ହଂସ ବାହିନୀ
ହଂସ ବାହିନୀ
ବିଦ୍ୟା ପ୍ରଦାୟିନୀ ମା ହଂସବାହିନୀ
ଘେନ ମୋ ଭକ୍ତି ପ୍ରଣତି
ପୁସ୍ତକ ଧାରିଣୀ ବିଷ୍ଣୁଙ୍କ ଘରଣୀ
ବିଦ୍ୟାଦାତ୍ରୀ ଭଗବତୀ ।
ଅଜ୍ଞାନ ତିମିର ନାଶ କରି ମାଗୋ
ଭରି ଦିଅ ଜ୍ଞାନାଲୋକ
ତୁମେ ଭାଷା ଜ୍ଞାନ ତୁମେ ଦିବ୍ୟ ଜ୍ଞାନ
ତୁମେ ପଥ ପ୍ରଦର୍ଶକ ।
ତୁମଙ୍କୁ ଭରଷା କରି ମୁଁ ଚାଲିଛି
ତୁମେ ପରେ ମୋର ବିଶ୍ବାସ ରହିଛି
ତୁମରି ଆଶିଷ ଆଶୀର୍ବାଦ କର
ମାଥେ ଦେବ ସରସ୍ବତୀ ।
ପାଦେ କରୁଛି ପ୍ରଣତି ।
ଯାହାକୁଗୋ ମାଗୋ କରଗୋ ସୁଦୟା
ତାର କିଛି ନାହିଁ ଭୀତି
ହେଉ ସେ ଅଜ୍ଞାନୀ ହେଉ ବା ମୁରୁଖ
ଅର୍ଜି ଯାଏ ଯଶ କୀର୍ତ୍ତି ।
ପଣ୍ଡିତରେ ସିଏ ଗଣା ହୋଇଥାଏ
ଇତିହାସ କହୁ ଅଛି
ସାତ ଜନ୍ମ ମୁର୍ଖ କାଳିଦାସ କଥା
ସ୍ବର୍ଣ୍ଣ ଅକ୍ଷରରେ ଅଛି ।
ତୋତେ ସେବି ମାଗୋ ହୋଇଲେ ପଣ୍ତିତ
ଅଭିଜ୍ଞାନଶଙ୍କୁନ୍ତଳା ମେଘଦୂତ
କୁମାରସମ୍ଭବ ଆଦି ରଚିଯାଇ
ସାରା ବିଶ୍ବେ ହେଲେ ଖ୍ୟାତି ।
ଶରଣ ମାଆ ଭଗବତୀ ।
କଣ୍ଠେ ବସି ବାକ୍ୟ କହି ଦିଅ ବୋଲି
ବାକ୍ୟଦେବୀ ନାମ ତୁମ
ଜିଭ ଅଗ୍ରେ ବାସ କର ସରସ୍ବତୀ
କରୁଛି ପାଦେ ପ୍ରଣାମ ।
ଭାଗ୍ୟ ଭବିଷ୍ୟତ ଭାଗ୍ୟ ବଦଳାଅ
ଭଗବତୀ ପଦ୍ମାସନୀ
ଦୟା କର ମାଗୋ ଦିଅ ଦିବ୍ୟ ଜ୍ଞାନ
ବୀଣା ପୁସ୍ତକ ଧାରିଣୀ ।
ତୁମେ ଯଦି ମାଗୋ ନ ହୋଇବ ସାହା
କିଏ କୁହ ମୋତେ ଦେଖାଇବ ରାହା
ମୁହିଁ ମା ଅଜ୍ଞାନୀ କିଛି ବି ଜାଣିନି
ପାଦେ କରୁଛି ବିନତୀ
ବିଦ୍ୟା ଦିଅ ସରସ୍ବତୀ ।
ଜାଣି ନାହି ତନ୍ତ୍ର ଜାଣି ନାହିଁ ମନ୍ତ୍ର
ନାହିଁ ମୋର ଭକ୍ତି ଭାବ
କି ଦେଇ ପୂଜିବି ପୟର ସେବିବି
କି ଭୋଗ ବାଢିବି ନେବ ।
ମନ ଫୁଲ ଦେଇ ପାଦ ବନ୍ଦୁଅଛି
ହୃଦୟ ଭକତି ଢାଳି
କହି ଦିଅ ଶବ୍ଦ ପଦ ସରସ୍ବତୀ
ହାତ ଯୋଡି କରେ ଅଳି ।
ଲୋକ ହସା ଆଉ କରନି ଜନନୀ
ଚଳାଇ ଦିଅଗୋ ତୁମରି ଲେଖନୀ
ଅବୋଧ ଅଜ୍ଞାନୀ ମୁଁ ବଡ ପାପୀନି
ପାଦେ ଆଶ୍ରା ଭଗବତୀ ।
ଦୋଷ କ୍ଷମ ସରସ୍ବତୀ ।