STORYMIRROR

Bidyutlata Das

Classics

3  

Bidyutlata Das

Classics

ଅର୍ଘ୍ଯ

ଅର୍ଘ୍ଯ

2 mins
399

ନାହିଁ ସେଠି ଅଙ୍କାବଙ୍କା ଟିକି ନଈଟିଏ ଅବା

ଭଙ୍ଗିଳ ପର୍ବତମାଳା ପ୍ରକୃତି ର ହାଟ

ତାଳ ,ନଡ଼ିଆ ,ବାଉଁଶ

ଆମ୍ବ , ବର ,ଓସ୍ତ ପୁଣି

ସବୁଜ ପଡିଆ ଘେରା ବହଳିଆ ପାଟ


ସରୁ ପାଦଚଲା ରାସ୍ତା ଗାଁ ଗୋହିରୀର

କଡେ କଡେ କନିଅର କଣ୍ଟିକୋଳି ବାଡ

ବଙ୍ଗାଳି ପଡିଆ ଗଛେ

(ଭୂତ ଅଛି ,ସାପ ଅଛି ,ଭାରି ମାଡେ ଡର)

ଗ୍ରେନ୍ ଗୋଲା ପଛେ ହନୁ

ଠାକୁରାଣୀ ଗଛେ କରେ ଦାନ୍ତ କଡ଼ମଡ଼


ଆଣ୍ଠୁଯାଏ ଭିଜିଯାଏ

କାଦୁଅ , ପାଣି ତୋଡ଼ରେ ଛତା ଢ଼ିଅ ମାରି

ଜୁଡୁ ବୁଡୁ ବରଷାରେ ଚଗଲାମନଟା ପୁଣି

ପାଠସଙ୍ଗେ ଭାବୁଥାଏ

ସାଧବବୋହୂର ନାଲି ଗୁଲୁଗୁଲୁ ରୂପ

ଅନେକ ସ୍ୱପ୍ନିଳ ରଙ୍ଗ ମନରେ ଉଖାରି


କେତେ ଯେ ନବୀନ ଆଶା, ସପନ, ଶପଥ

ନିରନ୍ତର ଲୁଚକାଳି ଖେଳୁଥାଏ ମନେ

ଗୁରୁଜୀ ଙ୍କ ନୀତି ବାଣୀ , ପାଠକୁ ହଜାଇ

ମନ ମୋର ନିତି ହଜେ ଅଜଣା କାନନେ


ସବୁ ନୂଆ ,ନୂଆ କଥା, ନୂଆ ଅନୁଭୂତି

ନ ଥାଏ ତ ଗ୍ଳାନି , ଭୟ , ମାନଅପମାନ

ଏଇ ଚଗଲା ମନର ଅଣଚାଶୀ ନିଶା

ହାତେ ଦିଏ ପାରିଜାତ ,ଆକାଶର ଜହ୍ନ

ଟିକକରେ ଭାଙ୍ଗି ପୁଣି ହୁଏ ଛିନ୍ନଭିନ୍ନ


ଠିକ ସେହି ବେଳେ

ଯାର ବରାଭୟ ହାତ , କୋମଳ ପରଶ

ଦେଲା ପ୍ରାଣେ ଜୀବନ୍ଯାସ , ଅଭୟ ଆଶ୍ୱାସ

ଯା ପାଦରୁ ଘେନିଲି ମୁଁ ଜୀଇଁବାର ମନ୍ତ୍ର

ଆତ୍ମବଳ -ବିଶ୍ୱାସ ର ସୁଦୃଢ ନିର୍ଯ୍ଯାସ


ଯା କଥାର ଅମୃତରେ

ଶୂନ୍ଯ ମନ ହେଲା ମୋର ପୂର୍ଣ୍ଣ ଗନ୍ତାଘର

ନୂତନ ପ୍ରେରଣା ଯାର ,ଜୀବନ ରଥକୁ ମୋର

ମାର୍ଗଦର୍ଶନ ରେ ହେଲା ନିତ୍ୟ ସହଚର


ଆକାଶର ଉଦାରତା,ସାଗରର ଗଭୀରତା

ମାଟିର ମମତା ନେଇ ଯେଉଁ ରୂପ ଗଢା

ହିମଗିରିର ସ୍ଥିରତା, ସଂକଳ୍ପର ସୁଦୃଢତା

ଅନ୍ତଃସଲୀଳା ଆଶୀଷ, ସ୍ନିଗ୍ଧ ଫଲ୍ ଗୁ ଧାରା


ଅନେକ ସାହସ ଆଉ ବିଶ୍ବାସ ବଳରେ

ଆଜି ମୁଁ ବଞ୍ଚିଛି ସେହି ଆଶୀର୍ବାଦ ନେଇ

ଭାଙ୍ଗିପଡେ ଯେବେ ମନ ଆକୁଳ ଆବେଗେ

ଭାସିଯାଏ ଆଖି ଆଗେ ମମତା ରେ ପରିପୂର୍ଣ୍ଣ

ଅସରନ୍ତି ପ୍ରେରଣାର ସେହି ଆଖି ଦୁଇ


ମନପକ୍ଷୀ ଲୋଡିଯାଏ ,

ବିଶାଳ ବିସ୍ତୃତ ସେହି ଉଦାର ବକ୍ଷରୁ

ବରାଭୟ ଆଶୀଷ ର ଟଣିକାରୁ ଖିଏ

ବୁଝି ଯାଏ ପୁଣି

ଆପଣାର ହୋଇ ଏଠି

ଏଡେ ବଡ ଜଗତରେ ଅଛି ଜଣେ କିଏ


ଭକ୍ତିଅର୍ଘ୍ଯ--ଅନ୍ତରର ଉଛ୍ୱସିତ ଦୂରନ୍ତ ଆବେଗ

କୃତାଞଳି ପୁଟେ ଦେଇ କରୁଛି ବିନତୀ

ଜନ୍ମେ ଜନ୍ମେ ହୁଏ ତାଙ୍କ ଶିଷ୍ଯାତ୍ୱରେ ଧନ୍ଯା

ଆଶୀଷର ସ୍ନେହଶିକ୍ତ ଦୁର୍ଲ୍ଲଭ ସଂପଦେ

ମୋର ଭିକ୍ଷାଞଳି ପୂର୍ଣ୍ଣ ହେଉଥାଉ ନିତି


ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Classics