଠିରେ ଥୁ ଥୁ କରି କହିଲା ରିଦିମ୍ " କଟି କଟି କଟି" । ମୁଁ ହସି ଉଠୁଥିଲି ମନେ ମନେ ନିଜର ପିଲାଦିନର ପ୍ରତିଛବି ବୁଇ ଓ ରିଦିମ ଭିତରେ ଦେଖି ।



Rate this content
Log in

Similar oriya story from Romance