ଏ ଜୀବନ, କିଛି କଥା କିଛି ବ୍ୟଥା
ଏ ଜୀବନ, କିଛି କଥା କିଛି ବ୍ୟଥା
ଏଇ ଦେଖ ଏ ଜୀବନକୁ
ଜିଇଁବାର ଅତୁଟ ମୋହରେ
ଧାଉଁଛି କିପରି
ସଂଘର୍ଷର ନିଥର ମରୁରେ
ତ ପୁଣି କେବେ
ସ୍ବପ୍ନର ସବୁଜ ଇଲାକାରେ
ସମୟର ପଥ ଅତିକ୍ରମ କରି
ଭାବନାର ଏକାନ୍ତ ପ୍ରତୀକ୍ଷାରେ
ଏ ଜୀବନ ଚାଲିଛି
ନିଜେ ନିଜ ସହିତ ସାଲିସ୍ କରିବାର
ଏକ ଆତ୍ମ ବୋଧର ପ୍ରତେୟଟିଏ ନେଇ l
ପୃଥିବୀର ଏଇ ବିଶାଳ ଭୂଖଣ୍ଡରେ
କେବେ ଅଖ୍ୟାତରୁ ପ୍ରଖ୍ୟାତ ହେବାର
ରଙ୍ଗୀନ ସ୍ବପ୍ନରେ ବିଭୋର ହୋଇ
ତ ପୁଣି କେବେ
ନିଜପାଇଁ ଜୀବନ ଜିଇଁବାର
ସାମାନ୍ୟ ଜାଗାଟିଏ ଯୋଗାଡ଼ କରିବାର
ଏକ ଦୁର୍ବାର ପ୍ରଚେଷ୍ଟାରେ ଅଣନିଃଶ୍ୱାସୀ ହୋଇ l
ସଫଳତାର ବାଗ୍ମିତାରେ
ଆତ୍ମ ବିଶ୍ୱାସର ଦାମ୍ଭିକତାରେ
ପୁଣି ସାମର୍ଥ୍ୟର ଯୋଗ୍ୟତାରେ
ଆତ୍ମହରା ହୋଇ
ଆତ୍ମବଡିମାର ଫୁତ୍କାରରେ
ଏ ଜୀବନ
କେବେ ନିଜ ଅସ୍ତିତ୍ବର କ୍ଷମତାକୁ ଜାହିର କରେ
ତ ପୁଣି କେବେ
ଏକ ଅପାରଗତାର ଅସହାୟତା ଭିତରେ ମାଡି ମକଚି ହୋଇ
ଗୋଟିଏ ନିଷ୍ପ୍ରଭ ଜୀବନ ଜିଇଁବାକୁ ବାଧ୍ୟ ହୁଏ l
ଆଶା ଅଭିଳାଷର ବିନିଦ୍ର ରଜନୀରେ
ସ୍ୱପ୍ନର ନଭଶ୍ଚୁମ୍ବୀ ଅଟ୍ଟାଳିକା ଛିଡା କରୁ କରୁ ରାତିପାହିଯାଏ
ଦେଖିଲାବେଳକୁ
ନା ଥାଏ ଅଟ୍ଟାଳିକାର ପଦଚିହ୍ନ
ନା ଥାଏ ସ୍ବପ୍ନର ବାସ୍ତବତା
ଥାଏ ଖାଲି ମେଞ୍ଚା ମେଞ୍ଚା ବୃଥା ଆସ୍ଫାଳନ
ଆଉ ମୋହାଚ୍ଛନ୍ନତାର ମିଛ ପ୍ରହେଳିକା l
ତେଣୁ ଆସ ଏ ଜୀବନକୁ ବୁଝିବା, ତାକୁ ପରଖିବା
ବିଶ୍ଳେଷଣତାର ପରିବେଷ୍ଟନୀରେ
ସତ୍ୟତାର ମାର୍ଗଦର୍ଶନୀରେ
ନିଜର ସତ୍ ସାମର୍ଥ୍ୟରେ
କର୍ମଠ ଜୀବନର କର୍ତ୍ତବ୍ୟବୋଧତାକୁ ନେଇ
ନିଜେ ବଞ୍ଚିବା
ଆଉ
କୋଟି କୋଟି ନିଃସଂଗ ପ୍ରାଣରେ
ଜିଇଁବାର ଆଶା ସଞ୍ଚାର କରିବା
ସଭିଏଁ ବଢିବା ଆଉ ସଭିଏଁ ଗଢିବା
ବସୁଧୈବକୁଟୁମ୍ବକମ୍ ନ୍ୟାୟରେ
ଏକ ସଦ୍ ଭାବନାର ବିଶ୍ୱ l
ଯେଉଁଠି ନଥିବ
ଦୁଃଖ ଦୈନ୍ୟର କ୍ରୁର ବିଭୀଷିକା
କ୍ଷୁଧାର ଅସହ୍ୟ ଜ୍ୱାଳାରେ ଛଟପଟ ହେଉଥିବା
ଅସହାୟ ମଣିଷମାନଙ୍କର ଆର୍ତ୍ତ ଚିତ୍କାର
ନାର୍ଯ୍ୟ ଅଧିକାରର କ୍ଷୁର୍ଣ୍ଣତା
ଅନ୍ୟାୟ, ଅତ୍ୟାଚାର, ଉତ୍ପୀଡ଼ନର କ୍ରୁର ମାନସିକତା
ଭ୍ରଷ୍ଟାଚାର ଆଉ ବିଶ୍ୱାସଘାତକତାର ବିକୃତ ପଦଚିହ୍ନ l
