ଇପ୍ସିତ ପୁରୁଷ
ଇପ୍ସିତ ପୁରୁଷ
ଜୀବନ ପାତ୍ର ମୋ ଭରିବକି ନାଥ,
ତୁମ ପ୍ରେମ ଦିବ୍ୟ ନୀରେ !
ତୃଷିତ ଅନ୍ତର ବେଦନା ବିଧୁର,
ଭରିଯିବ ଆହ୍ଲାଦରେ !
ଚକୋରୀ ସାଜି ମୁଁ ଅନାଇ ରହିଛି,
ତୁମ କରୁଣାର ବିନ୍ଦୁ !
ଅୟୁତ ଯୁଗର ପିପାସା ମୋହର,
ପୂର୍ଣ୍ଣକର କୃପାସିନ୍ଧୁ !
ହୃଦ ସିଂହାସନେ ବିରାଜିଛ ପ୍ରଭୂ,
ପ୍ରୀତି ଫୁଲ ମାଳ ଧରି !
ଦିବା ନିଶି ତୁମ ପ୍ରତୀକ୍ଷା କରିଛି,
କାହିଁ କେତେ ଯୁଗୁ ହରି !
ଆତ୍ମା ପକ୍ଷୀ ମୋର ଝୁରିହେଉଅଛି,
ଗାଇ ଗାଇ ତୁମ ନାମ !
ପରୀକ୍ଷାର ଅନ୍ତ ଘଟାଇବ କେବେ,
ନବ ଦୁର୍ବାଦଳ ଶ୍ୟାମ !
ଶୂନ୍ୟ ହୃଦ ମୋର ପୂର୍ଣ୍ଣ କି ହୋଇବ,
ପ୍ରଭୂ ଏହି ଜନମରେ !
ଜୀବନ ଭଗ୍ନାଂଶ ସମାହିତ ହେବ,
ତୁମ ବିନାଦ୍ଵିଧା ଆପତ୍ତିରେ !
ପାପ ଆଖି ମୋର ସତେକି ଦେଖିବ,
ମୋହନ ମୂରତି ରୂପ !
ମନ ଆକାଶର ଅନ୍ଧାରି ରାଇଜେ,
ତୁମେ ଜ୍ୟୋତିର୍ମୟ ଦୀପ !
ବିଭୋର ତୁମର ମୋହିନୀ ହସରେ,
ଅଧୀର ଅତୃପ୍ତ ପ୍ରାଣ !
ଚନ୍ଦନ ଚର୍ଚ୍ଚିତ ବାହୁର ଆଶ୍ଳେଷେ,
ଧନ୍ୟକର ମୋ ଜୀବନ !