STORYMIRROR

Bidyutlata Das

Others

4  

Bidyutlata Das

Others

ପାଠଶାଳା

ପାଠଶାଳା

1 min
258

ଗାଁ ମୁଣ୍ଡ ବରଗଛ ,ଗୁଣ୍ଡିଚା ମନ୍ଦିର

ପାଖେ କନିଅର ପୁଣି ବାଇଗବା କଣ୍ଟିକୋଳି ବାଡ଼

ଝାଟିମାଟି ଲିପାଘର, ମଝିରେ ବରଡା ତାଟି

ଭଙ୍ଗାତୁଟା ଡେସ୍କ ବେଞ୍ଚ ନେଇ

ଆଜିବି ମନକୁ ଆସେ ପାଠଶାଳା

ଅ , ଆ , କ , ଖ ,ଶିଖିଥିଲି ଯହିଁ ।

ଧୂଳି ଉଡା ମାଟି ସଡକ କଡ଼ରେ

ଫସଲ କିଆରି ଦେହେ

ସବୁଜିମା ରଙ୍ଗ ମାଖି ହେଲେ

ଆଣ୍ଠୁଏ କାଦୁଅ ଖାଲେ ବର୍ଷା ପାଣି

ଆମ ସ୍କୁଲ ପିଣ୍ଢା ତଳେ ସୁଅ ଯେବେ ମେଲେ

କାଗଜଡଙ୍ଗା ଭସାଇ

ଭିଜି ଭିଜି ବର୍ଷୁକି ବାଦଲେ

ଆମେ ସବୁ ଡାକୁଥାଉ, ଆମ ସଙ୍ଗେ ଖେଳିବାକୁ

ଅପରାହ୍ନ ଲୁହଧୁଆ ସଜଳ ପ୍ରାନ୍ତରେ

ସାଧବବୋହୁ ଓ କେତେ ଘାସଫୁଲ ମେଳେ।

ଗୁରୁଜୀ ଙ୍କ ବବେତବାଡି ,ବଡପାଟି

କାନଧରି ଉଠାବସା

ଆଣ୍ଠୁତଳେ ଗୋଡିଦେଇ ,ନାକଘଷି ତଳେ

କାନ୍ଥରେ ଚିଆର ହୋଇ

ଶୂନଛାଟ ଖାଇ ଖାଇ

ଆମେ ପୁଣି ପଡୁ ନିତି ତାଙ୍କ ପାଦତଳେ।

ଢୁ କରି ମୁଣ୍ଡିଆଟେ ମାରି ଦେଲେ

ଭୁଲିଯାଉ ଶାସ୍ତିର ଯନ୍ତ୍ରଣା

ଆଉ ନାଲି ଆଖି ଦେଖା

ପିଠିରୁ ପାହାର ଦାଗ ଲିଭୁ ନଲିଭୁଣୁ

ମାଡଗୋଳ ପାଟିତୁଣ୍ଡେ କରୁ ଉଠାପକା।

ଗୁଣ୍ଡିଚା ପଡିଆ ଧୂଳି , ଆଜି ଯାହା ସ୍ମୃତିର ସଂଖାଳି

ତାହା ଯେବେ ନାଚିଯାଏ ଖଣ୍ଡିଆଭୂତ ରୂପରେ

ଧୁ, ଧୁ ,ନାଚୁଥାଏ ମରିଚୀକା ଖାଲି।

ପାଚିଲାଧାନର କ୍ଷେତ ଭରି ଉଠୁଥାଏ ଯେବେ

ମିଠା ମିଠା ଅଫୁରନ୍ତ ଜୀବନର ଗାନେ

ଆମେ ପୁଣି ଧୁନି ଜାଳି ,ହାତପାଦ ସେକିହୋଇ

ମେଳବାନ୍ଧି ନାଚିଯାଉ କ୍ଷେତବଢା ଥାନେ।

ଭୁଲିଯାଉ ପ୍ରସାରିତ ବେତବାଡି

ଗୁରୁଜୀଙ୍କ ନାଲି ଆଖି

ଶାସନ ଶୃଙ୍ଖଳାର ସେ ଧରାବନ୍ଧା କଥା

ସେହି ପାଠଶାଳା ଆଜି ,ସ୍ମୃତିର କଷଟି ସାଜି

ମନେ ଭରିଦିଏ କେତେ ଅପାଶୋରା ବ୍ଯଥା।

ତଥାପି ବୁଝେନା ମନ ଝୁରିହୁଏ ଯାହା

ଫେରିବକି ଥରେ କେବେ ଅଜାଣତେ ଅଯତ୍ନରେ

ଅତୀତ ର ଯେଉଁ ସ୍ମୃତି ହଜିଗଲା ଆହା !


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍