ସ୍ୱପ୍ନର କାଚଘର
ସ୍ୱପ୍ନର କାଚଘର
ମନେ ନାହିଁ ଠିକ ସେ
କେଉଁ ତିଥି ବାର
କେଉଁ ଏକ ଅଜଣା ମୁହୂର୍ତ୍ତରେ
ପରିଚୟ ହେଲା
ତମର ମୋର ।
ଉଡ଼ିଗଲେ ଦୁହେଁ ଆମେ
ସ୍ୱପ୍ନରେ ଭାସିଗଲେ
ତାଜମହଲର କାହାଣୀ ଶୁଣି
ବେଶ କିଛି ରୋମାନ୍ସ କରି
କେତେ ଲିଜର ପିରିୟଡ଼
ମନଭରି କାଟିନେଲେ ।
କିଛି ବର୍ଷର ବ୍ୟବଧାନରେ
ହଠାତ ଭାଙ୍ଗିଗଲା
ମୋ ସ୍ୱପ୍ନର କାଚଘର
ପଡ଼ି ରହିଲା ଖାଲି ଭଙ୍ଗାମନ
ଆଉ ଦରପୋଡା ପ୍ରାଣ
ସମ୍ଭାବନା ରହିଲାନି ପୁଣି
ତମ ଫେରିବାର ।
ଜାଣେନା....
ଆଉ ତମେ
ଫେରିବ କି ନାହିଁ ?
ହେଲେ ....
ବେଳେବେଳେ ଘଟିଯାଏ
କିଛି ଅଘଟଣ
ଧୂ ଧୂ ଖରାବେଳଟାରେ
ବାୟା ଚଢ଼େଇଟି
ଧସେଇ ପଶିଆସେ
ଉଛୁର ସୂର୍ଯ୍ୟାସ୍ତରେ
ଦର୍ପଣରେ ଉଙ୍କିମାରେ
ତା ' ପ୍ରତିବିମ୍ବ କହିଦିଏ
ମୋ ଅସୁମାରୀ ସ୍ୱପ୍ନ ସବୁ
ଯୋଡ଼ି ହେଇଯାଏ ଠିକ
ଫୁଲର ମାଳା ପରି
ଆଉ ମୁଁ ....
ଲାଜେଇ ଲାଜେଇ
ମୁହେଁ ହାତ ଦେଇ
ସରିମି ଯାଏ
ଲାଜକୁଳୀ ଲତା ପରି ।
ଚଗଲା ମନଟା ମୋର
ଛୁପିଛୁପି ପଚାରେ
ଏବେ ତମେ କେଉଁଠି ?
ମୃଦୁ ମଳୟ ପବନରେ
ଭାସିଆସେ....
କଅଁଳିଆ ସ୍ୱରଟି
କାନେ ମୋର କହିଯାଏ
ପଛକୁ ବୁଲି ଦେଖ
ପାଖେ ପାଖେ ଅଛିଟି ।
ଖିଲିଖିଲି ହସିଦେଇ
ବୁଲି ଚାହିଁ ଦେଖେତ...
ଜୀବନର କଣ୍ଟକିତ ରାସ୍ତାରେ
ସବୁକିଛି ହରାଇବାର
ଖାଁ ଖାଁ ଭିତରେ
ପୁଣି କିଛି ନ ପାଇବାର
ଶୂନ୍ୟତାର ଭିତରେ
ମୁଁ ଜଳିଯାଏ
ପ୍ରେମର ଯନ୍ତ୍ରଣାରେ ।

