ନିଦ ମୋ ଚୋରେଇ ନେଲା
ନିଦ ମୋ ଚୋରେଇ ନେଲା
ନୀଳ ତନୁ ଦେଖି ମନ ଦେଇଥିଲି
ନିଦ ମୋ ଚୋରେଇ ନେଲା ,
ଏଡ଼ିକି ଛଳିଆ,ଜାଣିଶୁଣି ସିଏ
ମୋ ସାଥେ କପଟ କଲା ।
କାହାକୁ ମୁଁ କହିବି ଭଲା ;
ବିହି,ଲଲାଟେ ମୋ ଲେଖିଥିଲା ।
କେଡ଼େ ଭରସାରେ ଅସୀମ ଆଶାରେ
ଧରିଥିଲି ତା'ର ପାଦ ,
ଜାଣେନା କି ଲାଗି ଅଣହେଳା କଲା
ମୋହ ସାଥେ କରି ବାଦ -
ଚିହ୍ନିବା କି ସହଜ ତାକୁ ;
ପଣ କରିଛି ପ୍ରାଣ ନେବାକୁ !
ପ୍ରାଣ ଗଲେ ଯାଉ ନାହିଁ ମୋର ଡର
ଥାଉ ତା' ସାଥିରେ ଭାବ ,
ଶୋଚନା ତେଣିକି ରଖିଦେଇଅଛି
ମିଳୁ ବା ନ ମିଳୁ ଲାଭ -
ମନେ ରାଜୁ ମୋହନ ରୂପ ;
ଦୂର ହେଉ ଏ ହୃଦୟ ତାପ ।
ବି ନିରୁପମା
ମାମୁରିଆ,ଛେଣ୍ଡିପଦା,ଅନୁଗୋଳ ।