ଶୁଖିଲା ପତର
ଶୁଖିଲା ପତର
ସମୟ ସୁଅରେ ଭାସି ଯାଉଥିଲି,
ଶୁଖିଲା ପତର ପରି,
ନଈର ଭଉଁରି, ଢେଉ ଦେଖି ଖାଲି,
ଥରୁଥିଲି ଏକା ଡରି ।
ଫୁଲଟି ପଡ଼ିଲା ମୋହରି ଉପରେ,
ଗଛରୁ କେଉଁଠୁ ଝରି,
ସିଏ ତ ସଜନା ଗଛର ଫୁଲଟି,
ଦିଶିଲା ସୁନ୍ଦର ଭାରି ।
ପିମ୍ପୁଡ଼ିଟିଏ ବି ଆଶ୍ରୟ ନେଲା,
କରିବାକୁ ନଈ ପାରି,
ଫୁଲଟି ନିଜକୁ ଖୁଆଇ ଦେଲା,
ପିମ୍ପୁଡ଼ିର କ୍ଷୁଧା ବାରି ।
ମୋ ଦେହେ ପଞ୍ଜରା ହାଡ଼ ଦିଶୁଥାଏ,
ରଖଲି ଭାସିବା ଜାରି,
ପିମ୍ପୁଡ଼ିକୁ କୂଳ ଲଗାଇ ଦେଇ,
ବୁଡ଼ି ଗଲି କାମ ସାରି ।
