ତୁମେ ମୋର ନିଜର ବୋଲିତ
ତୁମେ ମୋର ନିଜର ବୋଲିତ
ତୁମେ ମୋର ନିଜର ବୋଲିତ
କହୁଛି ଖୋଲି ଘୁଣଖିଆ ମନର କଥା
ଦୁଃଖସୁଖ ବ୍ୟଥା ଯନ୍ତ୍ରଣାର
ଅବା ପ୍ରେମ ପ୍ରଣୟର ଗୋପନ କଥା ।
ଶୁଣିଛି ମୁଁ
ମନକଥା ଖୋଲି କହିଦେଲେ
ପ୍ରିୟତମ ଘର ଅଗଣାରେ
ଅନାବିଳ ସ୍ନେହ ମମତାରେ
କାଳେତୁ ପରଷି ଦେଉ
ମାନସିକ ସ୍ଵର୍ଗୀୟ ସାନ୍ତ୍ୱନା
ଆଉ ବରପାତ୍ର ଯାଚିଦେଉ
କଷ୍ଟମୂଳେ ଇଷ୍ଟର ବୃତ୍ତିରେ ।
ପ୍ରତି ମୁହୂର୍ତ୍ତରେ ପାଇଛି ମୁଁ କାଳକୂଟ ଦଂଶନ
ଜାତି ପ୍ରତିପତ୍ତି ସୋଦର କ୍ଷମତା ବନ୍ଧନ
ଛଟପଟ ହୁଏ ମୋର ନିରୀହ କପୋତ ପ୍ରାଣଟା
ତୁମର ଶରଣ ପଶେ କିଂକର୍ତ୍ତବ୍ୟବିମୂଢ଼
ମୋର ଏ ଦୀନ ପ୍ରାଣସତ୍ତା
ତୁମେ ମୋର ନିଜର ବୋଲିତ
ମନଖୋଲି କହିଦିଏ
ସେହି ଅଳନ୍ଧୁ ଅନ୍ଧାରର କପଟ ତୁଠରେ
ଦିବ୍ୟଚକ୍ଷୁ ଆଲୋକରେ ଦେଖିନିଏ
ତୁମ ହସହସ ପ୍ରସନ୍ନ ମୂରତି
ଆଉ ବିମଳ ଶୋଭାର ବଡ଼ସିଂହାରର ବେଶ ।
ତୁମର ଦର୍ଶନ ମାତ୍ରେ ସାପଫଣା ନଇଁଯାଏ
ଶୀତଳି ଯାଏ ଭଡ଼ଭାଡ଼ ସେଚେଁ ରଡ଼ନିଆଁ ତକ
ତୁମ ପୁଣ୍ୟଶ୍ଳୋକ ପ୍ରଧାନ କଣ୍ଠରୁ
ସ୍ବତଃ ବୋହିଆସେ ଭଗୀରଥ ତପସ୍ୟାର ଜଳ
ଆଉ ବୋହିନିଏ ମତେ
ବିଶୁଦ୍ଧ ଉକ୍ତିର ସେହି ପାବନ ସ୍ରୋତରେ ।
ତୁମେ ଦିଅଁ, ତୁମେ ନିଅଁ
ତୁମେ ମୋର ଆଦି ଅନ୍ତ କର୍ତ୍ତା
ତୁମେ ମୋର ଗତି ମୁକ୍ତିଦାତା
ତୁମରି ଜଳକୁ ସୃତି ତର୍ପଣରେ ଭରି
ପ୍ରାର୍ଥନା ମୁଁ କରେ ବାରବାର
ହେ ! ମୋର ଇଷ୍ଟ ଦେବତା
ଦିଅ ମୋତେ ସୁଖଶାନ୍ତି
ବରାଭୟ ଆହେ ପ୍ରାଣର ଦେବତା ।

