ଗୁରୁ
ଗୁରୁ
ବିଶ୍ବରେ ଯଦି କେ ଶ୍ରେଷ୍ଠ ହୋଇଥାନ୍ତି
ଗୁରୁ ସମ କେହି ନାହିଁ
ଜାଜ୍ୱଲ୍ୟ ଆଲୋକ ପ୍ରତିଭାତ ହୁଏ
ତାଙ୍କ ସମ କେହି କାହିଁ ।
ଆଦର୍ଶର ସିଏ ମୂର୍ତ୍ତିମନ୍ତ ରୂପ
ଜ୍ୟୋତି ଉଦ୍ଭାସିତ ହୁଏ
ସଂସାର କଲ୍ୟାଣ ସଦା କରିଥାନ୍ତି
ଜୀବନ ଦିବ୍ୟତ୍ଵ ପାଏ ।
ଏକ ନିଷ୍ଠ ହୋଇ ଆନୁଗତ୍ୟ ହେଲେ
ଚୁମ୍ବକୀୟ ମନ ହୁଏ
ସମ୍ମୁନତ ହେଲେ ତାଙ୍କ ପାଦ ପଦ୍ମେ
ଜଡ'ବି ଚେତନା ପାଏ ।
ତାଙ୍କ ପରଶରେ ସ୍ଥାବର ଜଙ୍ଗମ
ପ୍ରାଣର ପ୍ରାଚୁର୍ଯ୍ୟ ଭରେ
ଜୀବନୀୟ ହୁଏ ଉଦ୍ଦିପ୍ତ ଚରିତ୍ର
ଉଦ୍ଦବର୍ଦ୍ଧନ ମନ କରେ ।
ପରଶମଣି ସେ ଚୁମ୍ବକୀୟ ଗୁଣେ
ବୈଶିଷ୍ଟ୍ୟ ପ୍ରକାଶି ଥାନ୍ତି
ଜୀବନର ଗତି ସେ ଏକା ଜାଣନ୍ତି
ପ୍ରେମ ଡୋରେ ବାନ୍ଧିଥାନ୍ତି ।
କୋମଳ ହୃଦୟ ତାଙ୍କ ଠାରେ ଜାତ
ନାରିକେଳ ପରି ଥାଏ
ପ୍ରୀତି ପଲ୍ଲବରେ ନିଜର କରନ୍ତି
ଜ୍ଞାନ ସଞ୍ଚାରିତ ହୁଏ ।
ସୁଗନ୍ଧିତ ହୁଏ ସର୍ବାଙ୍ଗ ଶରୀର
ଚନ୍ଦନର ବାସ ପାଇ
ମଳୟରେ ଖେଳେ ନବ ଶିହରଣ
ପ୍ରୀତିର ଆକାଂକ୍ଷା ନେଇ ।
ସିଏ ମୁକ୍ତି ଦାତା ଜୀବନ୍ତ ଈଶ୍ୱର
ସଂସାରର ଚୀର ନାବ
ଆନୁଗତ୍ୟ ହେଲେ ତାଙ୍କ ଆକର୍ଷଣେ
ଛାତ୍ର ପାଏ ବଇଭଵ ।