ମୋ ସ୍ଵପ୍ନରେ ସେ
ମୋ ସ୍ଵପ୍ନରେ ସେ
ଦିନରେ ପ୍ରତୀୟମାନ ଘଟଣାବଳୀ ସବୁ ବେଳେ ବେଳେ ଅବଚେତନ ମନରେ ପଶିଆସେ ଏକ ବିଚିତ୍ର ରୂପ ରଙ୍ଗ ଓ ଭାବନା ଭିତରେ। ସେମିତି ଗୋଟିଏ ଆଶ୍ଚର୍ଯ୍ୟ ଜନକ ରୋମାଞ୍ଚକର ଘଟଣାବଳୀକୁ ଉପସ୍ଥାପନ କରିବାକୁ ଯାଇ ସାଙ୍ଗ ରାଜେନ୍ଦ୍ର ପ୍ରଫୁଲ୍ଲକୁ ଫୋନ କରି ପାଖରେ ଥିବା ଗୋପବନ୍ଧୁ ପାର୍କକୁ ଡାକିଛି। ଅନେକ ଦିନର ବ୍ୟବଧାନ ପରେ ଆଜି ଦୁଇ ସାଙ୍ଗ ଏକତ୍ରିତ ହୋଇ ଉଭୟେ ଉଭୟଙ୍କୁ କୋଳାଗ୍ରତ କରି ପାର୍କରେ ଯାଇ ବାଦାମ ଭଜା ଧରି ବସିଲେ ।
ପ୍ରଫୁଲ୍ଲ ପ୍ରଥମେ ବ୍ୟସ୍ତ ହୋଇ ଅନ୍ୟାନ୍ୟ କଥା ସବୁ ଆଡେ଼ଇ ଦେଇ ମୁଖ୍ୟ କଥାବସ୍ତୁ ଉପରକୁ ଆସିଛି। ଆରେ ରାଜେନ୍ଦ୍ର, କହିଲୁ ତୁ ଏତେ ବ୍ୟସ୍ତ ବିବ୍ରତ ହୋଇ କଣ ଗୋଟେ କହିବୁ ବୋଲି ଫୋନ କରି ଡାକିଲୁ, ତା ପୁଣି ଏକାନ୍ତରେ।
ରାଜେନ୍ଦ୍ର କଥା ବି ଆରମ୍ଭ କରିଛି। ସାଙ୍ଗ, କହନା ତୁ ଆଉ। ସେହି ଘଟଣା ପରଠାରୁ ମୋତେ ନା ନିଦ ଭୋକ କିଛି ନାହିଁ । ତୁ ତ ମୋର ଏକାନ୍ତ ଆପଣାର ମାନେ ବେଷ୍ଟ ଫ୍ରେଣ୍ଡ । ସେଥିପାଇଁ ତୋତେ କହିବାକୁ ଉଚିତ ମନେ କଲି। ଶୁଣ୍ ଶୁଣ୍, ମୁଁ ଆଗ କହିଦିଏ...
ଭୋରୁ ଭୋରୁ, ବୋଧହୁଏ ରାତି ୪ଟା ସମୟ ହେବ।ଗୋଟିଏ ସ୍ଵପ୍ନ ଦେଖିଲି। ଆରେ ସାଙ୍ଗ, ତୁ ଯେତେବେଳେ ସ୍ଵପ୍ନ ଦେଖିଛୁ ନା, ମୋ ବୋଉ କହେ ପାହାନ୍ତିଆ ସ୍ଵପ୍ନ ସତ ହୁଏ ବୋଲି । ହେଉ ତୁ କହ ।
ହଁ ଶୁଣ୍ ବିରାଟ ବଡ଼ ପୃଥିବୀର ଗୋଟିଏ ବହୁତ ସୁନ୍ଦର ଜାଗା । ନଦୀ ଝରଣା ପାହାଡ଼, ତା ସହ ଗୋଟିଏ ସୁନ୍ଦର ଫୁଲ ବଗିଚା। ବଗିଚା ସାମନାରେ ବିରାଟ ରାଜପ୍ରାସାଦ। ଆଉ ଜାଣିଛୁ ସେ ରାଜପ୍ରାସାଦରେ ମୁଁ ପରା ରାଜା। ରାଜ୍ୟ ପରିଭ୍ରମଣ ପାଇଁ ଦୁଇଟି ରଥ ମଧ୍ୟ ଅଛି।ସବୁବେଳେ ଆମେ ଦୁହେଁ ସେହି ରଥରେ ସାରା ଜଗତକୁ ବୁଲି ବୁଲି ଅପୂର୍ବ ଶୋଭା ଉପଭୋଗ କରନ୍ତି।
ଏମିତି ଏମିତି ସବୁବେଳେ ଆମେ ବୁଲନ୍ତି। ବୁଲୁ ବୁଲୁ ହଠାତ ଜଣେ ସୁନ୍ଦର ହୃଦୟଧାରୀ ମଣିଷ ସହ ଦେଖା ହୋଇଗଲା। ଆରେ ଆରେ ସାଙ୍ଗ, ସେ ଲୋକଟି ଭୂତନାଥ ନୁହେଁ ତ । ମୁଁ ଦୁଇଦିନ ତଳେ ବି ଏମିତି ଗୋଟିଏ ସ୍ଵପ୍ନ ଦେଖିଥିଲି। ହେଲେ ଦୁଃସ୍ଵପ୍ନ ଭାବି ଭୁଲି ଯିବାକୁ ଚେଷ୍ଟା କରୁଛି।
ହଁ ହଁ ରେ ସାଙ୍ଗ। ସେ ନିଜକୁ ତାଙ୍କ ସାମ୍ରାଜ୍ୟର ଅଧିଶ୍ଵର ବୋଲି ଅବିହିତ କରୁଛନ୍ତି। ଅମାପ ଶକ୍ତିର ଅଧିକାରୀ ପରା ସେ । ସେ ନିସ୍ତେଜ ହୋଇ ଗୋଟିଏ ଗଛମୂଳେ ପଡିଥିଲେ। ତାଙ୍କୁ କାଳେ କାହାର ଆଦେଶ ଥିଲା କି? ସେ ତାଙ୍କ ଦୁନିଆଁରେ କେବଳ ଗୋଟିଏ ଅଭାବ ଅନୁଭବ କରିବେ, ତାହା ହେଲା ପାଣି। କେହି ତାଙ୍କୁ ଦାନକଲେ ସେ ଗ୍ରହଣ କରି ପାରିବେ। ନିଜେ ଯେତେ ଚାହିଁଲେ ବି ପିଇ ପାରିବେ ନାହିଁ। ଏତଦବ୍ୟତୀତ ସେ ସବୁଥିରେ ଶ୍ରେଷ୍ଠ। ମୁଁ ଏଣେ ତେଣେ ବୁଲୁଥିବା ବେଳେ ତାଙ୍କୁ ଗଛମୂଳେ ପଡିଥିବାର ଦେଖି ପ୍ରଥମେ ମୋ ପାଖରେ ଥିବା ପାଣି ପିଆଇ ଥିଲି। ସେ ବି ତାଙ୍କ ମନଇଚ୍ଛା ପିଇଲେ ଏବଂ ସେ ଖୁସି ହୋଇ ମୋତେ କିଛି ଦେବାକୁ ଚାହିଁଲେ।ସେ ମୋତେ କହିଲେ, ମୁଁ ହେଲି ଭୂତନାଥ। ଯେଉଁଠି କିଛି ଅସୁବିଧା ଦେଖେ ସେଇଠି ପହଞ୍ଚି ଯାଏ। ତେଣୁ ହେ ମର୍ତ୍ତ୍ୟ ମାନବ, ସେଭଳି କିଛି ମାଗିବାର ଥିଲେ ମୋ ଠାରୁ ମାଗିନିଅ।
ମୁଁ ପ୍ରଥମେ ତାଙ୍କ କଥାର କିଛି ସତ୍ୟତା ଜାଣି ପାରୁ ନ ଥାଏ । ମୋ ମନକଥା ସେ ବୁଝିପାରି ହଠାତ ସେ ସ୍ଥାନରେ ଗୋଟିଏ ସୁନ୍ଦର ଅଟ୍ଟାଳିକା ଠିଆ କରିଦେଲେ। ରତ୍ନ ସିଂହାସନ ଆରୋହଣ କରି ମୋତେ ଆଦେଶ ଦେଲେ ଅନ୍ୟ ଗୋଟିଏ ରତ୍ନ ଖଚିତ ସିଂହାସନ ଉପରେ ବସିବାକୁ ଏବଂ କିଛି ପରିଚାରିକାଙ୍କୁ ମୋ ସତ୍କାର କରିବାକୁ ନିର୍ଦ୍ଦେଶ ଦେଲେ। ତାଙ୍କ ଇଚ୍ଛା ମୁତାବକ ହୋଇ ସାରିବା ପରେ ମୁଁ ବେଶ ଖୁସି ହୋଇ ଯାଇଥିଲି। ଆଉ ଭୂତନାଥଙ୍କ ଇଲାକାର ଲୋକମାନେ ସବୁ ବେଶ୍ ଆପଣାର ଓ ଅଦ୍ଭୁତ କରିତକର୍ମା ଥିଲେ। ସେମାନଙ୍କ ଇଚ୍ଛା ଅନୁସାରେ ସେଠାରେ କାର୍ଯ୍ୟ ହୋଇ ଯାଉଥିଲା। ଏସବୁ ପରେ ଭୂତନାଥ ମୋତେ ତିନୋଟି କଥାରୁ ଗୋଟିଏ କଥାକୁ ଗ୍ରହଣ କରିବା ପାଇଁ କହିଲେ।
ପ୍ରଥମକଥା - ଏକ ବିରାଟ ରାଜପ୍ରାସାଦ, ଅପୂର୍ବ ସୁନ୍ଦରୀ ସାତରାଣୀ, ପରିଚାରିକା,ପାତ୍ର ମନ୍ତ୍ରୀ ଅମାତ୍ୟ।ଟଙ୍କା ସୁନା ରୂପା ଭଳି କୁବେର ଭଣ୍ଡାର। ଯାହାର ସମ୍ରାଟ ମୁଁ ।
ଦ୍ଵିତୀୟ କଥା - ଗୋଟିଏ ସ୍ଵର୍ଗପୁର ଭଳି ସ୍ଥାନ।ଯେଉଁଠି ଅଛନ୍ତି ଦେବଗଣ, ରମ୍ଭା ମେନକା ଉର୍ବଶୀ ଭଳି ସୁନ୍ଦରୀ । ସ୍ଵର୍ଣ୍ଣାଳଙ୍କାରରେ ଆଛାଦିତ ସର୍ବେ। ସ୍ଵର୍ଗର ଦେବଗଣ ନିଜ ନିଜ ଆସନ ଅଳଙ୍କୃତ କରିଛନ୍ତି। ଭୂତନାଥ ଥିଲେ ସେମାନଙ୍କ ରାଜା। ବୟସାଧିକ୍ୟ କାରଣରୁ ତାଙ୍କ ସିଂହାସନରେ ପରବର୍ତ୍ତୀ ରାଜା ଖୋଜୁଛନ୍ତି। ଉପଯୁକ୍ତ ବ୍ୟକ୍ତିଙ୍କୁ ଅଭିଷେକ କରେଇବେ ମହାରାଜା ଭାବରେ।
ତୃତୀୟ କଥା- ଗୋଟିଏ ପୃଥିବୀ, ତାକୁ ଚାରି ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ଭାଗରେ ସୁନ୍ଦର ସୁନ୍ଦର ଘର, ତା ମଧ୍ୟରେ ରହିବା ପାଇଁ ଅନେକ କୋଠରୀ। ଖାଇବା ପିଇବା ସବୁ ବନ୍ଦୋବସ୍ତ ଅଛି। ଦ୍ଵିତୀୟ ଭାଗରେ ଘାସଗାଲିଚା । ତୃତୀୟ ଭାଗରେ ସୁନ୍ଦର ଖେଳ ପଡିଆ, ବିଭିନ୍ନ କ୍ରୀଡା ଉପକରଣ। ଚତୁର୍ଥ ଭାଗରେ କେତେ ଜଣ ନାରୀ ପୁରୁଷ ଧାରୀ ଅଭିନ୍ନ ମାନବ।
ମୋ ଉପରେ ନିଷ୍ପତ୍ତି ଦେଇ, ଦଣ୍ଡାୟମାନ ହେଲେ ଭୂତନାଥ । ଆଉ କହିଲେ ତୃତୀୟ କଥାରେ ଥିବା ପ୍ରତ୍ୟେକ ଅଭିନ୍ନ ମଣିଷ ମାନଙ୍କର ବିଶେଷ ଗୁଣ ଅଛି।ଯାହା ଇଚ୍ଛା କରିବ ସେମାନଙ୍କ ଆଶୀର୍ବାଦରେ ତାହା ଅଚିରେ ପୂରଣ ହୋଇଯିବ।
ମୁଁ ସବୁ କିଛି ବୁଝି ସାରିବା ପରେ ଭୂତନାଥଙ୍କୁ ତୃତୀୟ କଥାଟି ମୋତେ ପ୍ରଦାନ କରିବାକୁ ସମ୍ମତି ପ୍ରଦାନ କଲି।
ଆରେ ସାଙ୍ଗ, ଭୂତନାଥ ବହୁତ ଚାଲାଖ। ଦେଖିବାକୁ ସିନା ବିକଟାଳ ଅସୁନ୍ଦର ରୂପ। ହେଲେ ଚମତ୍କାର ଚିନ୍ତାଧାରା ତାଙ୍କର। ମୋତେ କହିଲେ, ବାଳକ ତୃତୀୟ କଥାକୁ କାହିଁକି ନେବାପାଇଁ କହୁଛ? ମୁଁ ତ ପ୍ରଥମରୁ ତାଙ୍କ ଆଚରଣ, କାର୍ଯ୍ୟ କଳାପରେ ଭୟଭୀତ ଆଚମ୍ବିତ ଆଉ ଆଶ୍ଚର୍ଯ୍ୟ ଚକିତ ଥିଲି। ପ୍ରାଣ ବଞ୍ଚେଇବାକୁ ଯାଇ କହିଲି ଯେ---
ତୃତୀୟ କଥାରେ ରାଜି ଏଇଥିପାଇଁ ହେଲି ଯେ ପ୍ରଥମ ବିଭାଗରେ ଯେଉଁ ସୁନ୍ଦର ଅଟ୍ଟାଳିକା, କୋଠରୀ ରହିଛି ସେଠାରେ ମୁଁ ସେଇ ମାନଙ୍କୁ ରଖିବାକୁ ଚାହୁଁଛି କି, ଏ ସମାଜରେ ଯେଉଁ ବୟସ୍କ ବୃଦ୍ଧବୃଦ୍ଧାମାନେ, ନିଜ ଘର ପରିବାର ଭିତରେ ସୁଖଶାନ୍ତି ଆନନ୍ଦ ପାଇ ପାରୁ ନାହାଁନ୍ତି ସେମାନଙ୍କୁ ସେଇସ୍ଥାନରେ ରଖି ସେ ଘରକୁ ବୈକୁଣ୍ଠ ଧାମ କରିବି। ଦ୍ଵିତୀୟ ବିଭାଗରେ ଅଛି ଘାସ ଗାଲିଚା।ସେଠାରେ ଗୋମାତାଙ୍କ ସମେତ ଗୃହପାଳିତ ପଶୁପକ୍ଷୀଙ୍କୁ ରଖି ସେମାନଙ୍କ ପାଳନ ପୋଷଣ କରି ସେମାନଙ୍କ ଠାରୁ କ୍ଷୀର ଅଣ୍ଡା ଭଳି ପୃଷ୍ଟିକର ଖାଦ୍ୟ ତଥା ସେମାନଙ୍କ ମୂତଗୋବରକୁ ଜୈବିକ ସାର ଭାବେ ବ୍ୟବହୃତ କରି ନାନାଦି ବୃକ୍ଷରୋପଣ କରିବି ଓ ଚାଷକରି ଫସଲ ଉତ୍ପାଦନ କରି ସମସ୍ତଙ୍କୁ ଆହାର ଦେଇ ପରିବେଶ ପ୍ରଦୂଷଣ ନିୟନ୍ତ୍ରଣ କରିବାରେ ସଫଳ ହେବା ପାରିବି ।ତୃତୀୟ ବିଭାଗରେ ଅଛି ଖେଳ ପଡିଆ, ଏଥିରେ ଏକ ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ ରହିବ ସମସ୍ତଙ୍କର ।ବର୍ତ୍ତମାନ ସମୟରେ ଶୈଶବ ବୟସର ପିଲାମାନଙ୍କର ଖେଳକୁଦ ପାଇଁ ସମୟ ତଥା ଆବଶ୍ୟକ ଭିତ୍ତିଭୂମିର ଅଭାବ ପରିଲକ୍ଷିତ ହେଉଛି। ତେଣୁ ସେଠାରେ ପିଲାମାନଙ୍କୁ ଉତ୍ତମ ଶିକ୍ଷାଦାନ ପାଇଁ ବିଦ୍ୟାଳୟ ସମେତ ଖେଳିବା ପାଇଁ ପର୍ଯ୍ୟାପ୍ତ ପରିମାଣରେ ସୁବିଧା ସୁଯୋଗ ସୃଷ୍ଟି କରିବି। ଯାହା ସମସ୍ତଙ୍କ ପାଇଁ ମଙ୍ଗଳମୟ ଆନନ୍ଦଦାୟକ ହୋଇପାରିବ। ଚତୁର୍ଥ ବିଭାଗରେ ଯେଉଁ ମାନେ ରହିଛନ୍ତି ସେମାନଙ୍କୁ ଏ ସମାଜ କେଉଁ ଦୃଷ୍ଟିରେ ଦେଖେ, ସହଜେ ଅନୁମେୟ । କିନ୍ତୁ ବାସ୍ତବରେ ସେମାନେ ରୁଦ୍ରାବତାର । ସେମାନଙ୍କର ମୁକ୍ତ ବିଚରଣ, ବିକାଶ ତଥା ସମ୍ମାନ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରିବି । ଯେଉଁମାନଙ୍କର ଅସାଧାରଣ କ୍ଷମତା ଦିଆଯାଇଛି, ସେହି କ୍ଷମତାର ସଦୁପଯୋଗ କରି ଆଜିର ପୃଥିବୀକୁ ଦେବଭୂମି କରି ସମସ୍ତେ ସୁଖ ଖୁସି ଆନନ୍ଦ ଅନୁଭବ କରିବେ।ଯେଉଁଠି କିଛି ବି କୁପ୍ରବୃତ୍ତି କୁଗୁଣ ନ ଥିବ।
ସବୁ ଶୁଣି ସାରି ଭୂତନାଥ ମୋତେ ଆଶୀର୍ବାଦ ପ୍ରଦାନ କରିଥିଲେ ଏବଂ ଏସବୁ କରିବା ପାଇଁ ଅଖଣ୍ଡ କ୍ଷମତା ବି ଦେଲେ । ମୋତେ ମହାରାଜା ଭଳି ସୁସଜ୍ଜିତ କରି ଅପୂର୍ବ ଦିବ୍ୟ ରଥରେ ବସେଇ ଏ ପୃଥିବୀକୁ ପଠେଇଦେଲେ ଭୂତନାଥ ।
ସେହି ସ୍ଵପ୍ନ ମୋର ସାକାର କିପରି ହେବ ମୁଁ ଏବେବି ଚିନ୍ତିତ।