ପକ୍ଷୀ- ମୋହମୁକ୍ତ
ପକ୍ଷୀ- ମୋହମୁକ୍ତ
ପଞୁରୀରେ ବାନ୍ଧିବାକୁ ତୋତେ
ଗଢିଦେଲି ସକଳ ଐଶ୍ୱର୍ଯ୍ୟ ଦେଇ
ଅନ୍ତରର ଅତଳଗହ୍ୱରେ ବହୁଦିନୁ
ଲୁକ୍କାୟିତ କରି ରଖିଥିବା ସବୁ
ମଣିମୁକ୍ତା ବୈଦୁର୍ଯ୍ଯ ସମ୍ଭାର
ସୁନାର ଶିକୁଳି ସହ
ଅଷ୍ଟ ଐଶ୍ୱର୍ଯ୍ୟ ଭରା
ସସାଗରା ପୃଥିବୀର ବିପୁଳ ବିସ୍ତାର ।
ପିଇବାକୁ ଆଣି ଦେଲି
ବେଣ୍ଟପୋଖରୀର ପାଣି ବିଶୁଦ୍ଧ ନିର୍ମଳ
ଦୋଳିଖେଳିବାକୁ ଖଞିଦେଲି
ତୋ ପାଇଁ ସାରାଟା ଆକାଶ
ସଞିବନୀ ସୁଧା ସମ ଭୁଞାଇଲି
ଅସରନ୍ତି ସୋହାଗ ଭଣ୍ଡାର
ବରିନେଲି କୁମ୍ଭୀପାକ ଯନ୍ତ୍ରଣାର
ସବୁ ନର୍କବାସ ।
ତଥାପି ବୁଝେନା ମନ ତୋର
ଚଞ୍ଚଳ ପକ୍ଷରେ ତୋର
ସପନର ସାତରଙ୍ଗ ମାଖି
ଉଡ଼ିଗଲୁ ପଞୁରୀକୁ ଫାଙ୍କିଦେଇ
ଭୁଲିଗଲୁ ପ୍ରଜନ୍ମର ପୂଣ୍ୟ ବେଦୀ
ପଥଭ୍ରଷ୍ଟ ସମୟର ଚକ୍ରାନ୍ତରେ
ବାଟ ହୁଡିଗଲୁ , ହେଲୁ କେଡ଼େ ନିରିମାଖୀ !
ଆକାଶର ବିପୁଳ ବିସ୍ତାର
ଆଖି ଖୋଲିଦେଲା ତୋର
ମାଳ ମାଳ ରଙ୍ଗୀନ ଆଲୋକ ବର୍ଣ୍ଣବିଭା
ଆଗେ ଯାହା ବଦଳୁଛି ପଲକରେ ବାରମ୍ବାର
ଶାଶ୍ୱତୀ ଏ ପ୍ରକୃତିର ଅପରୂପ ଶୋଭା ।
ଏଠି ଖାଲି ମଳୟ ବହେନା ପକ୍ଷୀ
କେବଳ କୋଇଲି ଗାଏ ନାହିଁ
ଫୁଲଫୁଟା ବାସ୍ନାୟିତ ଜହ୍ନରାତି
ଝଡ଼ର ଝଙ୍କାରେ କେବେ କେବେ
ଅସମ୍ଭାଳେ ନାଚେ ଥେଇ ଥେଇ।
ଉତ୍ତାଳ ତରଙ୍ଗ ଧୋଇଦିଏ ସବୁକିଛି
ଉତ୍ ଫଣିତ ସ୍ରୋତ ମାନେନାହିଁ
କ୍ଷମତାର ଉତ୍ତୁଙ୍ଗ ଶିଖରୀ
ପ୍ରଲୋଭନ ,ଆକର୍ଷଣ ,ଯେତେ ମାୟାଜାଲ
ଭୂଲୁଣ୍ଠିତ ହୁଏ ଆହା ସୁଷମାର ଶିରି ।
ନଇଁ ଯାଏ ବନସ୍ପତି ,ମହାଦ୍ରୁମ ସବୁ
ଭାଙ୍ଗି ହୁଏ ଚୂର୍ ମାର୍
କେତେ କେତେ ଅଭିଳାଷ ସାଇତା ସପନ ,
ମୁଗ୍ଧ ଶାନ୍ତ ଆକାଶଟା ପୁଣି
ବଦଳାଇ ଦିଏ ସବୁ ସଂଜ୍ଞା ଓ ଠିକଣା
ଧୋଇପୋଛି ସଜତନେ କରିଦିଏ
ଯେତେ ସବୁ ସ୍ମୃତି ପୁରାତନ।
ତୁ କଣ କରିବୁରେ ପକ୍ଷୀ
ଏତେ ସବୁ ଘଟିଗଲା ପରେ
ପରିତ୍ୟକ୍ତ ପୃଥ୍ଵୀ ପଥ ତୋର
ହଜିଯାଇଥିବ ସେତେବେଳେ
ଗତିଷ୍ମାନ ସମୟ ସାଗରେ !
ଆଉ ତ ତୁ ଖୋଜିଲେ ବି
ପାଇବୁନି ଠିକଣା ତାହାର
ମୁଁ ଆଉ ମୁଁ ତ ନଥିବି
ତୁ ମଧ୍ୟ ନଥିବୁରେ ଆୟତେ ତୋହର
ନଥିବ ସଜ୍ଜିତ ସବୁ ପଞୁରୀ ସହିତ
ରାଜ୍ଯ ,ରାଜବାଟୀ ଆଉ ରାଣୀ ଅନ୍ତଃପୁର।
ଅବଶିଷ୍ଟ ଯାହା ଥିବ ,ଭଗ୍ନପକ୍ଷ କ୍ଳାନ୍ତ ଅବସନ୍ନ
ଉଦ୍ଯତ ଛଞ୍ଚାଣ ପଞା ତଳେ
ନମିଷକେ ଆଖି ପିଛୁଳାକେ
ହଜିଯିବ ନାମ ଧାମ ସହ ପାଦଚିହ୍ନ ।
ଏଇତ ଜୀବନ ପକ୍ଷୀ
ଖୋଲିଦେଲି ମିଛମୋହ ପଞୁରୀ ର
ଭାଙ୍ଗିଗଲା ସପନକୁ ପଣତରେ ରଖିଲି ସାଇତି
ଯା ଉଡି ନୀଳ ଆକାଶକୁ
ତୋର ଅବଶିଷ୍ଟ ଅଭିଳାଷ ପରିପୂର୍ଣ ହେଉ
ଦେଖିବାକୁ ରହିଲା ଯା ସମୟକୁ ବାକି।
ସ୍ଥିରନୁହେଁ ପଞୁରୀ ର ମାୟା ଜାଲ
ଅନ୍ଧ ଅର୍ଗଳୀରେ ଖାଲି ଛଟପଟ ହୁଏ
ବୁଝିବା ମୋ ଭୁଲ୍ ଥିଲା ,ବୁଝିଗଲି
ମୁକ୍ତି ଦେଇ , ମୁକ୍ତି ମଧ୍ୟ ଲଭିବାକୁ ହୁଏ।