!! ଚନ୍ଦ୍ରସେଣା ର ସ୍ବଗତୋକ୍ତି !!
!! ଚନ୍ଦ୍ରସେଣା ର ସ୍ବଗତୋକ୍ତି !!
ଅବାଞ୍ଛିତ ଅସହାୟ ଚନ୍ଦ୍ରସେଣା
ଧୀକ୍କାରେ ନିଜକୁ ,ନିଜ ପୌରୁଷକୁ
ବାରମ୍ବାର ଅନୁଚାରିତ ସ୍ବରରେ
ଅନୁରଣିତ ସ୍ବଗତୋକ୍ତି
ନିଜବିକଳ ବିବଶତାର
ନିଷ୍ଠୁର ସମୟ ଛାତିରେ
ରାଧାର ମନ ଯେ ବନ୍ଧା ପଡିସାରିଛି
କେଉଁ କାଳୁ
ଅଦୃଷ୍ଟର ଇଙ୍ଗିତରେ
ଯମୁନା ତଟରେ
ମୂରଲୀ ସ୍ବନରେ
ନୀପ ତରୁର ତିଳତଣ୍ଡୁଳିତ ଛାୟାରେ
କେବେ ତମାଳ କୁଞ୍ଜରେ
ବିଭୋର ରାଇ ବିନୋଦିନୀ
ଇପ୍ସିତ ନବଘନ କଳାକାହ୍ନୁ
କୋମଳ ଛାତିରେ
ଚନ୍ଦ୍ରସେଣାର ଚେତନା ଚୌହଦୀରେ
ଭୀତତ୍ରସ୍ତ ଭୂତକେଳି
କେବେ ନିଜ କ୍ଲୀବତ୍ବର ହୀନମନ୍ୟତାରେ
ଧୀକ୍କାରେ ନିଜକୁ
ନିଜ ପାରିବା ପଣିଆକୁ
ବଡ ଅସହାୟ ଅନାଲୋଚିତ ସେ ଫର୍ଦ୍ଦ
କେମିତି ଭିଜାଏ ଆଖି
ଚିଆଁଏ ରାତିକୁ
କେବେ ଥରେ ଦେଖିଚ ସେ
ପୁରୁଷ ନାମିତ ଅଣପୁରୁଷାକୁ
ଯିଏ ଜାୟାର କାୟା କୁ ଆବୋରି
ହଜାଇ ବସେ ମନକୁ
ରାଧାର ମନତଳ ବିଭଙ୍ଗ ସ୍ବରକୁ
କେମିତି ସହିବାକୁ ହୁଏ
ଏ ନିଲଠା ପଣ
କେମିତି ନିଜ ଜାଣତରେ ବି ପିଇବାକୁ ହୁଏ
ପୋଷ ପୋଷ ପାପର ଗରଳ
ନିତି ନିତି ନୁଆ ଏକ ସକାଳର ଜନ୍ମ
ଆଉ ,ଗୋଧୂଳିର ଶୀତଳ ମରଣ
ଚନ୍ଦ୍ରସେଣାର ର ସ୍ବଗତୋକ୍ତିରେ
ମଉଳୁଥାଏ ଗୋଟେ ପ୍ରଣୟ ପିପାସୁ ମନ
ଦୈହିକ କାମନା ବାସନାର ଅନ୍ତଃକରଣରେ
ଗୋଟେ ଅତୀନ୍ଦ୍ରୟ ଅନୁଭବ
ସେ ମଣ୍ଡୁଥାଏ ରାଧାର କବରୀ
ସୁସଞ୍ଚ ମଲ୍ଲୀକାର ହାରେ
ସେ ରଞ୍ଜୁଥାଏ ରାଧାର ସୁ କୋମଳ ପଦ
ରକ୍ତିମ ଲାକ୍ଷାରେ
ମନ ତଳେ ନିଜେ ମାରିଦେଇ ମନର ସପନ
ଭାଙ୍ଗୁଥାଏ ପ୍ରଣୟୀ ଗୁମାନ
ହୃଦୟ କୁଞ୍ଜରେ ମଞ୍ଜରୀ ଉଠେ ନିତି ପ୍ରତି
କେଉଁ ଅକଳ୍ପନୀୟ ପ୍ରଣୟ ସୂମନ