କରମ ମୋର ଫଟା
କରମ ମୋର ଫଟା
କା' ଆଗେ କହିବି ମୋର କରମ ତ ଫଟା,
ଆସୁଥିଲେ ମୋତେ କେତେ ବର ଗୋଟା ଗୋଟା।
ବାପା,ମାଆ-ଶେଷେ ହେଲେ ମୋଅରି ବଇରୀ ,
ଏ କଞ୍ଜୁସ୍ ହାତେ-ଦେଲେ ମୋ ଜୀବନ ଡୋରି ।।
ଦେଖିଥିଲି ଯେତେ ଯାହା ସୁନ୍ଦର ସପନ ,
ଏ ଲୋକଟା ଲାଗି ହେଲା ସବୁ ଅକାରଣ ।।
ଭାବିଥିଲି ସାଜି ହୋଇ ସହରେ ବୁଲିବି,
ଘରେ ନ ରାନ୍ଧିକି ନିତି ବାହାରେ ଖାଇବି ।।
ଭଳି ଭଳି ଶାଢି,ଚୁଡ଼ି ଗହଣାକୁ ମଣ୍ଡି ,
ଉଜ୍ଜଳ କରିବି ମୁହଁ ବଢ଼େଇବି ଗଣ୍ଡି ।।
ବୁଢ଼ା, ବୁଢ଼ୀ ଦୁଇଟା ଠୁଁ ଖଣ୍ଡେ ଦୂରେ ରହି ,
ଶାନ୍ତିରେ ନିଃଶ୍ଵାସ ଟିକେ ମାରିବି ଯେ ମୁହିଁ ।।
ହେଲେ ଏଇ କର୍ଣ୍ଣ ପୁଅ ଏଡ଼ିକି ଚତୁର ,
କିଛି ଶୁଣିଲାନି ଦେଲି ଯେତେକ ମନ୍ତର ।।
ବୋପା-ମାଆ ନାଁ ଜପେ, ରାତି ଆଉ ଦିନ ,
ଭାଇ ଭଉଣୀଙ୍କୁ କଲା ଗଣ୍ଠିର ରତନ ।।
ଓଲଟି କହିଲା ମୋତେ ,"ଆଡ଼ଯଷ୍ଟ କର ,
ନ ପାରିଲେ ଯାଆ-ତୁହି, ତୋର ବାପ ଘର ।।
ଜାଣିଅଛୁ , ମୁହିଁ ଅଟେ ସାମାନ୍ୟ କିରାଣୀ
ତୋହ ପାଇଁ ହାତୀ, ଛତି ନ ପାରିବି ଆଣି ।।
ମୋର ବାପା,ମାଆ କେବେ ଯଦି ହେଲେ ଅଡା ଡାଳି ,
ଜାଣିଥା' ମୁହେଁ ତୋର ଦେବି ଚୂନ କାଳି ।।
ସାହି ସାରା ବୁଲେଇବି ବାପା ଭାଇ ଡାକି ,
ଖୋଲିଦେବି ତୋ ଗୁମର, ରଖିବିନି ବାକି ।।"
ସେଇ ଦିନୁ ଡରି ମରି ସପନକୁ ଭୁଲି,
ପଡ଼ି ରହି ଏଠାରେ ମୁଁ ଫୁଙ୍କୁଅଛି ଚୁଲି ।।
ଘର କଥା ବୁଝୁ ବୁଝୁ ଦିନ ଯାଏ ସରି ,
ଦହଗଞ୍ଜ ହେଉଛି ମୁଁ ୟା’ର ହାତ ଧରି ।।
ଜେମା, କମଳି,ରତନି,ଗୁରେଇ ଆଗରେ ,
ଦେଖେଇ ହେଇ ପାରୁନି ଜମାରୁ ବାଗରେ ।।
ପୁଅଟାକୁ କହିଲି ଯେ ବତେଇ ଶିଖେଇ ,
'ବାପା ଆଗେ କହିବୁ ତୁ ଲଗେଇ ଜୁଟେଇ ।।
ତୁମେ ଗଲାପରେ ଘରୁ ବାହାରକୁ ଚାଲି ,
ଜେଜେ,ଜେଜୀ ଦେଉଛନ୍ତି ମାଆକୁ ମୋ ଗାଳି ।।
କିଛି ନ କହିକି ମାଆ ଖାଲି ଯା' କାନ୍ଦୁଛି ,
ମଝିରେ ମଝିରେ ନିଜ ଭାଗ୍ୟକୁ ନିନ୍ଦୁଛି ।।'
ମୋ କଥା ସରିନି ପୁଅ-ଗଲା ଯେ ହୁରୁଡ଼ି ,
ବାପଠାରୁ ଆଉଟିକେ କଲା ବଡ଼ ରଡି ।।
"ଏମିତି ଖରାପ କଥା ଶିଖେଇଲେ ମୋତେ ,
ଜାଣିଥା' ଧକ୍କା ଦେଇ, ଘରୁ କାଢ଼ିଦେବି ତୋତେ ।।
ବାପାଙ୍କୁ ମୁଁ କହିଦେବି ଶିଖେଇଛୁ ଯାହା,
ଲାଜ ଲାଗୁଅଛି ତୋତେ ଡାକିବାକୁ ମାଆ ।।
ଠାକୁର ସମାନ ଜେଜେ,ଜେଜୀ କଲେ କୋପ ,
ଆମ ଉପରେ ପଡ଼ିବ ତାଙ୍କ ଅଭିଶାପ ।।
ସେବା କଲେ-ଆଶୀର୍ବାଦ ଦେବେ ସିଏ ଢାଳି ,
ଆପଦ,ବିପଦ କେତେ ଯିବ ସବୁ ଟଳି ।।
ଏତିକି କଥା ଜାଣିନୁ ହେଇଛୁ କି ମାଆ !
କହୁଛି ମୁଁ ଆଜିଠାରୁ ତୁ ସୁଧୁରି ଯାଆ ।।
ନ ହେଲେ ତୋ ବୟସ ବଢ଼ିଗଲା ପରେ ,
ଛାଡି ଆସିବି ମୁଁ ତୋତେ ବୃଦ୍ଧ ଆଶ୍ରମରେ ।।"
ପୁଅ କଥା ଶୁଣି ମୋର ଉଦେ ହେଲା ବୁଦ୍ଧି ,
ୟାଙ୍କ ଆଗେ ଆଉ ଜମା କରୁନାହିଁ ଜିଦି ।।
ସେଇ ଦିନ ଠାରୁ କେବେ କରିନି ମୁଁ ରଡି-
ଶାଶୁ,ଶ୍ୱଶୁରଙ୍କୁ ଏକା ଯିବାଲାଗି ଛାଡି ।।
ବି ନିରୁପମା
ମାମୁରିଆ, ଛେଣ୍ଡିପଦା, ଅନୁଗୋଳ