ରଥରେ ଜଗନ୍ନାଥ
ରଥରେ ଜଗନ୍ନାଥ
ତିନୋଟି ରଥରେ ବିଜେ କରିଛନ୍ତି
ପ୍ରଭୁ ଚତୁର୍ଦ୍ଧାମୂରତି
କି ଅପୂର୍ବ ସୋଭା ଦେଖି ମନଲୋଭା
ମାନବୀୟ ରୀତିନୀତି ।
ବରଷକ ଥରେ ଶ୍ରୀଗୁଣ୍ଡିଚା ଜାତ
ଭକ୍ତଙ୍କ ଦର୍ଶନ ପାଇଁ
ଓଲ୍ଲାଇ ଆସନ୍ତି ରତନ ବେଦୀରୁ
ଦେବୀ ଓ ଜଗତସାଇଁ ।
ମାଉସୀ ମନ୍ଦିର ଯାଇ ସେ ଫେରିବେ
ନଅ ଦିନ ରହି କରି
ମାନବ ଦେବତା ମାନବୀୟ ଲୀଳା
ଅପୂର୍ବ ଏ ସୁଖ ଶିରି ।
ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ
ଯାଉଛନ୍ତି ଜଗନ୍ନାଥ
ହରିବୋଲ ହୁଳହୁଳି ଶବଦରେ
ବଡଦାଣ୍ଡ ପ୍ରକମ୍ପିତ ।
ଜୟ ଜଗନ୍ନାଥ ଜୟ ବଳଭଦ୍ର
ଜୟ ମାଁ ସୁଭଦ୍ରା ଦେବୀ
ଘଣ୍ଟ ବାଇଦରେ ଉଛୁଳି ପଡୁଛି
ସବୁଠି ପ୍ରଭୁଙ୍କ ଛବି ।
ଭକ୍ତ ଭଗବାନ ମିଳନ ଏଠି
ସବୁପୁଣି ଏକାକାର
ଚତୁର୍ଦିଗ ଦିଶେ ଜଗନ୍ନାଥମୟ
ପରିବେଶ ଭାବ ଭକ୍ତିର ।
ରଥର ଦଉଡି ଟାଣି କିଏ ପୁଣି
ଖୁସିରେ ହୁଅନ୍ତି ବିଭୋର
କିଏ ରଥଟିକୁ ଛୁଇଁ ଦେଇ କହେ
ଜଗନ୍ନାଥ ରକ୍ଷାକର ।
ରୋଗୀ ଯୋଗୀ ଭୋଗୀ ସଭିଏଁ ସମାନ
ଏହି ରଥ ଯାତ୍ରାରେ
ପାତର ଅନ୍ତର ନାହିଁ ଭେଦ ଭାବ
ସମସ୍ତେ ସେବକ ଏଠାରେ ।
ସୁଖ ବାଣ୍ଟିବାକୁ ଆସିଛନ୍ତି ପ୍ରଭୁ
ଲୀଳାମୟ ଲୀଳା କରି
ଚମତ୍କାର ଲୀଳା କରୁଛନ୍ତି ପରା
ଭକ୍ତଙ୍କ ସାଙ୍ଗରେ ହରି ।
ଜଗନ୍ନାଥତତ୍ତ୍ଵ ବିଶ୍ଵରେ ବିଖ୍ୟାତ
ଅଦ୍ଵିତୀୟ ରୂପଧାରୀ
ଯେମିତି ରୂପରେ ଭକ୍ତ ଚାହୁଁଛନ୍ତି
ଦିଶେ ପୁଣି ସେହିପରି ।
ଜଗତରନାଥ ଜଗତକରତା
ଭକ୍ତକୁ ଦିଅନ୍ତି ଚାହିଁ
ରଥଯାତ୍ରାଟି ହେଉଛି କେବଳ
ଭକ୍ତଙ୍କ ଶରଧା ପାଇଁ ।
ମାନ ଅଭିମାନ ତ୍ୟାଗ କରିଦେଇ
ଭକ୍ତଟିଏ ହୋଇଯିବା
ଜୟ ଜଗନ୍ନାଥ କହିବା ସର୍ବଦା
ପ୍ରଭୁନାମ ଘୋଷୁଥିବା ।
ପ୍ରଭୁଙ୍କର କୃପା ଅମୂଲ୍ୟ ସ୍ଵରୂପା
ମାନବ ଜୀବନ ପାଇଁ
ଧନ୍ୟ ହେଇଯିବ ଏଶ୍ରେଷ୍ଠ ଜୀବନ
ସେ କୃପା ଟିକକ ପାଇ ।
