ଚାଳକ
ଚାଳକ
ରୋମାଣ୍ଟିକ କବି ମାୟାଧର ମାନସିଂହ
ପ୍ରଦୀପ୍ତ କର ଦୈବତ ଶିଖା
ପରାଣ-କନ୍ଦରେ
ସୁମଧୁର କର ଭବ-ବନ୍ଧନ
ପ୍ରଣୟ-ସ୍ପନ୍ଦରେ ।
ପବିତ୍ର କର ସକଳ କର୍ମ
ଧର୍ମର ନିକଷେ,
ମଙ୍ଗଳ ହେଉ ଯେତେ ଉଦ୍ ଯୋଗ
ଜନ ହିତ-ପରଶେ ।
ସାର୍ଥକ ହେଉ କ୍ଷୁଦ୍ର-ଜୀବନ
ବିଶ୍ଵ-ଜୀବନେ ଲାଗି,
ଆନନ୍ଦମୟ ହେଉ ଏ ଚିତ୍ତ
ସହସ୍ର ସୁଖେ ଭାଗୀ ।
ଅମୃତ ହେଉ ମର ଏ ସତ୍ତା
ଅନିତ୍ୟ ପରିହରି,
ମହାନ୍ ହେଉ ଏ ମଳିନ ଜୀବନ
ବିରାଟରେ ଅନୁସରି ।
ଘୁଞ୍ଚାଅ ଚିତ୍ତୁ ଦୈନ୍ୟ-ଭାବନା
ଗରିମାରେ ଭର ପ୍ରାଣ,
ପ୍ରଲୋଭନେ,ପର-ଆଲୋଚନେ କର,
ସଂଯତ, ନ୍ୟାୟବାନ୍ ।
ନିଃଶେଷ କର ଅହମିକା ମନୁ
ହିଆ ମୈତ୍ରୀରେ ଭର,
କରୁଣାର ଧାରା ବୋହି ନେଇଯାଉ
ବିଭେଦ ଆପଣା-ପର ।
କୃତାର୍ଥ କର ମାନବ-ଜୀବନ
ଶୁଭ, ଆନନ୍ଦ-ମୟ,
ଯଥାର୍ଥ ହେଉ ପ୍ରତି ଉଦ୍ୟମ,
ବିଶୁଦ୍ଧ, ନିର୍ଭୟ ।
ସମାପ୍ତ