STORYMIRROR

Snigdha Panda

Abstract Classics Others

3  

Snigdha Panda

Abstract Classics Others

ପ୍ରତିରୂପ

ପ୍ରତିରୂପ

1 min
82

ତୁମକୁ ଦେଖାଯାଉଥିବା ମୁଁ 

ଦେଖାଯାଉ ନଥିବା ମୁଁ 

ଦୁଇ ଜଣଙ୍କୁ ମତେ ବୋହିବାକୁ ପଡେ

ସବୁବେଳେ 

ଚାହିଁଲେ ବି କାହାକୁ ହଜେଇପାରେନା 

କି ଛାଡିପାରେନା କେଉଁଠି 

ଭୁଲି ଗଲି କହିପାରେନା କେତେବେଳେ ॥


ଜଣେ ହସୁଥାଏ ଦିନସାରା

ଲୁଗା ପିନ୍ଧୁଥାଏ ତମ ପସନ୍ଦର 

ସଜଉଥାଏ, ଜଗିଥାଏ ତମ ଘର 

ରୁଟି ସେକୁଥାଏ ନିଆଁରେ 

ଭୋକ ଥାଉ କି ନ ଥାଉ 

ରାତିର ଖାଇବା ବନ୍ଦ ହୁଏ ନାହିଁ 

ଆଉ ଜଣେ ଲୁହ ପୋଛେ ନିଜ ଆଡେ ଚାହିଁ 

ଅନ୍ଧାର ଘେରିଥାଏ ସମସ୍ତ ପ୍ରହର

ଲୁଚେଇବାକୁ  

ପାଣିକାଦୁଅର ଅସନା ସଂସାର ॥


ଜଣେ କହିବ କହିବ ହେଇ ଶବ୍ଦ ସବୁକୁ 

ଓଠ ପଛରେ କୋଲପ ପକାଏ 

ଅଥଚ ଜାଣିବାକୁ ଦିଏ ନାହିଁ

ପ୍ରେମ ନାଁରେ  

ହୃଦୟ ଫାଟି ରକ୍ତ ଝରୁଚି 

ନିଜକୁ ଖଣ୍ଡେ ଖଡିକା ଅଗରେ 

ଫୁଲ ପରି ଫୁଟେଇଲା ବେଳେ  

ଆଉ ଜଣେ ତପସ୍ୟା କରୁଥାଏ 

ନୀରବତାର ଉଇ ହୁଙ୍କା ଭିତରେ 

ସାରି ଦେଉଥାଏ ଅସ୍ତିତ୍ଵ 

ସ୍ୱପ୍ନମାନଙ୍କ ବଣିଜରେ ॥


ଜଣେ ଚିରି ହେଉ ଥାଏ

ପ୍ରସ୍ତ ପରେ ପ୍ରସ୍ତ 

ଆଉ ଜଣେ ପ୍ରତିରୂପ ତାର 

ପୋଛୁଥାଏ ରକ୍ତ 

ଜଣେ ଭୂକମ୍ପ ବିଧ୍ୱସ୍ତ

ଆଉ ଜଣେ ଆଙ୍କୁଥାଏ 

ଭଙ୍ଗା ଇଟା ବାଲିଗୋଡ଼ି ଉପରେ 

ସାନ୍ତ୍ବନାର ସନ୍ତକ ॥

******



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract