କୋଣାର୍କ ଶିଳା
କୋଣାର୍କ ଶିଳା
ତତେ ଦେଖିଥିଲି କୋଣାର୍କ ଶିଳାରେ
ନର୍ତ୍ତକୀର ଲାସ୍ୟ ମୁଦ୍ରାରେ
ତତେ ଦେଖିଥିଲି ଝାଉଁ ବୀଥିକାର
ମର୍ମର ତାନ ଛନ୍ଦରେ
ଜହ୍ନ ଉଇଁଥିଲା ନୈଋତ କୋଣରେ
ବେଳାଭୂମିର ଜୋଛନା ରାଶି
ମନେ ହେଉଥିଲା ଫିଟିକି ପଡିଛି
କବରୀରୁ ତୋର ମଲ୍ଲୀ ପାଖୁଡା ଖସି
ଜହ୍ନ ଛପିଥିଲା ବାଦଲ ଉହାଡେ
ଆକାଶେ ଅଂଧାର ରଚିଲା ମାୟା
ଏ ଶୁଭ ଲଗନେ ତତେ ମୁ୍ଁ ପାଇଲି
ବହଳ ଅଂଧାରେ ହୋଇଛୁ ଠିଆ
ତତେ ଦେଖିଥିଲି ଦୁର୍ବାଦଳ ପରେ
ସାଧବାଣୀ ବୋହୂ ରୂପରେ
ତତେ ଦେଖିଥିଲି ପ୍ରତିଚୀ ବଳୟେ
ଇନ୍ଦ୍ରଧନୁ ସପ୍ତରଂଗରେ
ଧ୍ୱନି ପ୍ରତିଧ୍ୱନି ନୂଆ ନୂଆ ଭାବ
ସ୍ପନ୍ଦନ ଜଗାଏ ସ୍ୱପ୍ନରେ
ତତେ ଦେଖିଥିଲି କୋଣାର୍କ ଶିଳାରେ
ନର୍ତ୍ତକୀର ଲାସ୍ୟ ମୁଦ୍ରାରେ l