ଏମିତି କାହିଁକି ହେଲା
ଏମିତି କାହିଁକି ହେଲା
ବିଶ୍ୱାସ ହରାଇଛି ବିଶ୍ୱାସ ଏଠି
ନିଃଶ୍ୱାସ ଖୋଜୁଛି ମୁକ୍ତ ବାୟୁ
ଜୀବନ ଖୋଜୁଛି ବଞ୍ଚିବାର ରାହା
ଖୋଜୁଛି ସେ ଦୀର୍ଘ ପରମାୟୁ ll
ଏମିତି ସମୟ କାହିଁକି ଆସିଲା
ଜୀବନ ଭୋଗୁଛି ଯାତନା ଏଠି
ଭରସାର ତରୁ ଅଛି ମରୁ ମରୁ
ନିଃସଂଗ ମରୁରେ ପାରୁନି ଉଠି ll
ଆଶାର ସଳିତା ନିତି ଲିଭେ ଏଠି
ସ୍ବପ୍ନ ହୁଏ ଦିଗହରା
ମିଛ ପ୍ରତିଶୃତି ମିଛ ଆଶ୍ୱାସନା
ଛଳନାରେ ଖାଲି ଭରା ll
ନିତି ହୁଏ ଏଠି ଲୋତକର ବର୍ଷା
ହସର ତ ନାହିଁ ଦେଖା
ଯନ୍ତ୍ରଣା ଜ୍ୱାଳାରେ ଜଳୁଛି ଜୀବନ
ନିତି ହୁଏ ମୃତ୍ୟୁ ମୁଖା ll
ନିଷ୍ଠୁରତା ଏଠି ରକ୍ତମୁଖା ହୋଇ
ଦୟାକୁ କରୁଛି ନାଶ
ମାନବିକତାକୁ ଭୁଲି ଏ ମଣିଷ
ଧରିଛି ଦାନବ ବେଶ ll
ମିଛ ଅହଂକାର ଆତ୍ମ ବଡ଼ିମାରେ
ଦୁନିଆଟା ଏଠି ଅନ୍ଧ
ଭୋକ ବିକଳରେ ନିରୀହ ମଣିଷ
ବାନ୍ଧୁଛି ଜୀବନ ବନ୍ଧ ll
କାହା ସ୍ୱାର୍ଥ ଲାଗି କିଏ ଏଠି ଭାଇ
ଅକାଳେ ପଡୁଛି ବଳି
ନିଜ ସୁଖ ପାଇଁ ସମ୍ପର୍କ ନୀଡ଼ରେ
ଲଗାଇ ଦେଉଛି କଳି ll
ଲୋଭ, କାମନାର ନଷ୍ଟ ପ୍ରବୃତ୍ତିରେ
ଜଳୁଛି ଅଶାନ୍ତି ନିଆଁ
ନୃଶଂସତା ଏଠି ସବୁ ସୀମା ଡେଇଁ
ଖୁସିରେ ମାରୁଛି ଡିଆଁ ll
ତୁମେ କ'ଣ ପ୍ରଭୁ ତୁମ ଏ ସୃଷ୍ଟିକୁ
ଏପରି ଗଢିବା ଥିଲା?
ଯଦି ନ ଗଢ଼ିଛ, ତେବେ ଏ ଦୁନିଆ
ଏମିତି କାହିଁକି ହେଲା?
