Quotes New

Audio

Forum

Read

Contests

Language


Write

Sign in
Wohoo!,
Dear user,
ନୀଳାଞ୍ଜନା
ନୀଳାଞ୍ଜନା
★★★★★

© Arati Sahoo

Romance

10 Minutes   412    41


Content Ranking

ନୀଳାଞ୍ଜନା


ପୂରୀ ବଡ଼ ଦେଉଳର ଏହି ସାନ୍ଧ୍ୟ ଆଳତି ର ଲୋଭ ମୁଁ ଅଦ୍ୟାବଧି କଦାପି ସମ୍ବରଣ କରିପାରି ନାହିଁ।ଯେତେ ବ୍ୟସ୍ତତା ଥାଉନା କାହିଁକି ,ଏହି ସମୟଟା ମୋତେ ଆକର୍ଷି ଆଣେ ମୋର ପ୍ରିୟ ଗରୁଡ଼ ସ୍ତମ୍ଭ ନିକଟକୁ।ସେହି ସ୍ଥାନରୁ ଜଗନ୍ନାଥଙ୍କର ବିଶ୍ୱ ମୋହିନୀ ଛଟାକୁ ଆକଣ୍ଠ ପାନ କରି ମୁଁ ହଜିଯାଏ ସେହି ବିରାଟ ଚକା ନୟନ ଭିତରେ। ଘଣ୍ଟ ,ଘଣ୍ଟା, କରତାଳ ଇତ୍ୟାଦିର ସମୂହ ନାଦ ମଧ୍ୟରେ ଏକ ବାଇଆ ଭକ୍ତର ଜଗନ୍ନାଥ ସହସ୍ର ନାମର ଧ୍ୱନି ମୋତେ ଆହୁରି ସମ୍ମୋହିତ କରି ଟାଣି ଧରେ। ଯେତେ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଥିଲେ ମଧ୍ୟ ମୁଁ ସେଠାରୁ ଫେରି ପାରେ ନାହିଁ ତାର ଜପ ସମାପ୍ତି ପୂର୍ବରୁ। 


 ସେଦିନ କିନ୍ତୁ ମୋର ମନ ଜଗନ୍ନାଥ ଆଳତିରୁ ଅନୈଚ୍ଛିକ ଭାବରେ ବିରତି ନେଇଥିଲା ମୋର ଅଜାଣତରେ। କାରଣ ମୋର ଦୃଷ୍ଟି ତାକୁ ଅନୁସରଣ କରି ଥିଲା, ଯାହାର ଅନୁସନ୍ଧାନ ରେ ମୋର ଦୀର୍ଘ ପଇଁତିରିଶ ବର୍ଷର ଚେଷ୍ଟା ବ୍ୟର୍ଥ ହୋଇଥିଲା। ଗୋଇଠି ଟେକି ପାଦଅଗରେ ଠିଆ ହୋଇ ମୁଁ ତାକୁ ଭଲକରି ଦେଖିବାକୁ ଚେଷ୍ଟା କଲି ଭକ୍ତ ମାନଙ୍କର ଭାବ ବିହ୍ୱଳିତ ହୋଇ ଦୋଳାୟିତ ହେଉଥିବା ମୁଣ୍ଡ ମାନଙ୍କ ଉପରୁ। ହଁ ତ, ତାକୁ ଚିହ୍ନିବାରେ ମୋର ଜମା ଭୂଲ ହୋଇ ନପାରେ। ସିଏ ନିଜେ ହିଁ ତ କହିଥିଲା, " ବିଧାତା ଦୁଇ ପ୍ରକାର ଛାଞ୍ଚ ବ୍ୟବହାର କରିଥାନ୍ତି ମନୁଷ୍ୟ ଗଢ଼ିବାରେ, ଗୋଟିଏ ଛାଞ୍ଚରେ ଥୋକରେ ଏକା ପ୍ରକାର ଚେହେରା ବିଶିଷ୍ଟ ମନୁଷ୍ୟ ଗଢ଼ନ୍ତି। ଅନ୍ୟ ଗୋଟିଏ ମୌଳିକ ଛାଞ୍ଚ ଯେଉଁଥିରେ ବିଶେଷ ପ୍ରକାର ଚେହେରା ବିଶିଷ୍ଟ ମନୁଷ୍ୟ ଗଢ଼ି ସେ ଛାଞ୍ଚଟିକୁ ନଷ୍ଟ କରି ଦିଅନ୍ତି। ମୁଁ ସେହି ମୌଳିକ ଛାଞ୍ଚର ଉତ୍ପତ୍ତି, ଯାହାକୁ ଥରେ ଦେଖିଲେ ଆଜନ୍ମ ଭୂଲି ହେବ ନାହିଁ।"


 ପ୍ରବଳ ଭୀଡ଼କୁ ଠେଲି ମୁଁ ଯେତେ ଆଗକୁ ଯିବାକୁ ଚେଷ୍ଟା କଲି, ଭୀଡ଼ ମୋତେ ସେତେ ପଛକୁ ଠେଲି ଦେଲା। ମୁଁ ଭାବିଲି ଯିବ କୁଆଡ଼େ, ମନ୍ଦିରର ପରିକ୍ରମା ତ କରିବ ନିଶ୍ଚେ। ସେତିକି ବେଳେ ତାର ଭେଟ ପାଇଯିବି। ଆଳତି ନେଇ ମୁଣ୍ଡିଆ ନ ମାରି କେବଳ ହାତ ଯୋଡ଼ି ମୁଁ କାଳବିଳମ୍ବ ନକରି ବାହାରକୁ ଆସିଲି। ମନ୍ଦିର ବେଢ଼ା ସାରା ତନ୍ନ ତନ୍ନ ଖୋଜିଲି,ଶେଷରେ ନିରାଶ ହୋଇ ସମୁଦ୍ର କୂଳରେ ଆସି ମୋର ସର୍ବଥା ପରିଚିତ ଏକ ଜନ ମାନବ ଶୂନ୍ୟ ସ୍ଥାନରେ ବସିଲି। କୁହାଯାଏ, ସମୁଦ୍ରର ପ୍ରଶାନ୍ତ ରୂପ ଦର୍ଶନ ନିରାଶାରେ ଆଶାର ସଞ୍ଚାର କରେ ଓ ତାର ଔଦାତ୍ୟ ,ଉଦାସୀ ମନକୁ ଶାନ୍ତି ପ୍ରଦାନ କରେ। ସମୁଦ୍ରର ଦିଗନ୍ତ ବିସ୍ତାରି ଜୁଆରର ଭଟ୍ଟା ସହ ମୋର ମନର ନୈରାଶ୍ୟ ଧୀରେ ଧୀରେ ଅପସରି ଯାଉଥିଲା। ଅଚାନକ ମୋର ପଛରେ କାହାର ଉପସ୍ଥିତି ମୋର ତନ୍ମୟତା ଭଙ୍ଗ କଲା। ବେଳାଭୂମିର ଏହି ନିର୍ଜନ ସ୍ଥାନଟିରେ ତ ମୋର ଏକାନ୍ତ ଅଧିକାର। ସାଧାରଣତଃ କେହି ଏହି ସ୍ଥାନକୁ ଆସନ୍ତି ନାହିଁ। ତେବେ ଇଏ କିଏ? ମୋର ନିରାଶ ମନରେ ଆଶାର ଆଲୋକ ଦେଖାଗଲା, ଆନନ୍ଦରେ ଆତ୍ମହରା ହୋଇ ମୁଁ ପ୍ରଶ୍ନ କଲି, 


  "ନୀଳାଞ୍ଜନା କି?"


ସେ ନ ଶୁଣିଲା ପରି ରହିଲା। ମୁଁ ଆଶ୍ଚର୍ଯ୍ୟ ହେଲି । ମୋର ତ ତାକୁ ଚିହ୍ନିବାରେ କଦାପି ଭୂଲ ହୋଇ ପାରେନା। ତା କହିବା ଅନୁଯାୟୀ ଭୀଡ଼ ଭିତରେ ସମ୍ପୂର୍ଣ୍ଣ ପୃଥକ ବାରି ହେଲା ଭଳି ତାର ରୂପ। କୃଷ୍ଣତାରେ ଏପରି ଲାବଣ୍ୟ ଓ ରୂପ ମାଧୂର୍ଯ୍ୟ ଖୁବ କମ ଦେଖିବାକୁ ମିଳେ। ଗାଢ଼ କୃଷ୍ଣ ବର୍ଣ୍ଣର ଶରୀରରେ ଗାଢ଼ ନୀଳ ବର୍ଣ୍ଣର ପଶାପଲ୍ଲି ଶାଢ଼ୀ। ସେ କହୁଥିଲା, ଯେତେ ଗାଢ଼ ଦେହର ରଙ୍ଗ ହେବ ସେତିକି ଗାଢ଼ ରଙ୍ଗର ପୋଷାକ ପିନ୍ଧିବା ଉଚିତ। ଫିକା ରଙ୍ଗ ତ ସଫା ଲୋକଙ୍କ ପାଇଁ। ପୋଷାକ ପତ୍ର ଚୟନରେ ସେ ଥିଲା ଅତୁଳନୀୟା। ଫେସନ କରିବାରେ ସେ ଥିଲା ଉଗ୍ର ଆଧୁନିକା। ପୃଷ୍ଠ ,ଭୁଜ ଦର୍ଶନା ବ୍ଲାଉଜ ଓ ନାଭୀଦର୍ଶନା ଶାଢ଼ୀ ପିନ୍ଧିବା ଓ ସେ ମଧ୍ୟ କଲେଜ କ୍ୟାମ୍ପସ ଭିତରେ ,ସେ ହିଁ ବୋଧେ ଆଦିକିଶୋରୀ ଥିଲା। ହାତକଟା ବ୍ଲାଉଜରେ ଥିଲାବେଳେ ଯଦି କେହି ପୁରୁଷ ସହପାଠୀ ବା ଶିକ୍ଷକ ଆସନ୍ତି ,ମୁଁ ଆକଟ କରେ,


" କାନି ଘୋଡେ଼ଇ ହେଇପଡ଼ ମୂର୍ଖା"


  ସେ ଅତି ନିର୍ଲଜ ଭାବରେ ନିଜର ଲୋମହୀନ ହାତକୁ ଟେକି ଦେଇ କହେ।


 " ମୁଁ ଲଜ୍ଜିତ ହେବାର କୌଣସି କାରଣ ହିଁ ନାହିଁ। ସୁନ୍ଦର ଅବୟବ କୁ ସୁନ୍ଦର ଭାବରେ ପ୍ରଦର୍ଶନ କରିବାରେ ତ ମୋ ମତରେ ,କୌଣସି ନିର୍ଲଜ୍ଜତା ନାହିଁ।"


 ତା ମୁହଁରେ ଆତ୍ମବଡି଼ମା ,ଆତ୍ମଶ୍ଳାଘା ନଲାଗି,ଆତ୍ମବିଶ୍ବାସ ମନେହୁଏ। ବଡେଇ ତାକୁ ଶୋଭା ଦିଏ। ସତରେ ତାର ମସୃଣ ପୃଷ୍ଠ ଭାଗ ଓ ସୁନ୍ଦର ସୁଗଠିତ ଦୀର୍ଘ ବାହୁ ଦ୍ୱୟ ଅନେକ ଲଳନା ଙ୍କ ଇର୍ଷ୍ୟା ର କାରଣ ଥିଲା। 


  ମୁଁ ନିଃସନ୍ଦେହ ହୋଇ ତା ଆଡ଼କୁ ଦୁଇ ବାହୁ ପ୍ରସାରିତ କରି ଧାଇଁଲି। 


 'ଅଞ୍ଜନା'


 "ମୁଁ ତ ଅଞ୍ଜନା ନୁହେଁ"


 ମୁଁ ପୁଣି ସଙ୍କୁଚିତ ହୋଇ ପଡ଼ିଲି।


"ଆଇ ଏମ ସରି"


'"ୟୁ ନିଡ ନଟ ବି ସରି , ଇଡିୟଟ, ତୁ ସେହି ଇଡିୟଟ ହିଁ ରହିଗଲୁ। କହିଥିଲି ନା ମୁଁ ବିଧାତାର ମୌଳିକ କୃତି ବୋଲି, ଆରେ ଆରେ ,କଣ କରୁଛୁ ? ମୋତେ ଛୁଇଁବୁନି। ଦୀକ୍ଷିତା ମୁଁ ଗୁରୁଙ୍କ ଦ୍ଵାରା। ଭୂଲ ବୁଝିବୁନି। ମନ୍ତ୍ର ଜପ ନ ସରିଲା ପର୍ଯ୍ୟନ୍ତ ମୁଁ କାହାକୁ ସ୍ପର୍ଶ କରିବା ମନା , ଆରେ , ଏତେ ଦୂରରେ ବସିବା ଦରକାର ନାହିଁ, ଆଉ ଟିକିଏ ଘୁଞ୍ଚି ଆସ" 

"

  "ଅଞ୍ଜନା,କେଉଁଠାରେ ଥିଲୁ ଏତେଦିନ? ମୁଁ କେତେ ଖୋଜିଛି ,କେତେ ଚିଠି ଟେଲିଗ୍ରାମ ଦେଇଛି। "

 

"ଷ୍ଟୁପିଡ, ମୁଁ ସେ ଚିଠି ପାଇବି କେମିତି?"


 ମୁଁ ବୁଝିଗଲି, କେଦାର ସହିତ ତାର ସମ୍ବନ୍ଧ ନେଇ ବୋଧେ ପିତୃଗୃହକୁ ସେ ତ୍ୟାଗ କରିଥିବ।


'"  ତାହେଲେ କଣ, କେଦାର ସହ...."

ମୋର ବାକ୍ୟ ପୂର୍ଣ୍ଣ ନ ହେଉଣୁ ସେ କହିଲା,


 " ହଁ, ଆମେ ଏକତ୍ର ଅଛୁ"


" ଅଞ୍ଜନା, ମୋ ବିଷୟରେ କିଛି ଜାଣିବାକୁ ଇଚ୍ଛା ନାହିଁ?"


 ସେ ମୋତେ ସ୍ପର୍ଶ କରିବାକୁ ହାତ ବଢ଼ାଇ ପୁଣି ପଛକୁ ଟାଣି ନେଲା।


 "ଓହୋ, କେଡ଼େ ଭୂଲ କରିବାକୁ ଯାଉଥିଲି"


।ମୁଁ ଭାବିଲି, କି ନାଟକ ଚାଲିଛି ଏଠି, ଏତେ ଦିନ ପରେ ଦେଖା ସାକ୍ଷାତ, ଅଥଚ ମୁଁ ତାକୁ ଛୁଇଁ ପାରିବି ନାହିଁ।


ସେ କହିଲା,


 " ଜାଣିଛୁ, ତୋର କପାଳରେ ବଡ଼ ବିନ୍ଦି ଓ ହାତରେ ମୁଠାଏ ଲେଖାଏଁ କାଚ ଦେଖି ମୁଁ ସେତେବେଳେ ତୋତେ ଆଦିମ ଜନଜାତି ବୋଲି ଚିଡ଼ଉ ଥିଲି, କିନ୍ତୁ ବର୍ତ୍ତମାନ ତୋର ରିକ୍ତ ହସ୍ତ ଓ କୁଙ୍କୁମ ବିହୀନ ଲଲାଟ ଦେଖି ମୋତେ ଖୁବ୍ ଯନ୍ତ୍ରଣା ହେଉଛି, ତଥାପି ଭାବୁଛି, ତୁ ତ କିଛି ହେଲେ ପାଇ ହରେଇଛୁ। କିନ୍ତୁ ମୋର ସବୁ ଥାଇ ମଧ୍ୟ ମୁଁ କିଛି ପାଇପାରି ନାହିଁ।"


  ତାର ଅଥାହ ରିକ୍ତ ଆଖିର ଗଭୀରତାରେ ମୋତେ ସମ୍ପୂର୍ଣ୍ଣ ଅତୀତ ଜଳଜଳ ଦୃଶ୍ୟମାନ ହେଲା।


 1984 ମସିହା, ଇନ୍ଦିରା ଗାନ୍ଧୀଙ୍କ ହତ୍ୟା ପରର ବିଭୀଷିକାରୁ, ଜେ ଏନ୍ ୟୁ କେମ୍ପସ୍ ମଧ୍ୟ ବର୍ତ୍ତି ଯାଇ ପାରି ନଥିଲା। ଓ ଏହାର କିଛିଦିନ ପୂର୍ବରୁ ନୀଳାଞ୍ଜନା ଭବିଷ୍ୟତ ବାଣୀ ଶୁଣେଇଥିଲା ମୋତେ। ଓ ଆମେ ଅଚିରେ ଟିକଟ କରି ଛୁଟି ନେଇ ଚାଲି ଯାଇଥିଲୁ ଆମ ଓଡ଼ିଶାକୁ। 


 "ଜାଣିଛୁ, ଦିଲ୍ଲୀରେ ବହୁତ ବଡ଼ ଧରଣର ଦଙ୍ଗା ସୃଷ୍ଟି ହେବାକୁ ଯାଉଛି। ଆମ କେମ୍ପସ୍ ମଧ୍ୟ ଏହା ଦ୍ଵାରା ବହୁତ ପ୍ରଭାବିତ ହେବ। ମୁଁ ଏଇ ବର୍ତ୍ତମାନ ଦେଖିକି ଆସୁଛି। ଏଠାରେ ମୃତ୍ୟୁର ତାଣ୍ଡବଲୀଳା ଘଟିବ। "


 "ତାହେଲେ ଚାଲୁନୁ , ସମସ୍ତଙ୍କୁ ସାବଧାନ କରିଦେବା"


"ବୋକା, ମୋ କଥାକୁ କିଏ ସେ ବିଶ୍ୱାସ କରିବ? ଆଉ କାହା କଥା ଭାବେ ନା। ଚାଲ ,ଆମେ ପଳେଇବା।"


  

ସେପ୍ଟେମ୍ବର 25 ତାରିଖରେ ଆମେ ଦିଲ୍ଲୀ ଛାଡ଼ିଲୁ। ନୀଳାଞ୍ଜନା ର କୃପାରୁ ବାତାନୁକୁଳିତ ବଗିରେ ବସି ମୁଁ ତାକୁ ପଚାରିଲି,


" ଆମ ସାଙ୍ଗ ସାଥି ମାନଙ୍କ ସହ କିଛି ଦୁର୍ଘଟଣା ହେବନି ତ"

 

" ମୁଁ ଦେଖିଲି, ସମସ୍ତେ କଲେଜରେ ଉପସ୍ଥିତ ଅଛନ୍ତି, ଜଣକୁ ଛାଡ଼ି"

"କିଏ ସେ ଭାଗ୍ୟହୀନ"


" ସମରଜୀତ ସିଂ"


" ଏଁ !!! ସିଏ ତ ସବୁଠାରୁ ଶାନ୍ତ ଶିଷ୍ଟ ଓ ସବୁଠାରୁ ପ୍ରତିଭାଶାଳୀ ପିଲା , ତାର ଦଙ୍ଗା ସହ କଣ ସମ୍ପର୍କ?"


" ମୋତେ ଆଉ କିଛି ଜଣା ନାହିଁ, ମୋତେ କେବଳ ଏତିକି ଦେଖାଗଲା, ତା ରୁମରୁ ତାକୁ ଟାଣି ଆଣି କିଛି ଉତ୍ୟକ୍ତ ଲୋକ ତାକୁ ସାମନାରୁ ଗୁଳି ମାରିଦେଲେ।"


ମୋର ଆଉ ଶୁଣିବାକୁ ଧୈର୍ଯ୍ୟ ନଥିଲା।


ଏକ ଅଲୌକିକ ଶକ୍ତି ପାଇଥିଲା ନୀଳାଞ୍ଜନା। ତାର କହିବା ଅନୁଯାୟୀ , ତାର ଏହି ଶକ୍ତି ବିଷୟରେ କେବଳ ତାର ମାତାପିତା ହିଁ ଅବଗତ ଥିଲେ। କେମିତି କେଜାଣି ମୋ ମୁଣ୍ଡରେ ଐରାବତ ସୁବର୍ଣ୍ଣ କଳସ ଢାଳିଥିଲା କି କଣ, କାହାକୁ ମହତ୍ତ୍ଵ ଦେଉ ନଥିବା ନୀଳାଞ୍ଜନା ମୋତେ ତାର କନିଷ୍ଠ ଭଗିନୀ ତୁଲ୍ୟ ସ୍ନେହ କରୁଥିଲା। ତେଣୁ ମୁଁ ତାର ଏହି ଶକ୍ତି ବିଷୟରେ ଜାଣିବାର ସୌଭାଗ୍ୟ ଅର୍ଜନ କରିଥିଲି।ତାକୁ ଯେତେବେଳେ ଆଠ ବର୍ଷ ହୋଇଥିଲା ହଠାତ ଦିନେ ଖରାବେଳେ କାନ୍ଦି ଉଠିଲା,


 "ମା , ମା, ଦେଖ ସାନମାମୁଁଙ୍କୁ ବାନ୍ଧି ନେଇ ଯାଉଛନ୍ତି। ଆଈ କାନ୍ଦୁଛନ୍ତି। ମା, ଦେଖନା , ମାମୁଁଙ୍କୁ ଏକ କୋଠରୀ ଭିତରେ ବନ୍ଦୀ କରି ଦେଉଛନ୍ତି।ମାମୁଁ ନିଜର କପଡ଼ା ଖୋଲି ହି ହି ହସୁଛନ୍ତି। ସେଠାରେ ଆହୁରି କେତେ ଲୋକ ଅଛନ୍ତି। କିଏ ହସୁଛି ତ କିଏ କାନ୍ଦୁଛି। ମା ମାମୁଁଙ୍କଳ କଣ ହୋଇଛି?"


 ମା ଭାବିଲେ,ଅଞ୍ଜନା ବୋଧେ ସ୍ୱପ୍ନ ଦେଖିଲା। କିନ୍ତୁ କିଛି ଦିନ ପରେ ଚିଠି ଆସିଲା ଯେ ତାର ମାମୁଁ ପାଗଳ ହୋଇ ଯାଇଥିଲେ। ଆଉ ଯେଉଁ ଦୃଶ୍ୟ ଅଞ୍ଜନା ବର୍ଣ୍ଣନା କରିଥିଲା ଅବିକଳ ସେହିପରି ଘଟିଥିଲା। 


  ବାପା ମାଆଙ୍କୁ ମନା କଲେ ଏ ବିଷୟରେ କାହା ସହିତ ଆଲୋଚନା କରିବାକୁ। ସେ ଭୟ କରୁଥିଲେ ଏହି ଦିବ୍ୟ ଦୃଷ୍ଟି ଅଞ୍ଜନା ପାଇଁ କାଳର ରୂପ ନେଇ ତା ପାଇଁ ଅଭିଶାପ ପାଲଟି ନ ଯାଉ। 


 ଆଉଥରେ ତାର ବାପା ଏମିତି ହାଲୁକା ଭାବରେ ପଚାରି ଦେଇ ଥିଲେ,


"କହିଲୁ ଝିଅ, ଏଥର ଟାଟା ନା ବିଡ଼ଲାର ସେୟର ଉପରକୁ ଯିବ?"


 ହଠାତ, ନୀଳାଞ୍ଜନାର ମୁହଁ ଲାଲ ହୋଇଗଲା, ଆଖିରେ ଅପୂର୍ବ ତେଜ ଓ ମୂଖମଣ୍ଡଳରେ ସୂର୍ଯ୍ୟଙ୍କ ଭଳି ଉଜ୍ଜ୍ୱଳ ଆଭା ନେଇ ଗୁରୁ ଗମ୍ଭୀର କଣ୍ଠରେ ସେ କୌଣସି ଦେବୀଙ୍କ ଭଳି ଭବିଷ୍ୟତ ବାଣୀ ଶୁଣେଇଲା।


" ଏଥର ଅମ୍ବାନୀର ସେୟର ଉପରକୁ ଯିବ। "


 ବାପା ଭାବିଲେ, ଅମ୍ବାନୀ ବଜାରରେ ନୂଆ।ତାର କିପରି ଉନ୍ନତି ହେବ ଯେ ? ତଥାପି ସେ ଜୁଆ ଖେଳ ପରି ଅମ୍ବାନୀ କମ୍ପାନୀରେ ସେୟର ଖଟାଇ ଥିଲେ। ଆଶ୍ଚର୍ଯ୍ୟର କଥା , ଅଞ୍ଜନାର ଦୀବ୍ୟବାଣୀ ସତ୍ୟ ପ୍ରମାଣିତ ହୋଇଥିଲା।


ତା ପରଠାରୁ ତାର ବାପା ତାକୁ ନ ପଚାରି କୌଣସି ବ୍ୟାବସାୟିକ କାମ କରୁ ନଥିଲେ। ତାଙ୍କର ସମ୍ପତ୍ତି ଥଳକୁଳ ନ ମାନି ବଢ଼ି ଚାଲିଲା।


 ସେ ପୁଣି କହିଲା,


" ଜଣା ନାହିଁ ସ୍ଥିତି କେବେ ସାମାନ୍ୟ ହେବ। ତେବେ ଏଥର ବାପାଙ୍କୁ କେଦାର ବିଷୟରେ କହିବି।'


"ତୁ ଭାବୁଛୁ ତୋ ବାପା ରାଜି ହୋଇଯିବେ"


ମୁଁ ଥରେ ଯାଇଥିଲି ତାଙ୍କର କଟକ ସ୍ଥିତ ବିରାଟ ଅଟ୍ଟାଳିକା ସଦୃଶ ବାସଭବନକୁ। ଏତେ ସୁରମ୍ୟ ମହଲରେ  ଢିଲା ପାଇଜାମା ଓ ଛିଣ୍ଡା ଚପଲ ପିନ୍ଧା କାଙ୍ଗାଳ କଳାକାର କେଦାରକୁ କୌଣସି ଫିଟ୍ କରି ପାରୁ ନଥିଲି।


" ତୁ କଣ ଭାବୁଛୁ ବିନା ପ୍ରମାଣ ନେଇ ମୁଁ ଯାଉଛି। ଏଇ ଦେଖ",


 ସୁଟକେଶରୁ ସେ ବାହାର କରିଥିଲା କେଦାର ଦ୍ଵାରା ପ୍ରସ୍ତୁତ ନିଜର ପୋର୍ଟରେଟ। ଅଦ୍ଭୁତ ଥିଲା ପୋର୍ଟରେଟ ଟି। ନୀଳାଞ୍ଜନାର ସ୍ମିତହାସ୍ୟ ରହସ୍ୟମୟ ଲାଗୁଥିଲା। ସକାଳେ ଉତ୍ଫୁଲ୍ଲିତ ତ ସନ୍ଧ୍ୟା ବେଳେ ଉଦାସୀ। ବିଶ୍ୱ ଚିତ୍ର ମେଳାରେ ପ୍ରଦର୍ଶିତ ହୋଇଥିଲେ ହୁଏତ ମୋନାଲିସାକୁ ପରାସ୍ତ କରି ପାରି ଥାଆନ୍ତା।


' ମୋ ବାପା ,କଳାର ପୁଜାରୀ। ଗୁଣଗ୍ରାହୀ। ଦେଖିବୁ ସେ ନିଶ୍ଚୟ ମାନିଯିବେ। "


 ସତରେ କେଦାର ପରି ବିତରାଗୀ ଏକ କଳାକାରର ଆବିର୍ଭାବ ଆମ କେମ୍ପସ୍ କୁ ସରଗରମ କରି ଦେଇ ଥିଲା। ତା ବିଷୟରେ ଆଲୋଚନା ଓ ଚର୍ଚ୍ଚା ଏକ ପ୍ରକାର ସମସ୍ତଙ୍କୁ ବ୍ୟସ୍ତ କରି ରଖୁଥିଲା, ଏକା ନୀଳାଞ୍ଜନାକୁ ଛାଡ଼ି।


ସୌମ୍ୟ ଦର୍ଶନ କିନ୍ତୁ ଅବ୍ୟବସ୍ଥିତ , ଶ୍ମଶୃଳ କେଦାର , ଏକାନ୍ତରେ ବସି ବଂଶୀ ବଜାଉଥିଲା , ନହେଲେ ଚିତ୍ର ଆଙ୍କୁଥିଲା। କଲେଜର ସବୁ ଝିଅ ତା ପ୍ରତି ଆକୃଷ୍ଟ ହୋଇ ଯାଉଥିଲେ। ତା ପାଖକୁ ବାହାନା କରି ଯାଉଥିଲେ, କିନ୍ତୁ କେଦାର ଏପରି ଧ୍ୟାନମଗ୍ନ ରହୁଥଲା ଯେ କାହାର ଉପସ୍ଥିତି ସେ ମୋଟେ ଜାଣି ପାରୁ ନଥିଲା।ଏସବୁ ଦେଖି ନୀଳାଞ୍ଜନା ବିରକ୍ତ ହେଉଥିଲା। ଝିଅ ଗୁଡା଼କର ରୁଚି ଶୀଳତା ବୋଲି କିଛି ନାହିଁ। ସୁନ୍ଦର ରୂପ ଦେଖିଲେ ଲୋଭୀ କୁକୁର ଭଳି ଗୋଡେଇ ଯାଉଛନ୍ତି। ଛିଃ କେତେ ଅପରିସ୍କାର ରହୁଛି ଲୋକଟା। ପାଖକୁ ଗଲେ ଇନ୍ଫେକ୍ସନ୍ ହୋଇ ଯିବ।


  ସେହି ନୀଳାଞ୍ଜନା, ଗୋଟିଏ କନ୍ସର୍ଟରେ କେଦାର ର ବଂଶୀ ବାଦନ ଶୁଣି ଏକା ବେଳକେ ତାର ପ୍ରେମିକା ହୋଇଗଲା। ମୀରା, ରାଧା ଭଳି ପ୍ରେମ ପାଗଳିନୀ। 


ଏହି ରେଳ ଯାତ୍ରା ହିଁ ଆମର ବନ୍ଧୁତ୍ୱରେ ଯବନିକା ଟାଣିଥିଲା।

ସମୟର ଏହି ବିନ୍ଦୁରେ ହିଁ, ଦୁନିଆର ବ୍ୟସ୍ତତାର ଭୀଡ଼ରେ ନୀଳାଞ୍ଜନା ମୋଠାରୁ ଚାଲିଗଲା ଦୂରକୁ ଦୂରକୁ,ଆହୁରି ଦୂରକୁ।


"ତୋ ବାପା ତାହେଲେ ରାଜି ହୋଇଗଲେ?"


"ସେ ଏକ ଲମ୍ବା କାହାଣୀ, "

ଦୀର୍ଘ ନିଶ୍ୱାସ ନେଲା ସିଏ।


"ମୁଁ ଥରେ କେଦାରକୁ ଘରକୁ ଡାକିଥିଲି ,କିନ୍ତୁ ସେ ଇଡିୟଟ ମୋତେ ଠକିଦେଇ ପଳେଇ ଗଲା।ପଛରେ ଆସିବ ବୋଲି କହି"


ମୁଁ ଭାବିଲି ଭଲ କଲା ସିଏ ନ ଆସି। ତା ବାପା ତାକୁ କି ସମ୍ମାନ ଦେଇଥାନ୍ତେ ଯେ? 


"ମୁଁ ବାପାଙ୍କୁ ଯେମିତି ତା ବିଷୟରେ କହିଲି, ସେ କ୍ରୋଧରେ ଅଜ୍ଞାନ ହେଇଗଲେ, ସେ କହିଲେ"-


- ସେହି ଦରିଦ୍ର କାଙ୍ଗାଳ ପାଖରେ ତୁ କି ସୁଖ ପାଇବୁ। ଏହି କୀର୍ତ୍ତି କରିବା ପାଇଁ ମୁଁ ତୋତେ ଦିଲ୍ଲୀ ପଠେଇ ଥିଲି।


- ବାପା ମୁଁ ତା ପାଖରେ କେମିତି ଚଳିବି ସେଇଟା ପ୍ରଶ୍ନ ନୁହେଁ, କାରଣ ଟି ଆଉ କିଛି। ସତ କହିବାକୁ ଗଲେ ଆପଣ ଚାହାଁନ୍ତି ନାହିଁ ଯେ ମୋର ବିବାହ ହେଉ ।ସୁନା ଅଣ୍ଡା ଦିଆ କୁକୁଡ଼ା ଯେ ମୁଁ ତୁମ ପାଇଁ।। 


 ଆକ୍ରୋଶରେ କହି ଦେଇ ମୁଁ ଶୀହରି ଉଠିଲି।। ଏ କଣ କଲି ମୁଁ କିନ୍ତୁ ତୀର ଧନୁରୁ ବାହାରି ସାରିଥିଲା।


ବାପା ନିଜର ଛାତିକୁ ଚାପି ଧରି ସୋଫା ଉପରେ ବସି ପଡ଼ିଲେ।ମାଆ ମୋତେ ସେଠାରୁ ଟାଣି ନେଇଗଲା। "ବାପାଙ୍କ ଜୀବନ ନେବୁ ନା କଣ?"

 

"ବାପା ତ ସୁସ୍ଥ ହୋଇ ଗଲେ, ମୁଁ କିନ୍ତୁ ଭୀଷଣ ଭାବରେ ଅସୁସ୍ଥା ହୋଇ ପଡ଼ିଲି। ଶରୀର ନିସ୍ତେଜ ହୋଇ ଗଲା।ମୂଖ ମଣ୍ଡଳ ଶେଥା ପଡ଼ି ଗଲା। ମୁଁ ବିଛଣା ଲଗା ହୋଇ ପଡ଼ିଲି।"


 ଦିନେ ବାପା ମୋତେ ଖୁବ୍ ସ୍ନେହରେ ପାଖରେ ବସାଇ କହିଲେ,


"ତୁ କଣ ଭାବୁଛୁ ,କେଦାର ଦରିଦ୍ର ବୋଲି ମୁଁ ମନା କରୁଛି। ନା ମା, ଜାଣିଛୁ, ତା ବାପାକୁ ଗଳିତ କୁଷ୍ଠ। ଜାଣି ଜାଣି ମୁଁ ମୋର ସୁକୁମାରୀ ଝିଅକୁ କିପରି ବା କୂଅକୁ ପେଲିଦେବି।"


ପୁଣି କହିଲେ, "ତୋର ଯଦି ବିଶ୍ୱାସ ନ ହେଉଛି ଚାଲ ତୋତେ ଦେଖେଇ ଆଣିବି।" 


 ମୁଁ ଯାଇଥିଲି ବାପାଙ୍କ ସହ ସେହି ପୂତି ଗନ୍ଧମୟ ନର୍ଦ୍ଦମାକ୍ତ ବସ୍ତି କୁ। ତା ଭିତରକୁ ଆମ କାର ପଶି ପାରି ନଥିଲା। ମୁଁ ଆଶ୍ଚର୍ଯ୍ୟ ହେଉଥିଲି, କେଦାର କଣ ଏହି ବସ୍ତିର ବାସିନ୍ଦା? 


ଆମେ ବସ୍ତି ଲୋକଙ୍କୁ ପଚାରିଲୁ ତାର ଠିକଣା। 


 ଜଣେ ଘୃଣାରେ ନାକ ଟେକି କହିଲା,


 "କୁଷ୍ଠ ରୋଗୀ କେଦାରର ବାପା କୁ ଏ ବସ୍ତିରୁ ତଡି଼ ଦିଆ ଯାଇଛି। ଲୁଚେଇ ରଖିଥିଲା। ଯେତେବେଳେ ଆଙ୍ଗୁଠି ପଚି ଝଡି଼ ପଡ଼ିଲା ,ସମସ୍ତେ ଜାଣିଲେ। "


 ମୋର ହୃଦୟ ଶତ ବିଦୀର୍ଣ୍ଣ ହୋଇ ଯାଉଥିଲା। ବାପା ଆଉ କିଛି କହି ନଥିଲେ।


 ମୁଁ କିଛି ଦିନ ପରେ ବାପାକୁ କହିଲି ଯେ ମୁଁ ପି ଏଚ ଡି କରିବାକୁ ବିଦେଶ ଯିବାକୁ ଚାହେଁ। ବାପା ଖୁସିରେ ରାଜି ହୋଇଗଲେ। ମାଆର ମନ ଦୁଃଖରେ ଫାଟି ଯାଉଥାଏ। ଦିନେ ମୋତେ କହିଲା,


" ଅଞ୍ଜନା, ସମସ୍ତଙ୍କ ଭବିଷ୍ୟତ ଦେଖୁଛୁ, ନିଜର ଭବିଷ୍ୟତ ବିଷୟରେ କିଛି କହ ମାଆ। ବିଦେଶ ଯିବା ପୂର୍ବରୁ ତୋର ବିବାହ ବିଷୟରେ କିଛି ଚିନ୍ତା କର।"


 ମୁଁ ଫିକା ହସଟିଏ ହସିଥିଲି।


 ଏତିକି କହିସାରି ନୀଳାଞ୍ଜନା ବାଲିରେ ଗାର ଟାଣିବାକୁ ଲାଗିଲା। ମୋତେ ଲାଗିଲା ସେ ବୋଧେ କାନ୍ଦୁଛି।


 ମୁଁ ପଚାରିଲି ," ଅଞ୍ଜନା, ସତରେ କଣ ତୁ ତୋର ଭବିଷ୍ୟତ ଦେଖି ନଥିଲୁ,।"


" ଅନେକ ଥର ଚେଷ୍ଟା କରିଛି ,ଏକାଗ୍ରତା ଆଣିଛି, କିନ୍ତୁ ପ୍ରତ୍ୟେକ ଥର ମୋତେ କେବଳ ଅନ୍ଧକାର ଦେଖାଯାଇଛି।ଘମାଘୋଟ ଅନ୍ଧକାର। ତାପରେ ମୋର ପ୍ରଭୂଙ୍କୁ ନେହୁରା ହେଲି, ମୋର ଭବିଷ୍ୟତ ଯାହା ହେଉ ପ୍ରଭୂ, ମୋର କେଦାରର ଭବିଷ୍ୟତ ଟିକେ ଦେଖେଇ ଦିଅ। କେଉଁଠି ଅଛି ସେ, କେମିତି ଅବସ୍ଥାରେ ଅଛି।'

 ମୁଁ ଉଦ୍ଗ୍ରିବ ହୋଇ ପଚାରିଲି,


" କଣ ଦେଖିଲୁ?"

 ଉତ୍ତରରେ ସେ ଯାହା କହିଲା ଶୁଣି ମୋର ଲୋମ ଟାଙ୍କୁରି ଉଠିଲା।


" ଗୋଟିଏ ମନ୍ଦିରର ମୁଖ୍ୟ ସିଂହଦ୍ଵାର। ବାହାରେ ଦୁଇ ପାଖରେ ଅନେକ ଭିକାରୀଙ୍କ ଆକୁଳ ଡାକ। କାହାର ହାତ ନାହିଁ।କାହାର ଗୋଡ଼ ନାହିଁ। କାହାର ଆଖିରେ କେବଳ ଦୁଇଟା କଣା। ତାଙ୍କରି ମେଳରେ ବସିଛି କେଦାର। ପାଖରେ ତାର ବଂଶୀ ଟି ପଡ଼ିଛି ହେଲେ ଅଙ୍ଗୁଳି ବିହୀନ ପାପୁଲିରେ ସେ ତାକୁ ଉଠେଇ ପାରୁନାହିଁ କି ଓଷ୍ଠ ବିହୀନ ମୂଖରେ ତାକୁ ବଜେଇ ପାରୁନାହିଁ।"


ଟିକେ ଦମ ନେଇ ପୁଣି କହିଲା,

" ବିଦେଶରେ ଥିଲା ବେଳେ ମାଆ ପୁଣି ଫୋନରେ ନେହୁରା ହୋଇଥିଲା ମୋର ଭବିଷ୍ୟତ ଦେଖିବାକୁ। ଆଉ ମୁଁ ଦେଖିଲି ମଧ୍ୟ।ମାଆ କୁ କହିଲି, ମୁଁ ମୋର ଭବିଷ୍ୟତ ଦେଖିଛି ମାଆ, ମୁଁ ଗାଡ଼ି ନେଇ ଏକ ସୁନସାନ୍ ରାସ୍ତାରେ ଯାଉଛି। ତୋର ଉପହାର ସେହି ନୀଳ ପଶାପଲ୍ଲି ଶାଢ଼ୀ ପିନ୍ଧି। ହଠାତ ମୋ ଗାଡ଼ି ଶହ ଶହ ଫୁଟ ତଳ ଘାଟିକୁ ଡେଇଁ ପଡୁଛି। ତାପରେ ସବୁ ଅନ୍ଧାର।"


ହଠାତ ଚମକି ପଡ଼ି କହିଲା,


 'ଆରେ ବାପରେ, ମୁଁ ଯାଉଛି, ଯେବେଠାରୁ କେଦାରକୁ ପାଇଛି,ତାକୁ ତାଲା ଦେଇ ବାହାରକୁ ଯାଉଛି। କାଳେ ପୁଣି ଠକିଦେଇ ପଳେଇବ। ଯାଏ, ବିଚରା ଏକୁଟିଆ ଛଟପଟ ହେଉଥିବ । ପୁଣିଥରେ ଆସିବି କେଦାରକୁ ନେଇ। ଭେଟିବା ପାଇଁ ଚାହିଁବୁ ତ ?"


 ତା ପରଦିନ କଟକ ବାହାରିଲି ତାକୁ ଖୋଜିବା ପାଇଁ। କ୍ଷୀଣ ସ୍ମୃତି ଓ ତା ବାପାଙ୍କ ନାଁର ଖିଅ ଧରି ଦୀର୍ଘ ପଇଁତିରୀଶ ବର୍ଷ ବ୍ୟବଧାନରେ ତାଙ୍କ ଘର ଖୋଜିବା କାଠିକର ପାଠ ଥିଲା। ତଥାପି ପାଇଗଲି।


  କଲିଂ ବେଲ ବଜାଇଲାରୁ ଚାକରାଣୀ ଆସି କବାଟ ଖୋଲିଲା। ମୁଁ ମୋର ପରିଚୟ ଅଞ୍ଜନାର ସାଙ୍ଗ ହିସାବରେ ଦେଲି। କିଛି ସମୟ ଉତ୍ତାରୁ ଗୃହ ସ୍ୱାମିନୀ ଆସିଲେ, ଓ କ୍ଷୀଣ ଦୃଷ୍ଟିରେ ଚିହ୍ନିବାକୁ ଚେଷ୍ଟା କଲେ। ମୁଁ ତାଙ୍କୁ ଅବଗତ କରେଇଲି ଯେ ମୁଁ ଅଞ୍ଜନା ସହ ଥରେ ଆସି ଦୁଇଦିନ ରହିଥିଲି ଓ ତାଙ୍କ ହାତର ସୁସ୍ୱାଦୁ ମାଛ ତରକାରୀ ଖାଇଥିଲି।


ସେ ଖୁସି ହୋଇ ତାଙ୍କ ଘର ଦେଖେଇ ବାକୁ ଲାଗିଲେ। ସେ ଟିକେ ଉଦ୍ଭ୍ରାନ୍ତ ଜଣା ପଡୁଥାନ୍ତି। ମୁଣ୍ଡ ତାଙ୍କର ଠିକରେ କାମ କରୁ ନଥାଏ ବୋଧେ।ବାର୍ଦ୍ଧକ୍ୟର ପରିଣାମ।। ମୋତେ ନୀଳାଞ୍ଜନା ର ରୁମକୁ ନେଇ ଗଲେ। ସୁଚାରୁ ରୁପେ ସଜା ହୋଇ ରହିଥାଏ କୋଠରୀଟି। ଅତୀତର ସ୍ମୃତି ମନକୁ ଉଚ୍ଛନ୍ନ କଲା। ଏହି ପଲଙ୍କରେ ତ ଆମେ ଦୁଇ ଜଣ ଶୋଇଥିଲୁ। ହେନାର ମତୁଆଲା ବାସ୍ନାରେ ବିଭୋର ହୋଇ କେତେ ଗୀତ ଗାଇଥିଲୁ। ସେହି ବାସ୍ନା ବର୍ତ୍ତମାନ ମଧ୍ୟ ରୁମଟିକୁ ମହକେଇବା ସହ ମୋତେ ମଧ୍ୟ ପାଗଳ କରୁଛି। ନୀଳ ପଶାପଲ୍ଲି ଶାଢ଼ୀଟି ହେଙ୍ଗରରେ ଟଙ୍ଗା ହୋଇଥାଏ। ଏଇ ଶାଢ଼ୀ ଟି ତ ପିନ୍ଧି ଗତକାଲି ସେ ଆସି ଥିଲା । ଶାଢ଼ୀଟା ଯେମିତି ଡ୍ରାଇ କ୍ଲିନ କରି ରଖା ହୋଇଛି। ହଁ , ଅଞ୍ଜନା ଆମ ଭଳି ବେପରୁଆ ନୁହେଁ।ତାର ସବୁକଥା ନିଆରା। ଯେଉଁ ପୋଷାକ ପିନ୍ଧିଥିବ , ତାକୁ ପିନ୍ଧି ଶୋଇ ପଡିଲେ ମଧ୍ୟ ଖୋଲି ଦେଲେ ଯେମିତି କୁ ସେମିତି ନୂଆ। ସାମାନ୍ୟ ଲୋଚାକୋଚା ମଧ୍ଯ ନଥାଏ। ବାଥରୁମ ଯାଇଛି ବୋଧେ। ମୁଁ ତା ବିଷୟରେ ପଚାରିବାରୁ ନ ଶୁଣିଲା ପରି ସେ କହିଲେ,


 " ଯାଏ, ତୁମ ମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରେ। ଅଞ୍ଜନାର ବାପା କଟଲେଟ ଖାଇବେ ବୋଲି କହିଛନ୍ତି। ତୁ ମାଛ ଖାଇବୁ ପରା। ଅଞ୍ଜନାକୁ ପଚାରେ ,ସେ କଣ ଖାଇବ।"


ସେ ପ୍ରସ୍ଥାନ କଲା ପରେ ମୁଁ ଝରକା ପାଖକୁ ଗଲି। ତା ପାଖରେ ଥିବା ଶୋ କେଶ ଭିତରେ କେଦାର ତିଆରି କରିଥିବା ଅଞ୍ଜନାର ପୋର୍ଟରେଟ। ସୂତାଏ ହେଲେ ବଦଳି ନାହିଁ ନୀଳାଞ୍ଜନା ।ସତେକି ଯେପରି ଅମୃତ ଲେପ ଲାଗିଛି ତା ଶରୀରରେ। ସେହି କମନୀୟ ରୂପ।ମୋତେ ଚିଡି଼ ମାଡ଼ିଲା।କେତେ ଡେରି କରୁଛି ।ଏବେବି ବୋଧେ ବାଥରୁମଟା ତା ପାଇଁ ସବୁଠାରୁ ଫୁରସତର ସ୍ଥାନ।


 ଚାକରାଣୀ ଆସି ଚାହା ଜଳଖିଆ ରଖିଲା।ମୁଁ ତାକୁ ପଚାରିଲି ଅଞ୍ଜନା ସମ୍ବନ୍ଧରେ। ସେ ଆଶ୍ଚର୍ଯ୍ୟ ହୋଇ ଶୀତଳ ଦୃଷ୍ଟିରେ ରେ ଅନେଇଲା।


" ଆପଣ କଣ ଜାଣି ନାହାନ୍ତି , ଦେଇଙ୍କର ଗାଡ଼ି ଟେନ୍ସା ଘାଟିରେ ଗଳି ପଡ଼ି ଥିଲା ଓ ସେହି ଦୁର୍ଘଟଣାରେ ଦେଇ ପ୍ରାଣ ହରାଇଥିଲେ । ସେହି ଦିନଠାରୁ ତ ଏ ଘରେ ଦୁର୍ଘଟଣା ପରେ ଦୁର୍ଘଟଣା ଘଟି ଚାଲିଛି। ବାବୁଙ୍କର ମଧ୍ୟ ହାର୍ଟ ଏଟେକ୍ ରେ ମୃତ୍ୟୁ ହେଲା। ମାଆଙ୍କ ମସ୍ତିଷ୍କ ବିକୃତି ଘଟିଲା । ମାଆ ଭାବୁଛନ୍ତି ସମସ୍ତେ ବୋଧେ ଜୀବିତ ଅଛନ୍ତି। ତେଣୁ ସମସ୍ତଙ୍କ ପାଇଁ ଖାଦ୍ୟ ତିଆରି କରାନ୍ତି। ପ୍ଲେଟ ଲଗାନ୍ତି।। ସମସ୍ତଙ୍କୁ ଡାକନ୍ତି। ନ ଶୁଣିଲେ ଶେଷରେ କାନ୍ଦନ୍ତି। "


 ମୁଁ କିଛି ଶୁଣିବା ଅବସ୍ଥାରେ ନ ଥିଲି। କାହାକୁ କିଛି ନକହି ଝଡ଼ ପରି ତାଙ୍କ ଘରୁ ବାହାରି ଆସିଲି। କାଳ ସନ୍ଧ୍ୟା, ସାନ୍ଧ୍ୟ ଆରତୀ ର ଶଂଖ ଧ୍ୱନି ଶୁଣା ଯାଉଥାଏ ସମସ୍ତଙ୍କ ଘରୁ। ମୁଁ ଭୟରେ କାତର ହୋଇ ଶୀଘ୍ର ଶୀଘ୍ର ପାଦ ବଢ଼ଉ ଥାଏ। ସେ କହିକି ଯାଇଛି ,ସେ ପୁଣି ଥରେ ଆସିବ। ଏଥର କିନ୍ତୁ ଏକୁଟିଆ ନୁହେଁ , କେଦାରକୁ ସାଙ୍ଗରେ ନେଇ।


ମୁଁ ସତରେ କଣ ଭେଟିବାକୁ ଚାହିଁବି ତାକୁ?


(ଶୀବାନିଙ୍କ ଉପନ୍ୟସିକାର ଛାୟାରେ)


ଆରତୀ ସାହୁ(ଆଶା)

ବସନ୍ତ ବିହାର

ନୂଆଦିଲ୍ଲୀ

ବିହ୍ୱଳିତ ଆଭା ଗୁଣଗ୍ରାହୀ

Rate the content


Originality
Flow
Language
Cover design

Comments

Post

Some text some message..