ରିମ୍ ଝିମ୍ ବରଷା
ରିମ୍ ଝିମ୍ ବରଷା
ସମସ୍ତେ କହନ୍ତି ଗୁରବେ ବଦନ୍ତୀ
ରିମ୍ ଝିମ୍ ବରଷା ରାଣୀ
ଟିପ୍ ଟିପ୍ ମେଘର ବାଣୀ ।
ବହିରେ ପଢିଲି ଗୀତରେ ଶୁଣିଲି
ମେଘ ବରଷିଲା ଟୁପୁରୁ ଟାପୁରୁ
କେଶୁର ମାଇଲା ଗଜା
କେଉଁ ରାଇଜରେ ରହିଲେ ମୋ ରାଜା
ତେଲିଙ୍ଗି ବାଇଦ ବଜା ।
ରିମ୍ ଝିମ୍ ରିମ୍ ଝିମ୍
ବରଷା ରାଣୀର ପାଉଁଜି ଝିମ୍ ଝିମ୍ ।
କାହିଁ ! ପିଲାଦିନେ ଏ ସବୁ ପାଇଲିନି
ବରଂ ! ବର୍ଷା ଆସିଲେ
ଘୋଟି ଆସେ ଆଗେ କଳା ବାଦଲ
ପବନ ତୁହାକୁ ତୁହା
ସମସ୍ତେ ଘର ମୁଁହା
ଧୂଳି-ଶୁଖିଲା ପତର ସବୁ ଆଗ
ମୁହଁରେ ବାଡେଇ ଯାଆନ୍ତି ଡଗ ଡଗ
ମାତ୍ର ମୁଁ ଖୋଜି ବସେ
କେସୁର-ପାଉଁଜି
ମୁଁ ଆଖି ବୁଜି ବସେ
ଶୁଣିବି ଟୁପୁରୁ ଟାପୁରୁ ।
ସବୁ ଖାଲି ଲାଗେ କାଳ୍ପନିକ
ଆଖାଡୁଆ ଅସତ୍ୟର ସାମୁହିକ ।
ବର୍ଷା ଆସିଲେ କାଦୁଆ ପାଣି ସୁଅ ଚାଲେ
ପିଲାମାନେ ଭିଜିଭିଜି
ଫେରନ୍ତି ସ୍କୁଲରୁ ଇଜି ଇଜି ।
ଚାଳ-କାନ୍ଥ ଭେଦି ପାଣି
ପ୍ଲାବଇ ସାରା ଧରଣୀ ।
ସମୟ ଚାଲଇ ଗଡି
ବୟସ ବି ଯାଏ ବଢି
ବାଳ ବି ଗଲାଣି ଝଡି ।
କଳାତ୍ମକ ଚିନ୍ତାଧାରା ସୌନ୍ଦର୍ଯ୍ଯ ପିପାସା
ମନରେ ପସନ୍ତି ଝାପସା ଝାପସା ।
ମୁଁ ପୁଣି ଭାବେ
ଚିନ୍ତାର ଧାରେ ଧାରେ
କଲମର ଗାରେ ଗାରେ
ବରଷା ରାଣୀ
କଳା ଓଢଣି ଟାଣି
ପାଦ କାଢୁଛି ଚିପି ଚିପି
ସମସ୍ତେ ହ୍ୟାପି ହ୍ୟାପି
ଓଳଚା ଗଡ଼ିରୁ ସରୁ ଧାରାର ପସରା ଲାଗେ
ଭାନୁମତିର ପେଟରା
ମେଘକୁ କରି କଣା
ବର୍ଷା ରାଣୀ ହେଲା କି ବଣା ?
ପେଲି ଚାଲିଛି ଘଣ୍ଟା ଘଣ୍ଟା
ହାତୀ ଶୁଣ୍ଢ ପକେଇ ଟାଣୁଛି
ବିଜୁଳିର ଛଟାରେ ଘଡ ଘଡ଼ିର
ବାଣ ରୋଷଣୀ ନେଇ
ବର୍ଷା ରାଣୀ କି ଯିବ ବାହା ହୋଇ ?
କାନରେ ପଡିଲା ଏବେ
ତେଲିଙ୍ଗି ବାଜାର ସ୍ଵର
ପାଉଞ୍ଜିର ଝମ ଝମ
ମନ ଅଗଣାରେ ବର୍ଷା ପବନର ଖେଳ
ଆଜି ବି ନ ହୁଏ ଥମ ।