STORYMIRROR

Bidyutlata Das

Classics

3  

Bidyutlata Das

Classics

ବାଲ୍ଯଦିନ୍

ବାଲ୍ଯଦିନ୍

1 min
316

ବିସ୍ତୀର୍ଣ୍ଣ ପୃଥିବୀ ବକ୍ଷ ବିଦୀର୍ଣ୍ଣ ବିଭ୍ରାନ୍ତ

ଅସ୍ତମିତ ସୂର୍ଯ୍ୟ ଏଠି

ବୟସର ତୀବ୍ର ପିପାସାରେ

ଆଲୋକର ବର୍ଣାଳୀ ବିଚିତ୍ର


ପ୍ରଥମ ପରାଗ ରାଗ

ଉଦୟରାଗର ସ୍ନିଗ୍ଧ ଭାଗ

ଚପଳ ଚଞ୍ଚଳତାର ଆଲିଙ୍ଗନ ପ୍ରୀତିର ସୋହାଗ

ଅଧର ମଧୁସ ସ୍ପର୍ଶ,

ରୋମଞ୍ଚର ନିଘଞ୍ଚ ଜଙ୍ଗଲ

ମନ୍ତ୍ରଣାର, ଯନ୍ତ୍ରଣା ର, ଶିହରଣ, ବେହରଣ

ଅରଣ୍ଯ ଫସଲ


ଆତୁର କାତର ପୁଣି ସ୍ଥିରତା ଓ ଚଞ୍ଚଳତା

ସ୍ନାୟୁର ସହରେ

ସବୁ ସେଠି ରହିଯାଏ ସ୍ୱପ୍ନର ମହଲେ

ଉଦୟର ପ୍ରଥମ ପ୍ରହରେ


ତମେ ଧୂଳିଖେଳ ଆଉ ଭୂତିଆରୀ ଫୁଲର ପରାଗ

ବୋହୁଚୋରୀ, ଡୁ ଡୁ ପୁଣି

ଲୁଚକାଳି ଅଭୁଲା ବିଭାଗ

ତମେ ଆଜି ପଡିଯାଅ ମନେ

ଆଜି ବି ଉଇଁଛି ଜହ୍ନ

ଆମ ସ୍କୁଲ ଉଲୁରା ମଥାନେ


ହାତର ରେଖା ରେ ଲେଖି

ପ୍ରଣୟର ପ୍ରଥମ ସ୍ୱାକ୍ଷର

ଆଖି ର ଅସ୍ଥିର ଭାଷା ଅପ୍ରକାଶ୍ଯ

ନୁହେଁ ଯେ ବିଧୁର

ଅଜଣା ଆବେଗ ସେ ଯେ

ନୂଆକଥା ନୂଆ ଅନୁଭୂତି


ଅଧିର ବିଧୁର ମନେ

ନବବଧୂ ସେ ଯେ ମୌନାବତୀ

ଅବଗୁଣ୍ଠନ ଖୋଲେନାଁ ଅଜ୍ଞତା ର ନବୀନ ପୁଲକ

ଆଶ୍ଚର୍ଯ୍ୟ ଦୁନିଆଁ ରଙ୍ଗ ପାଲଟୁଛି ପଲକେ ପଲକେ

ଅ,ଆ,କ,ଖ ମନେନାହିଁ ପାଗଳ ଖିୟାଲ

ନିବିଡ଼ ସଂଲଗ୍ନମନ ଉଦାସ ଓ ସ୍ୱପ୍ନରମହଲ


ହଜିଗଲା , ହଜିଗଲା ଆହା

ଅଛି ନଈତୁଠ ମନପବନର ଡଙ୍ଗା ସବୁ

ହଜିଛି ପଝାରୀ ନାଉରିଆ

ପ୍ରଖର ମଧ୍ଯାହ୍ନ ତାତି, ଛଟପଟ ହତାଶ ନାଉରି

ରଙ୍ଗବତୀ କେଣେଗଲୁ ,କେନ୍ଦରା ମୋ କାନ୍ଦେ ଝୁରିଝୁରି

ଇଠାଫଳ ଝଡିଯାଏ ସରିଯାଏ ଭୂଇଁ ବରକୋଳି

ବେତକୋଳି ମିଳେନାହିଁ, ଗୋଲାପ ଯେ ଯାଇଛି ମଉଳି


ଫୁଟିବାର ସୁଯୋଗ ସେ ପାଇଲାନି

ମହୀଭାଇ ଦହିବରା କହେ

"ତୁମେ ସବୁ ଚାଲିଗଲ ମତେ ଭୁଲି

ମୁଁ କିନ୍ତୁ ତୁମରି କଥା ଝୁରି ହେଉଥାଏ"


ଅନେକ ମନର ରଙ୍ଗ ଚୋରି କରି

ପ୍ରଜାପତି ଯେବେ ଉଡିଗଲା

ଅନେକ ସମୟ ଢେଉ ପଡିଆରେ

ଆମ ଖେଳପଡିଆରେ ଫସଲ ତୋଳିଲା

ସାଥୀସବୁ ସ୍ମୃତିର ଦେଉଳେ ହେଲେ ସାଦରେ ପୂଜିତ


ପାଦଚାପି ଚୁପି ଚୁପି ଆଘାତ ରେ

କଲେ ଦେହ ମନ ରୁଧିରାକ୍ତ

ଅଶାନ୍ତ ପରିପକ୍ୱତା ଜ୍ୱଳନ୍ତ ମଧ୍ୟାହ୍ନେ

ଭିନ୍ନରୂପ ଶାମୁକା ର, ହଜିଯାଏ ଭିଜାବାଲି

ଅପ୍ରାପ୍ତିର ପ୍ରତିହିଂସୁ ପ୍ରଦୀପ ଦହନେ


ସଂଧ୍ୟା ଏଠି ଆସି ଯିବ

ସମୟ ବା ଆଉ କେତେ ବାକି

ସ୍ଥିର ରହିବାର କିଛି ନାହିଁ ସବୁ ଠକେଇ ଚାଲାକି

ଗତିଶୀଳ ଏ ହାଟରେ


ଆମ ସ୍ମୃତି ଆମକୁ ପଚାରେ

ଏହି କଣ ସେହି ସୂର୍ଯ୍ୟ

ଯା କୋମଳ ଅନୁଭୂତି ପ୍ରଥମ ପ୍ରକାଶ

ଆତ୍ମଗୋପନ କରିଛି ଆତ୍ମ ଅନ୍ତରାଳେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics