ସୁରା ଓ ସୁଧା
ସୁରା ଓ ସୁଧା
ରୋମାଣ୍ଟିକ କବି ମାୟାଧର ମାନସିଂହ
ପ୍ରଥମ ପ୍ରଣୟ ପ୍ରିୟେ ମୋ ଜୀବନ-ପାତ୍ରେ
କାର୍ଯ୍ୟ କଲା ମଦ୍ୟସମ,ମୋ ନିଖିଳ-ଗାତ୍ରେ
ସାଜିଲା ଅନନ୍ତ କ୍ଷୁଧା,ଅନନ୍ତ ପିପାସା,
ବିମୁଗ୍ଧ କଲା ମୋ ପ୍ରାଣ,ବିହ୍ଵଳ ମୋ ଆଶା,
ଜୀବନ ବିଦ୍ରୋହମୟ ।ଫିଙ୍ଗିଲି ଶୃଙ୍ଖଳ
ଫିଙ୍ଗିଲି ଗୌରବ-ମାନ; ସଂସାର-ମଙ୍ଗଳ
ସେହି କାଦମ୍ବରୀ ପାନେ; କସ୍ତୁରିକା ସମ
ଧାଇଁଲି ମୁଁ ଭ୍ରାନ୍ତ ପରି ।ସେ ମୋର ପରମ
ହୋଇଅଛି ଶେଷ ଆଜି ।ଆଜି ହେ ସୁନ୍ଦର
ପବିତ୍ର ଜାହ୍ନବୀ, ସ୍ରୋତେ ଦାଣ୍ଡ ମୋର ଭରି
ଆସିଛି ମନ୍ଦିରେ ମମ ।ସେହି ସୁଧା ପାନେ
ଶାନ୍ତ ମୋ ନିଖିଳ-କ୍ଷୁଧା; ମୋହ-ଅବସାନେ
ଘଟିଛି ମୋ ଜନ୍ମାନ୍ତର ।ସୁରପାନ ପରେ
ପ୍ରେମ ତବ ସୁଧା ସମ ପ୍ରାଣେ କାର୍ଯ୍ୟ କରେ ।
ସମାପ୍ତ