STORYMIRROR

Bidyutlata Das

Inspirational

4  

Bidyutlata Das

Inspirational

ପକ୍ଷୀ ଯେବେ ବାଟ ଭୁଲିଯାଏ

ପକ୍ଷୀ ଯେବେ ବାଟ ଭୁଲିଯାଏ

1 min
480


ନିଜକୁ ନିହାତି

ସର୍ବ ଶକ୍ତିମାନ ବୋଲି

ତୁ କଣ ଭାବୁଛୁରେ ପକ୍ଷୀ

ଅନନ୍ତ ଅସୀମ ନୀଳ ଆକାଶ ତୋ

ଅତିପ୍ରିୟ ବିଚରଣ ଭୂଇଁ,

ତଥାପି ତୁ ଭାବିଛୁକି

ସଂଧ୍ୟା ହେଲେ ନୀଡ ଖୋଜି

ଏ ଶ୍ଯାମଳ ପୃଥିବୀ କୁ ଫେରିଆସୁ

କହ କାହାପାଇଁ

କେଉଁ ମହାଶୂନ୍ଯ ଘଞ୍ଚ ନୀଳିମା ହୃଦୟେ

ବାନ୍ଧି ପାରିଛୁକି ତୋର

କାଠିକୁଟା ଖଞା ଏକ ବସା

ଯେଉଁଠି ତୋ ଶାବକ ସହ ପକ୍ଷିଣୀ

ଆନନ୍ଦର କଳରୋଳ କରି ରହିଥାଏ

ଝଡ, ବରଷାକୁ ପୁଣି ନଥାଏ ଭରସା

ଋତୁ ଯାଏ ଋତୁ ଆସେ କେତେ

ମରୁ ଜୀବନରେ ଫୁଟେ ପ୍ରୀତି ର ମୁକୁଳ

ଭାଙ୍ଗିପଡେ କେବେ ଆହା ଅଦିନ ବତାସେ

ମଉଳି ଯାଏ ଅକାଳେ କେତେ

ଦରଫୁଟା ଫୁଲକଳି, ସୁକୁମାର ଫୁଲ

ଉଠ୍ ପୁତା ଡାକ ଖାଲି ଥରେ ଥରେ

ଶୁଭୁଥାଏ ନେପଥ୍ଯରୁ ରହି

କେହି ଜାଣେନା ଠିକଣା ତାର

ହଜିଯାଇଥିବା ପୁତ୍ର

ଫେରେ କିବା ହଜିଯାଏ କାହିଁ

ନଈରେ ଜୁଆର ଆସେ

ଫେରିଯାଏ ଭଟ୍ଟା ସାଜି ପୁଣି

ଯାହାକିଛି ଆଣିଥାଏ

ଅଜାଡି ଦେଇ ସେ ଫେରିଯାଏ ,

ଲେଉଟାଣି ଢେଉ କେବେ ଫେରିଚାଁହେ ନାହିଁ

ରହିଯାଏନା ବେଳାର ଅନୁରୋଧ ଶୁଣି

ସେମିତି ସମୟ ସବୁ

ଆସି ଏଠି ଫେରିଯାଏ ଆପଣା ବାଟରେ

ତୁ କଣ ଭାବୁଛୁ ପକ୍ଷୀ

ଏକମାତ୍ର ଅଧିଶ୍ୱର ତୁହି

ଆକାଶ ଓ ପୃଥିବୀର ପିରିବ୍ଯାପ୍ତ

ମିଳନ ହାଟରେ

ଶୁଣ ଥରେ ପକ୍ଷୀ

ତୋର ଅଛି ରୂପରଙ୍ଗ ଶକ୍ତି ଓ ସାମର୍ଥ୍ଯ

ଲଙ୍ଘିପାରୁ ସପ୍ତସିନ୍ଧୁ ,ସାଗର ସୈକତ

ସବୁ ତୋର ନିୟମିତ ନିୟନ୍ତ୍ରିତ ପଥ

ସବୁ କିନ୍ତୁ ସୀମା ଅନ୍ତର୍ଗତ

ଥକିଯିବ ଡେଣା ତୋର ଉଡିଯିବ ରଙ୍ଗ

କ୍ଳାନ୍ତ ପକ୍ଷ ଖୋଜିବ ଆଶ୍ରୟ

ହଜିଯିବ ମିଛ ଅହମିକା

ପଥପ୍ରାନ୍ତେ ପଡିଥିବୁ ହୋଇ ଅସହାୟ

ଅନ୍ଧ ଆଖି ତୋର ଆହା ମୁଦିହୋଇଥିବ

ପରିଶ୍ରାନ୍ତ ପରିଚର୍ଯ୍ଯା ଜୀବନ ସଂଗ୍ରାମେ

ନାଁ ଥିବ ମାୟାମହଲ ମିଛ ମରିଚୀକା

ପାରିଷଦ ତୋଷାମଦ ସ୍ତବ ସ୍ତୁତି ନାମେ

ଛୋଟ ତୋର ପୃଥିବୀର ପରିସୀମା

ଜୀବନଟା ଆହୁରି ସଂକ୍ଷିପ୍ତ

ନୀଡଛଡା ବାଇଆ ତୁ

ହଜିଯିବୁ ମହାକାଳ ସ୍ରୋତେ

ଲିଭିଯିବ ତୋର ନାମ ସଂନ୍ତକ ସଂତପ୍ତ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational