STORYMIRROR

Kishore Nayak

Fantasy

4  

Kishore Nayak

Fantasy

ଏମିତି କାହିଁକି ହେଲା

ଏମିତି କାହିଁକି ହେଲା

1 min
258


ବିଶ୍ୱାସ ହରାଇଛି ବିଶ୍ୱାସ ଏଠି 

ନିଃଶ୍ୱାସ ଖୋଜୁଛି ମୁକ୍ତ ବାୟୁ 

ଜୀବନ ଖୋଜୁଛି ବଞ୍ଚିବାର ରାହା 

ଖୋଜୁଛି ସେ ଦୀର୍ଘ ପରମାୟୁ ll

ଏମିତି ସମୟ କାହିଁକି ଆସିଲା 

ଜୀବନ ଭୋଗୁଛି ଯାତନା ଏଠି 

ଭରସାର ତରୁ ଅଛି ମରୁ ମରୁ 

ନିଃସଂଗ ମରୁରେ ପାରୁନି ଉଠି ll

ଆଶାର ସଳିତା ନିତି ଲିଭେ ଏଠି 

ସ୍ବପ୍ନ ହୁଏ ଦିଗହରା 

ମିଛ ପ୍ରତିଶୃତି ମିଛ ଆଶ୍ୱାସନା 

ଛଳନାରେ ଖାଲି ଭରା ll

ନିତି ହୁଏ ଏଠି ଲୋତକର ବର୍ଷା 

ହସର ତ ନାହିଁ ଦେଖା 

ଯନ୍ତ୍ରଣା ଜ୍ୱାଳାରେ ଜଳୁଛି ଜୀବନ 

ନିତି ହୁଏ ମୃତ୍ୟୁ ମୁଖା ll

ନିଷ୍ଠୁରତା ଏଠି ରକ୍ତମୁଖା ହୋଇ 

ଦୟାକୁ କରୁଛି ନାଶ 

ମାନବିକତାକୁ ଭୁଲି ଏ ମଣିଷ 

ଧରିଛି ଦାନବ ବେଶ ll

ମିଛ ଅହଂକାର ଆତ୍ମ ବଡ଼ିମାରେ 

ଦୁନିଆଟା ଏଠି ଅନ୍ଧ 

ଭୋକ ବିକଳରେ ନିରୀହ ମଣିଷ 

ବାନ୍ଧୁଛି ଜୀବନ ବନ୍ଧ ll

କାହା ସ୍ୱାର୍ଥ ଲାଗି କିଏ ଏଠି ଭାଇ 

ଅକାଳେ ପଡୁଛି ବଳି 

ନିଜ ସୁଖ ପାଇଁ ସମ୍ପର୍କ ନୀଡ଼ରେ 

ଲଗାଇ ଦେଉଛି କଳି ll

ଲୋଭ, କାମନାର ନଷ୍ଟ ପ୍ରବୃତ୍ତିରେ 

ଜଳୁଛି ଅଶାନ୍ତି ନିଆଁ 

ନୃଶଂସତା ଏଠି ସବୁ ସୀମା ଡେଇଁ 

ଖୁସିରେ ମାରୁଛି ଡିଆଁ ll

ତୁମେ କ'ଣ ପ୍ରଭୁ ତୁମ ଏ ସୃଷ୍ଟିକୁ 

ଏପରି ଗଢିବା ଥିଲା? 

ଯଦି ନ ଗଢ଼ିଛ, ତେବେ ଏ ଦୁନିଆ 

ଏମିତି କାହିଁକି ହେଲା?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy